ନୂଆଦିଲ୍ଲୀ ୨୮/୦୫: ଚନ୍ଦ୍ରରେ ସ୍ଥାୟୀ ଠିକଣା ନିର୍ମାଣ ଲାଗି ନାସା ନିଜର ପରବର୍ତ୍ତୀ ଯୋଜନା ସାମ୍ନାକୁ ଆଣିଛି । ଏହି ଯୋଜନାରେ ଚନ୍ଦ୍ରକୁ ପଠାଇବାକୁ ଲକ୍ଷ୍ୟ ରଖିଥିବା ରୋବୋଟିକ୍ ଲ୍ୟାଣ୍ଡର, ଡ୍ରୋନ୍ ଓ ତମାମ ଯାନର ସବିଶେଷ ବିବରଣୀ ଜାରି କରିଛି । ଏହି ପ୍ରୋଜେକ୍ଟରେ ଯନ୍ତ୍ରପାତି ନିର୍ମାଣ ଲାଗି ଚୟନ ହୋଇଥିବା ଅନେକ କମ୍ପାନି ମଧ୍ୟରେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ମହାକାଶ କମ୍ପାନି ବ୍ଲୁ ଅରିଜନ୍ ଅନ୍ୟତମ । ଆମେରିକା ଚାହୁଁଛି ୨୦୨୯ରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆମେରିକା ଚନ୍ଦ୍ରରେ ଅବତରଣ କରୁ । କିନ୍ତୁ ନାସା ଚନ୍ଦ୍ର ପୃଷରେ ମାନବ ଅବତରଣ ଲାଗି ଚୀନ୍ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଅର୍ଥାତ୍ ଏହି ନୂଆ ମହାକାଶ ଦୌଡ଼ରେ ଜିତିବା ପାଇଁ ନାସା ଏକ ପ୍ରକାର ଚାପରେ ଅଛି ।
ଅନ୍ୟପକ୍ଷେ, ଚୀନ୍ ୨୦୩୦ ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ଯୋଜନାରେ ଦ୍ରୁତ ଆଗକୁ ବଢୁଛି । ଗତ ସୋମବାର ଏହା ଶେନଝୋଉ-୨୩ ମହାକାଶଯାନ ଲଞ୍ଚ କଲା, ଯେଉଁଥିରେ ଜଣେ ମହାକାଶଚାରୀଙ୍କୁ ଦେଶର ତିଆନଗୋଙ୍ଗ ମହାକାଶ କେନ୍ଦ୍ରକୁ ପଠାଇଲା । ଗତ ମାର୍ଚ୍ଚରେ ନାସା ୨୦୦ କୋଟି ଆମେରିକୀୟ ଡଲାର କାର୍ଯ୍ୟକ୍ରମ ଘୋଷଣା କରିଥିଲା । ଏଥିରେ ୨୦୩୨ ସୁଦ୍ଧା ଚନ୍ଦ୍ରର ଦକ୍ଷିଣ ମେରୁରେ ପରମାଣୁ ଓ ସୌରଶକ୍ତି ପରିଚାଳିତ ଏକ ସ୍ଥାୟୀ ଠିକଣା ନିର୍ମାଣର ବ୍ଲୁପ୍ରିଣ୍ଟ ରହିଛି । ନାସା ପ୍ରଶାସକ ଜାରେଡ ଆଇଜାକ୍ମ୍ୟାନ୍ ଗତ ମଙ୍ଗଳବାର କହିଥିଲେ, ଏହି ଘୋଷଣାର ଅର୍ଥ ଆମେରିକା କଦାପି ପୁଣିଥରେ ଚନ୍ଦ୍ରକୁ ହାତଛଡ଼ା କରିବ ନାହିଁ ।
ଏହି ସ୍ଥାୟୀ ଠିକଣା ଦ୍ୱାରା ବୈଜ୍ଞାନିକ ପରୀକ୍ଷଣ (ଖାସ୍କରି ମୂଲ୍ୟବାନ ଖଣିଜ ସ୍ରୋତ ନିମନ୍ତେ) ଓ ମଙ୍ଗଳକୁ ଯାତ୍ରା ଆମେରିକା ପାଇଁ ଆହୁରି ସହଜ ହେବ । କିନ୍ତୁ ଅଧିକାଂଶ ବିଶେଷଜ୍ଞଙ୍କ ମତ, ନାସାର ଏହି ସମୟସୀମା ଅବାସ୍ତବ । ଯଦିଓ ନାସା ଗତ ଏପ୍ରିଲରେ ଆର୍ଟେମିସ-୨ ମିଶନରେ ଚନ୍ଦ୍ର ନିକଟକୁ ୪ ମହାକାଶଚାରୀଙ୍କୁ ପଠାଇବାରେ ସଫଳତା ପାଇଛି, କିଛି ବୈଜ୍ଞାନିକଙ୍କ ବିଶ୍ୱାସ ଯେ ଚନ୍ଦ୍ର ପୃଷ୍ଠରେ ମାନବ ଅବତରଣର ପରବର୍ତ୍ତୀ ଦେଶ ଚୀନ୍ ହେବ ।
ନାସାର ଚନ୍ଦ୍ର ଠିକଣା କାର୍ଯ୍ୟକ୍ରମର ୩ଟି ପର୍ଯ୍ୟାୟ ରହିଛି । ମଣିଷ ସେଠାରେ ପହଞ୍ଚିବା ପୂର୍ବରୁ ନାସା ସେଠାକୁ ରୋବୋଟିକ୍ ଲ୍ୟାଣ୍ଡର ପଠାଇବ । ତା’ପରେ ଡ୍ରୋନ୍ ଜରିଆରେ ଚନ୍ଦ୍ରର ଆହ୍ୱାନଭରା ଚଟାଣକୁ ମାପିବ । ଡେଲିଭରୀ ଯାନ ମଧ୍ୟ ନିଆଯିବା, ଯାହା ଚନ୍ଦ୍ର ପୃଷ୍ଠରେ ମହାକାଶଚାରୀଙ୍କୁ ନେବା ଆଣିବା କରିବ ଏବଂ ଯୋଗାଯୋଗ ଓ ବୈଜ୍ଞାନିକ ଉପକରଣ ମଧ୍ୟ ବହନ କରିବ । ବ୍ଲୁ ଅରିଜନ୍ ସମେତ ଇନ୍ଟ୍ୟୁସିଭ୍ ମେସିନ୍ସ ଓ ଆଷ୍ଟ୍ରୋବୋଟିକ୍ ଭଳି କମ୍ପାନିଙ୍କ ସହ ମେସିନ୍ ନିର୍ମାଣ ପାଇଁ ଚୁକ୍ତି ହୋଇଥିବା ନାସା ସ୍ପଷ୍ଟ କରିଛି ।
ଆହୁରି ପଢ଼ନ୍ତୁ...ଯୁଦ୍ଧ ଏବଂ ଶାନ୍ତି ବୁଝାମଣା ସମ୍ପର୍କିତ ଇରାନୀ ଗଣମାଧ୍ୟମର ରିପୋର୍ଟକୁ ନେଇ ତାତିଲା ଆମେରିକା, କହିଲା ଏସବୁ ମିଛ ଆଉ ମନଗଢା…