ନୂଆଦିଲ୍ଲୀ,୩୧/୦୫: ସୀମା ସୁରକ୍ଷା, ଶତ୍ରୁମାନଙ୍କ ଗୁଇନ୍ଦାଗିରି ଏବଂ ବିପଦ ବିଷୟରେ ଜାଣିବା ପାଇଁ, ସେନା ଏବେ କେବଳ ମଣିଷ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ନୁହେଁ ବରଂ ପଶୁପକ୍ଷୀମାନଙ୍କ ଶକ୍ତି ଉପରେ ମଧ୍ୟ ନିର୍ଭର କରିବା ଆରମ୍ଭ କରିଛି। କେଉଁଠି ମୂଷାଙ୍କୁ ବିସ୍ଫୋରକ ଚିହ୍ନଟ କରିବା ପାଇଁ ତାଲିମ ଦିଆଯାଉଛି, କେଉଁଠି ହାତୀମାନଙ୍କୁ ନଜର ରଖିବା ପାଇଁ ବ୍ୟବହାର କରାଯାଉଛି। ଭାରତରେ, ମହୁମାଛି ସାହାଯ୍ୟରେ ଏକ ସ୍ୱତନ୍ତ୍ର ମିଶନ ମଧ୍ୟ କରାଯାଉଛି। ଆଧୁନିକ ଯୁଦ୍ଧ ଏବେ କେବଳ ଅସ୍ତ୍ରଶସ୍ତ୍ର ସହିତ ନୁହେଁ ବରଂ ନୂଆ ରଣନୀତି ସହିତ ଲଢ଼ାଯାଉଛି।

ମୁଷା କରୁଛନ୍ତି ଗୁଇନ୍ଦାଗିରି:

କାମ୍ବୋଡିଆ, ୟୁକ୍ରେନ, ଇସ୍ରାଏଲ ଏବଂ ଅନେକ ୟୁରୋପୀୟ ଦେଶରେ ମୂଷାମାନଙ୍କୁ 'ଗୁପ୍ତଚର' କରାଯାଉଛି। ଏହି ମୂଷାମାନେ ମୁହୂର୍ତ୍ତକ ମଧ୍ୟରେ ବିପଦ ଅନୁଭବ କରି ସୂଚନା ଦିଅନ୍ତି। ସେମାନଙ୍କର ଆକାର ଏବଂ ଆକୃତି ସମ୍ପୂର୍ଣ୍ଣ ସାଧାରଣ ମୂଷା ପରି, ଯାହା ଦ୍ୱାରା ସେମାନେ ଶତ୍ରୁମାନଙ୍କୁ ଦେଖାଯାଆନ୍ତି ନାହିଁ। ଏହି ମୂଷାଗୁଡ଼ିକୁ 'ହିରୋରାଟ୍' କୁହାଯାଏ।

* ହିରୋର‍୍ୟାଟ୍‌ଙ୍କୁ ଗୁଇନ୍ଦାଗିରି ପାଇଁ ତାଲିମ ଦିଆଯାଉଛି

* ଗୋଟିଏ ବର୍ଷରୁ କମ୍‌ ସମୟରେ ସମ୍ପୂର୍ଣ୍ଣ ହେଉଛି ତାଲିମ

* ବେଲଜିୟମର ଅଣ ଲାଭକାରୀ ସଂଗଠନ ଏପିଓପିଓ ମୁଷାମାନଙ୍କୁ ଗୁପ୍ତଚର ପାଇଁ ତାଲିମ ଦେଇଥାଏ

* ବାରୁଦ ସୁଡ଼ଙ୍ଗ ଖୋଜିବା ପାଇଁ ଋଷ ମଧ୍ୟ ଏପରି ମୁଷାମାନଙ୍କୁ ବ୍ୟବହାର କରିଥାଏ

ଭାରତର ଏହି ସୀମାକୁ ସୁରକ୍ଷା ଦିଅନ୍ତି ମହୁମାଛି: 

ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ସବୁଠାରୁ ଭିନ୍ନ ଓ ନୂଆ ଅସ୍ତ୍ରଭାବେ ମହୂମାଛିମାନଙ୍କୁ ନିୟୋଜିତ କରିଛି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ, ବିଏସ୍‌ଏଫ୍‌ର ୩୨ତମ ବାଟାଲିୟନ କଣ୍ଟା ତାର ବାଡ଼ରେ ମହୁମାଛି ପାଳନ ବାକ୍ସ ଝୁଲାଇବା ଆରମ୍ଭ କରିଛି। ଏହି ମହୁମାଛି କେବଳ ମହୁ ପାଇଁ ନୁହେଁ ବରଂ ମହୁମାଛି ବସାକୁ ଚୋରି ଏବଂ ଅନୁପ୍ରବେଶ କରୁଥିବା ଠକମାନଙ୍କ ପାଇଁ ଏକ ମୃତ୍ୟୁ ଘଣ୍ଟି ଭଳି କାମ କରନ୍ତି। ଯଦି କେହି ବାଡ଼ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତେବେ ଏହି ମହୁମାଛିମାନେ ସେମାନଙ୍କୁ ଆକ୍ରମଣ କରନ୍ତି।

ଏହି ପଶୁ ଏବଂ ପକ୍ଷୀମାନେ କିପରି କରନ୍ତି ଗୁଇନ୍ଦାଗିରି?

ଆମେରିକାର ଗୁଇନ୍ଦା ସଂସ୍ଥା ଏହାର ଅନେକ କାର୍ଯ୍ୟ ପାଇଁ ପକ୍ଷୀ ଏବଂ ପ୍ରାଣୀମାନଙ୍କୁ ବ୍ୟବହାର କରିଛି। ପଶୁ ଏବଂ ପକ୍ଷୀଙ୍କ ସହାୟତାରେ, ଗୁପ୍ତ ସୂଚନା ସଂଗ୍ରହ, ଗୁପ୍ତ ଯୋଗାଯୋଗ ଏବଂ ଫଟୋ ନିରୀକ୍ଷଣ କରାଯାଇଛି। ଆମେରିକା ବ୍ୟତୀତ, ଅନେକ ଦେଶ ମଧ୍ୟ ସେମାନଙ୍କର ଗୁପ୍ତଚର କାର୍ଯ୍ୟ ପାଇଁ ପକ୍ଷୀ ଏବଂ ପ୍ରାଣୀମାନଙ୍କୁ ବ୍ୟବହାର କରିଛନ୍ତି। ସିଆଇଏ ଏକ କ୍ୟାମେରା ତିଆରି କରିଥିଲା , ଯାହାକି ଏତେ ଛୋଟ ଏବଂ ହାଲୁକା ଥିଲା ଯେ ଗୋଟିଏ ପାରା ମଧ୍ୟ ଏହାକୁ ବୋହିନେଇ ଯାଇପାରିବ। ଏହି କ୍ୟାମେରାକୁ ପାରାର ଛାତିରେ ଏକ ଛୋଟ ହାର୍ନେସ୍ ସହିତ ବାନ୍ଧି ପାରାଟିକୁ ଏକ ବିଦେଶୀ ଦେଶର ଏକ ଗୁପ୍ତ ଅଞ୍ଚଳକୁ ଛାଡ଼ି ଦିଆଯାଇଥିଲା। ଯେତେବେଳେ ପାରାଟି ଫେରିଲା, ଶତ୍ରୁ ଅଞ୍ଚଳର ସମସ୍ତ ଚିତ୍ର କ୍ୟାମେରାରେ କଏଦ ହୋଇଯାଇଥିଲା।

ଗୁଇନ୍ଦା ବିଲେଇ: 

୧୯୬୪ ମସିହାରେ, ଆମେରିକା କିଛି ଗୁପ୍ତଚର ବିଲେଇଙ୍କୁ ପାଳିପୋଷି ତାଲିମ ଦେଇଥିଲା। ଏହି ବିଲେଇଗୂଡ଼ିକ କଥାବାର୍ତ୍ତା ଶୁଣିବା ପାଇଁ ଜଣାଶୁଣା ଥିଲେ, କାରଣ ସେମାନଙ୍କ ବେକରେ ଏକ ଟ୍ରାନ୍ସମିଟର ଏବଂ ରେକର୍ଡର ଥିଲା।

ଗୁପ୍ତଚର କୁକୁର:

ବିଶ୍ୱର ଅନେକ ଦେଶରେ କୁକୁରମାନଙ୍କୁ ସେନାରେ ସାମିଲ କରାଯାଏ, କିନ୍ତୁ ଏଗୁଡ଼ିକ ଭିତରୁ ଏମିତି ଅନେକ କୁକୁର ଅଛନ୍ତି ଯେଉଁମାନଙ୍କୁ ଗୁଇନ୍ଦା କାମ ପାଇଁ ପଠାଯାଇଥାଏ। କୁକୁରମାନଙ୍କର ଏକ ଆଶ୍ଚର୍ଯ୍ୟଜନକ ଗନ୍ଧ ବାରିବାର ଦକ୍ଷତା ଅଛି ଯାହା ସେମାନଙ୍କୁ ବିସ୍ଫୋରକ ଗନ୍ଧ ଚିହ୍ନଟ କରିବାରେ ସକ୍ଷମ କରିଥାଏ। କାରଣ ସେମାନଙ୍କର ନାକ ମଣିଷର ଗନ୍ଧ ବାରିବାର କ୍ଷମତା ଅପେକ୍ଷା ୧୦ ହଜାର ଗୁଣ ଅଧିକ।

ଇନ୍‌ସେକ୍ଟୋ‌ଥୋପ୍ଟର ମାଛି: 

୧୯୭୦ ଦଶକରେ, ସିଆଇଏ ଏକ 'ଇନ୍‌ସେକ୍ଟୋ‌ଥୋପ୍ଟର' ନାମକ ଏକ ଆବିସ୍କାର କରିଥିଲା। ଏହା ଠିକ୍ ଏକ ମାଛି ପରି ଦେଖାଯାଉଥିଲା। ଏହା ଗୁପ୍ତ ସୂଚନା ସଂଗ୍ରହ କରିବାରେ ବହୁତ ସହାୟକ ହେଉଥିଲା। ଏହି ମାଛି ବନ୍ଦ କୋଠରୀ ଭିତରେ ଚାଲିଥିବା ଗୁପ୍ତ କଥାବାର୍ତ୍ତା ବିଷୟରେ ସଠିକ୍ ସୂଚନା ଦେଉଥିଲା, ଯାହା ଶତ୍ରୁ କାର୍ଯ୍ୟକଳାପ ଏବଂ ଯୋଜନା ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା।

ସମୁଦ୍ରରେ ଡଲ୍‌ଫିନ୍‌ କରୁଛନ୍ତି ଗୁଇନ୍ଦାଗିରି: 

* ନୌସେନାକୁ ଡଲ୍‌ଫିନ୍‌ ଦେଉଛନ୍ତି ସମୁଦ୍ର ଭିତରର ଗୁପ୍ତ ସୂଚନା

* ଡଲ୍‌ଫିନ୍‌ଙ୍କ ଦ୍ବାରା ଗୁଇନ୍ଦା ତଥ୍ୟ ହାସଲ କରୁଛନ୍ତି ଆମେରିକା ଓ ଋଷ

* ସମୁଦ୍ର ଭିତରେ ନୌସେନାର ସମ୍ପତ୍ତିକୁ ଖୁବଶୀଘ୍ର ଖୋଜିଦେଉଛନ୍ତି ଚାଲାକ ଡଲ୍‌ଫିନ୍‌

* ଦାବି କରାଯାଉଛି ଯେ, ଏହି ଡଲ୍‌ଫିନ୍‌ଗୁଡ଼ିକ ଜାହଜରେ ବମ୍‌ ପ୍ଳାଣ୍ଟ ମଧ୍ୟ କରିପାରନ୍ତି

ସମୁଦ୍ର ତଳେ ଯେକୌଣସି ସମ୍ଭାବ୍ୟ ଷଡ଼ଯନ୍ତ୍ରର ବିପଦକୁ ଏଡାଇବା ପାଇଁ ଆମେରିକୀୟ ନୌସେନା ଡଲଫିନମାନଙ୍କୁ ତାଲିମ ଦିଏ। ଏହି ଡଲଫିନଗୁଡ଼ିକ ସମୁଦ୍ରରେ ଯେକୌଣସି ବିପଦକୁ ଅନୁଭବ କରିବାରେ ଅଭ୍ୟସ୍ତ ହୋଇଗଲେଣି। ଏହା ବ୍ୟତୀତ, ଡଲଫିନଗୁଡ଼ିକ ସମୁଦ୍ର ତଳେ ଖଣି ଏବଂ ନୌସେନା ସମ୍ପତ୍ତି ଖୋଜିବାରେ ମଧ୍ୟ ସାହାଯ୍ୟ କରୁଛନ୍ତି।