ଭୁବନେଶ୍ୱର,୦୫/୧୧: କୋଭିଡ୍‌ ମହାମାରୀରେ ଭାରତରେ  ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ  ହୋଇଥିଲା । ଏହି ସମୟରେ ଜୀବନ  ରକ୍ଷା କରୁଥିଲା ଆଣ୍ଟିବାୟୋଟିକ୍‌ ।  ତେଣୁ ଏଭଳି ଆଣ୍ଟିବାୟୋଟିକଗୁଡ଼ିକୁ  ଅଧିକ ମାତ୍ରାରେ ବିକଶିତ କରିବା ପାଇଁ  ସମାଜର ସବୁବର୍ଗର ସହଯୋଗର  ଆବଶ୍ୟକ । ଯାହା ଜାତୀୟ ସୁରକ୍ଷା  ନିମନ୍ତେ ଜରୁରି । ଶିଳ୍ପ ଏବଂ ସାମୁଦ୍ରିକ  ଜୈବପ୍ରଯୁକ୍ତିବିଦ୍ୟା ଉପରେ ସୋମବାର  ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ  ଆରମ୍ଭ ହୋଇଥିବା ଦୁଇଦିନିଆ ଜାତୀୟ  ସମ୍ମିଳନୀରେ ବିଶେଷଜ୍ଞମାନେ ଏହି  ମତ ଦେଇଛନ୍ତି ।  

ଦୁଇଦିନିଆ "ରିସର୍ଚ୍ଚ ଆଣ୍ଡ  ଇନୋଭେସନ୍‌ସ ଇନ୍‌ ଇଣ୍ଡଷ୍ଟ୍ରିଆଲ୍‌ ଆଣ୍ଡ  ମେରାଇନ୍‌ ବାୟୋଟେକ୍ନୋଲେଜି: ଏ  ସର୍କୁଲାର ଇକୋନୋମି' ଶୀର୍ଷକ ଜାତୀୟ  କର୍ମଶାଳାର ଆଜି ଥିଲା ଉଦ୍‌ଘାଟନୀ  କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଓଡ଼ିଶା  କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର  କୁଳପତି ପ୍ରଫେସର ପ୍ରଭାତ କୁମାର  ରାଉଳ ମୁଖ୍ୟ ଅତିଥି ଭାବେ  ଯୋଗଦେଇ କହିଛନ୍ତି, କୃଷି କ୍ଷେତ୍ରକୁ  ବିକଶିତ କରିବା ପାଇଁ ଜୈବବିଜ୍ଞାନ ହିଁ ଏକମାତ୍ର ଆଶାର ଆଲୋକ । କୃଷି ଏବଂ  ଜୈବବିଜ୍ଞାନ ହାତ ମିଶାଇଲେ ହିଁ ବିଜ୍ଞାନ  ବିକଶିତ ହେବ । ଜୈବ ବିଜ୍ଞାନ ହିଁ  ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳ ।  ଭାରତରେ ବର୍ତ୍ତମାନ ଜୈବବିଜ୍ଞାନ  କ୍ଷେତ୍ରରେ ୬୦୦୦ ଷ୍ଟାର୍ଟଅପ୍‌, ୭୬୦ଟି  କମ୍ପାନୀ ଏବଂ ୮୦୦ଟି ଉତ୍ପାଦ ଉପଲବ୍ଧ । ପ୍ରତ୍ୟେକ ପଦାର୍ଥର ପୁନଃବ୍ୟବହାର  ଏବଂ ପୁନଃପରିଚାଳନା ଜୈବବିଜ୍ଞାନର  ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଫେସର  ରାଉଳ କହିଛନ୍ତି । 

ସମ୍ମାନିତ ଅତିଥି ଭାବେ ଚେନ୍ନାଇର  ବି.ଏସ୍‌. ଅବଦୁର ରହେମାନ୍‌  କ୍ରେସେଂଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ  ଆଣ୍ଡ ଟେକ୍ନୋଲୋଜି (ଡିମ୍‌ଡି ଟୁ  ବି ୟୁନିଭର୍ସିଟି)ର ଉପକୁଳପତି  ପ୍ରଫେସର ଏନ୍‌. ତାଜୁଦ୍ଦିନ କହିଛନ୍ତି,  ବିଶ୍ୱରେ ବର୍ତ୍ତମାନ ପରିବେଶ ପ୍ରଦୂଷଣ  ଏବଂ ପୁଷ୍ଟିହୀନତା ବଡ଼ ସମସ୍ୟା  ଭାବେ ଉଭା ହୋଇଛି । ଏଥି ନିମନ୍ତେ  ଜୈବବିଜ୍ଞାନର ସହଯୋଗର ଅନେକ  ଆବଶ୍ୟକତା ରହିଛି । ଅନ୍ୟତମ  ସମ୍ମାନିତ ଅତିଥି କୋଲକାତାସ୍ଥିତ  ୟୁଜିସି-ଡିଏଇ ସିଏସ୍‌ଆରର ପ୍ରମୁଖ  ବୈଜ୍ଞାନିକ ଡକ୍ଟର ଅନିନ୍ଦିତା ଚକ୍ରବର୍ତ୍ତୀ  ପ୍ରଯୁକ୍ତିବିଦ୍ୟା ବିନା ବିଜ୍ଞାନର ଅସ୍ତିତ୍ୱ  ନାହିଁ ବୋଲି କହିଛନ୍ତି ।  

ସୋଆ ପରିଚାଳିତ ସେଣ୍ଟର ଫର୍‌  ଇଣ୍ଡଷ୍ଟ୍ରିଆଲ୍‌ ବାୟୋଟେକ୍ନୋଲୋଜି ରିସର୍ଚ୍ଚ  (ସିଆଇବିଆର) ଏହି କର୍ମଶାଳାର  ଆୟୋଜନ କରିଥିବା ବେଳେ ବିଜ୍ଞାନ ଓ  ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ  ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର  ପୃଷ୍ଠପୋଷକ ରହିଛି । ଏହା ବ୍ୟତୀତ  ନ୍ୟାସନାଲ ରିସର୍ଚ୍ଚ ଡେଭଲପମେଣ୍ଟ  କର୍ପୋରେସନ୍‌ (ଏନ୍‌ଆର୍‌ଡିସି) ଓ  ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସୋସାଇଟି  ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ  ଏହା ଆୟୋଜିତ ହେଉଛି । 

କାର୍ଯ୍ୟକ୍ରମରେ ସୋଆର କୁଳପତି  ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ  ଅଧ୍ୟକ୍ଷତା କରି କହିଛନ୍ତି, ୨୦୨୫  ନଭେମ୍ବରରେ ସୋଆ ପକ୍ଷରୁ ଜୈବ  ବିଜ୍ଞାନକୁ ନେଇ ଏକ ଆନ୍ତର୍ଜାତିକ  କର୍ମଶାଳାର ଆୟୋଜନ କରାଯିବ ।  ଏହା ପୂର୍ବରୁ ଆଜିର ସମ୍ମିଳନୀର  ଗୁରୁତ୍ୱ ରହିଛି । ସୋଆ ସିଆଇବିଆର୍‌ର  ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ  ଥାଟ୍ଟୋଇ ସ୍ୱାଗତ ଭାଷଣ ପ୍ରଦାନ କରି  ୨୦୨୩ ମସିହାରେ ସୋଆ ପକ୍ଷରୁ  ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର  ମୁଖ୍ୟ ଉଦ୍ଦେଶ୍ୟ ସମୁଦ୍ର, କୃଷି,  ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ  ମେଡିକାଲ୍‌ ବାୟୋଟେକ୍ନୋଲୋଜି  କ୍ଷେତ୍ରରେ ଗବେଷଣାକୁ ଅଧିକ  ପ୍ରୋତ୍ସାହିତ କରିବା ।ସମ୍ମିଳନୀରେ  ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ  ଏବଂ ନୀତି ନିର୍ଦ୍ଧାରକ ଯୋଗ  ଦେଇଛନ୍ତି । ଡକ୍ଟର ଶିବାନୀ ମହାପାତ୍ର  ଅତିଥି ପରିଚୟ ପ୍ରଦାନ କରିଥିବା  ବେଳେ ଆୟୋଜକ ସଚିବ ଡକ୍ଟର  ଅମ୍ରିତା ବାନାର୍ଜୀ ଧନ୍ୟବାଦ ଦେଇଛନ୍ତି ।  ଡକ୍ଟର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ  ପରିଚାଳନା କରିଛନ୍ତି।