ନୂଆଦିଲ୍ଲୀ,୧୧/୧୧: ଶିକ୍ଷା ସ୍ବତନ୍ତ୍ର ପରିଚୟ ଦିଏ । ଶିକ୍ଷା ଶକ୍ତିଶାଳୀ କରେ । ଅନ୍ଧାରରୁ ଆଲୋକ ଦେଖାଏ । ଶିକ୍ଷା ବିନା ଜୀବନର କଳ୍ପନା ଅସମ୍ଭବ । ଶିକ୍ଷାର ମୂଲ୍ୟ ସମାଜର ପ୍ରତିଟି ବ୍ୟକ୍ତି ପାଇଁ ରହିଛି । ଆଜି ଜାତୀୟ ଶିକ୍ଷା ଦିବସ । ପ୍ରତି ବର୍ଷ ନଭେମ୍ବର ୧୧ ତାରିଖରୁ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ । ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମଦିନ ସ୍ମୃତିରେ ଏହି ଦିବସ ପାଳନ କରାଯାଏ ।

ଜାତୀୟ ଶିକ୍ଷା ଦିବସ ୨୦୨୪-  ୨୦୦୮ରେ ଭାରତ ସରକାର ନଭେମ୍ବର ୧୧ ତାରିଖକୁ ଜାତୀୟ ଶିକ୍ଷା ଦିବସ ଭାବେ ଘୋଷଣା କରିଥିଲେ । ଜାତୀୟ ଶିକ୍ଷା ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ବିକାଶ ତଥା ବ୍ୟକ୍ତିଗତ କଲ୍ୟାଣରେ ଶିକ୍ଷାର ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା । ଏହି ଦିନଟି ଗୁଣାତ୍ମକ ଶିକ୍ଷାର ବିକାଶକୁ ଗୁରୁତ୍ବ ଦିଏ ।

ଜାତୀୟ ଶିକ୍ଷା ଦିବସର ଇତିହାସ- ୧୯୮୮ ମସିହା ନଭେମ୍ବର ୧୧ ତାରିଖରେ ମୌଲାନା ଅବୁଲ କଲାମ ଆଜାଦଙ୍କର ଜନ୍ମ ହୋଇଥିଲା । ସେ ଜଣେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ, ଲେଖକ ଏବଂ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ଥିଲେ । ସ୍ବାଧୀନ ଭାରତର ସେ ପ୍ରଥମ ଶିକ୍ଷା ମନ୍ତ୍ରୀ ଥିଲେ । ୧୯୫୮ ମସିହା ଫେବୃଆରୀ ୨ ତାରିଖ ଯାଏ ମନ୍ତ୍ରୀ ପଦରେ ଥିଲେ ମୌଲାନା ଅବୁଲ କଲାମ ଆଜାଦ । 

ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନକୁ ମନେ ପକାଇ ପ୍ରତିବର୍ଷ ନଭେମ୍ବର ୧୧ ତାରିଖକୁ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ । ସ୍ବାଧୀନ ଭାରତରେ ଗ୍ରାମାଞ୍ଚଳର ଗରିବ ଓ ଝିଅମାନଙ୍କୁ ଶିକ୍ଷିତ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିକ୍ଷା ପ୍ରତି ତାଙ୍କର ଅବଦାନ ପାଇଁ ସେ ୧୯୯୨ରେ ଭାରତରତ୍ନରେ ସମ୍ମାନିତ ହୋଇଥିଲେ ।