ଭୁବନେଶ୍ୱର,୧୦।୭ : ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗାସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ପ୍ରତିଷ୍ଠାନ (ସିଫା) ପରିସରରେ ଗୁରୁବାର ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଯୋଗ ଦେଇ ୧୭ଟି ନୂଆ ମତ୍ସ୍ୟ କ୍ଲଷ୍ଟରକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହା ସହିତ ସାରାଦେଶରେ ମୋଟ ମତ୍ସ୍ୟଚାଷ କ୍ଲଷ୍ଟର ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ୧୧ଟି ରାଜ୍ୟର ୧୦୫ କୋଟି ଟଙ୍କା ବିନିମୟରେ ୭୦ଟି ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମତ୍ସ୍ୟଚାଷ କ୍ଷେତ୍ରର ଗୁଣବତ୍ତା, ମାନକୀକରଣ ଏବଂ କ୍ଷମତା ନିର୍ମାଣ ସୁନିଶ୍ଚିତ କରିବା ପାଇଁ ଆଇସିଏଆର ତାଲିମ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି। ସେହିପରି ବିହନ ପ୍ରମାଣୀକରଣ ଏବଂ ହ୍ୟାଚେରୀ କାର୍ଯ୍ୟ ଉପରେ ମାର୍ଗଦର୍ଶିକା ଉନ୍ମୋଚନ ସମେତ ପ୍ରମୁଖ୍ ମତ୍ସ୍ୟଚାଷ ପଦକ୍ଷେପର ଏକ ଶୃଙ୍ଖଳା ଆରମ୍ଭ କରିଛନ୍ତି।
ଏହି ଅବସରରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ.ପି. ସିଂ ବାଘେଲ୍, ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଏବଂ ସଂଖ୍ୟାଲ୍ଘୁ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଜର୍ଜ କୁରିୟନ, ଓଡ଼ିଶା ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅତିଥିମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ବୈଜ୍ଞାନିକ, ମାଛ ଚାଷୀ ଓ ଉଦ୍ୟୋଗୀଙ୍କ ସହ ମତ ବିନିମୟ କରିଥିଲେ।