କୋଣାର୍କ,୮।୧୨ କୋଣାର୍କ ଅର୍ବାନ ହାଟ ପରିସରରେ ସୋମବାର ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହସ୍ତଶିଳ୍ପ ସପ୍ତାହକୁ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହାକୁ ଉତ୍ସବରେ ସୀମିତ ନରଖି ଆନ୍ଦୋଳନରେ ପରିଣତ କରିବା ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀବଳ ସାମନ୍ତ । ଅନ୍ୟତମ ଅତିଥି ଭାବେ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗଦେଇ ଆମ ହସ୍ତଶିଳ୍ପୀଙ୍କ ଦକ୍ଷତା ଅନନ୍ୟ। ହସ୍ତଶିଳ୍ପୀ ମାନଙ୍କ କଳାର ପ୍ରଦର୍ଶନ ପାଇଁ ଏକାମ୍ର ହାଟ, ନିଳାଚଳ ହାଟ ଓ କୋଣାର୍କ ଅର୍ବାନ ହାଟର ବ୍ୟବସ୍ଥା ହୋଇଛି। ଏହାକୁ ଦୀର୍ଘସ୍ଥାୟୀ ଭିତ୍ତିରେ କରିବା ଆବଶ୍ୟକତା ରହିଛି ଯାହାକୁ ବିଭାଗ ପରିବ୍ୟାପ୍ତ କରୁଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସିଡାକର ସଦସ୍ୟ ସଚିବ ସୁବ୍ରତ କୁମାର ବେହେରା, ଉତ୍କଳିକାର ଏମଡି ମମତା ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ୬୭ଟି ଷ୍ଟଲ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହସ୍ତଶିଳ୍ପୀ ମାନେ ସେମାନଙ୍କ ସମୃଦ୍ଧ କଳାକୁ ଏଠାରେ ପ୍ରଦର୍ଶନ ଓ ବିକ୍ରୟର ବ୍ୟବସ୍ଥା କରାଯାଇଛି। ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ବିଷ୍ଣୁ ପଦ ମାରାଣ୍ଡି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୃତ୍ୟୁଞ୍ଜୟ ରଥ ସଂଚାଳନ କରିଥିଲେ। ହସ୍ତଶିଳ୍ପ ନିର୍ଦ୍ଦେଶକ ଡଃ ନିବେଦିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।