ନୂଆଦିଲ୍ଲୀ - ନ୍ୟାସନାଲ ହେରାଲ୍ଡ କେସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାର ଦିନ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ କେସ୍‌ରେ, କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିଛି। ଉକ୍ତ ଚାର୍ଜସିଟ୍‌ରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଓ ସୁମନ ଦୁବେଙ୍କ ନାଁ ମଧ୍ୟ ଅଭିଯୁକ୍ତ ଭାବେ ଉଲ୍ଲେଖ କରାଯାଇଛି। 

ଚାର୍ଜସିଟ୍‌ ୯ ଅପ୍ରେଲରେ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇ ଥିଲା, ଯାହାକୁ ସ୍ପେଶାଲ ଜଜ୍‌ ବିଶାଲ ଗୋଗନି ବିଚାର ପଏଣ୍ଟରେ ଯାଞ୍ଚ କରିଥିଲେ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ୨୫ ଅପ୍ରେଲ ୨୦୨୫ର ତାରିଖ ଧାର୍ଯ୍ୟ କରିଛନ୍ତି। 

ବିଚାରପତି ନିଜର ଆଦେଶରେ କହିଛନ୍ତି , ‘ ଉପସ୍ଥାପିତ ପବ୍ଲିକ୍‌ ପ୍ରସିକ୍ୟୁସନ ଅଭିଯୋଗକୁ ୨୫ ଅପ୍ରେଲରେ ବିଚାର ପାଇଁ ନିଆଯିବ। ସେହି ଦିନ ଇଡିର ସ୍ୱତନ୍ତ୍ର ଓକିଲ ଓ ତଦନ୍ତ ଅଧିକାରୀଙ୍କୁ କେସ୍‌ ଡାଏରୀ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ ହେବ, ଯାହାକି କୋର୍ଟ ଏହାକୁ ଦେଖି ପାରିବେ। '

ଏହି କେସ୍‌ରେ ଅଭିଯୋଗ ରହିଛି କି, ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍‌ ଲିମିଟେଡ୍‌ ମାଧ୍ୟମରେ ଗାନ୍ଧୀ ପରିବାର ଆସୋସିଏଟେଡ୍‌ ଜର୍ନାଲ୍ସ ଲିମିଟେଡ୍‌ (ଏଜେଏଲ୍‌)ର କୋଟି କୋଟି ସଂପତ୍ତି ଜାଲିଆତି କରି କବଜା କରି ନେଇଛନ୍ତି। ୟଙ୍ଗ ଇଣ୍ଡିଆନରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ୩୮-୩୮ ପ୍ରତିଶତ ଅଂଶଧନ ରହିଛି। ଏଜେଏଲ ସେହି କମ୍ପାନୀ ଯାହା ପୂର୍ବରୁ ନ୍ୟାସନାଲ ହେରାଲ୍ଡ ଖବର କାଗଜ ପ୍ରକାଶ କରୁଥିଲା। 

ଇଡି ସଦ୍ୟ ଏହି କେସ୍‌ ଅନୁସାରେ ,୬୬୧ କୋଟି ଟଙ୍କାର ସଂପତ୍ତି ଜବତ କରିବାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଦିଲ୍ଲୀ , ମୁମ୍ୱାଇ ଓ ଲକ୍ଷ୍ନୌ ସ୍ଥିତ ଏହି ପ୍ରପର୍ଟିଜ୍‌କୁ କବଜାରେ ନେବା ପାଇଁ ସଂପୃକ୍ତ ରେଜିଷ୍ଟ୍ରାରମାନଙ୍କୁ ନୋଟିସ୍‌ ଜାରି କରାଯାଇଛି।