ନୂଆଦିଲ୍ଲୀ ୧୩/୧୦: ବେଳେବେଳେ ଶରୀରରେ ଛୋଟ ଛୋଟ ଦାଗ ବା ପାଣି ଫୋଟକା ପରି କିଛି ଦେଖାଯାଏ। ଆମେ ଏହାକୁ ସାମାନ୍ୟ ଆଲର୍ଜି ଭାବି ଅଣଦେଖା କରିଥାଉ। ଠିକ୍‌ ସମୟରେ ଏହାକୁ ଚିହ୍ନଟ ନକଲେ, ଏହା ଏକ ବିପଜ୍ଜନକ ରୂପ ନେଇପାରେ। ଶରୀରରେ ଦେଖାଯାଉଥିବା ଏହି ପାଣି ଫୋଟକା ହର୍ପିସ୍ ର ଲକ୍ଷଣ ହୋଇପାରେ।  ଏହା ଏପରି ଏକ ରୋଗ ଯାହା  ଶରୀରର ଅନ୍ୟ ଅଂଶକୁ ବ୍ୟାପିପାରେ ଏବଂ ତାହାର ଆକାର ମଧ୍ୟ ବଢିଥାଏ ।

ହର୍ପିସ୍ ଏକ ସଂକ୍ରାମକ ରୋଗ। ତେଣୁ ଏହାଠାରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।  ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହି ରୋଗ ବିପଜ୍ଜନକ ହୋଇପାରେ । ଭାରିସେଲା ଜୋଷ୍ଟର ଜୀବାଣୁ ଦ୍ୱାରା ହର୍ପିସ୍ ହୋଇଥାଏ। ଏହାର ଭାଇରସ୍ ସେହି ଲୋକମାନଙ୍କୁ ଅଧିକ ପ୍ରଭାବିତ କରିଥାଏ, ଯେଉଁମାନଙ୍କୁ ପୂର୍ବରୁ ଚିକେନ୍ ପକ୍ସ ବା ହାଡପୁଟି ହୋଇଥାଏ। ଯଦି ଆପଣଙ୍କ ଶରୀରରେ ଚିକେନ୍ ପକ୍ସ ଭାଇରସ୍ ଥାଏ ତେବେ ହର୍ପିସ୍ ରୋଗ ହୋଇପାରେ । ଏହି ରୋଗର ସଂକ୍ରମଣ ସାଧାରଣତଃ ପାଟି କିମ୍ବା ଯୌନାଙ୍ଗରେ ହୋଇଥାଏ ।

ଏହା ଏତେ ବିପଜ୍ଜନକ ଯେ ଯଦି ଏହା ଶରୀରର କୌଣସି ସ୍ଥାନରେ ହୋଇଯାଏ, ପୁରା ଶରୀରରେ ବ୍ୟାପିବାର ଆଶଙ୍କା ଥାଏ । ଯଦି ଶରୀରରେ ପାଣି ଫୋଟକା ପରି କିଛି ଦେଖାଯାଏ, ତାହାକୁ ଆଦୌ ଫୁଟାନ୍ତୁ ନାହିଁ କିମ୍ବା ବାରମ୍ବାର ହାତରେ ସ୍ପର୍ଶ କରନ୍ତୁ ନାହିଁ । ଡାକ୍ତରଙ୍କ ଅନୁଯାୟୀ ଏହି ଫଟୋକା ଫାଟିଯିବା ଦ୍ୱାରା ସେଥିରୁ ନିର୍ଗତ ତରଳ ଶରୀରର ଅନ୍ୟ ଅଂଶରେ କିମ୍ବା ପୋଷାକରେ ମଧ୍ୟ ଲାଗିପାରେ।ଯେଉଁଥିପାଇଁ ଶରୀରରେ ବିସ୍ତାର ହେବାର ଭୟ ରହିଥାଏ। ଏପରିକି ହର୍ପିସ୍ ରୋଗୀଙ୍କ ପୋଷାକ, ବାସନ ଏବଂ ଅନ୍ୟାନ୍ୟ ସାଧାରଣ ଜିନିଷକୁ ମଧ୍ୟ ଅଲଗା ରଖିବା ଉଚିତ୍ ।

ହର୍ପିସ୍ ରୋଗର ଲକ୍ଷଣ :

ହର୍ପିସ୍ ରୋଗରେ ପ୍ରଥମେ ଆପଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଲାଲ ରଙ୍ଗର ଦାଗ ଦେଖାଯାଏ । ଶରୀରରେ ଯନ୍ତ୍ରଣା ଅନୁଭବ ହୁଏ।ପରେ ଏହି ଲାଲ ଦାଗ ପାଣିରେ ଭରିଯାଏ। ଏହା ବ୍ୟତୀତ ଗଣ୍ଠି ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ଥକାପଣ ମଧ୍ୟ ହୋଇପାରେ। ଯଦି ଆପଣ ଏହି ସମସ୍ତ ଲକ୍ଷଣ ଅନୁଭବ କରୁଛନ୍ତି, ତେବେ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।