ନୂଆଦିଲ୍ଲୀ, ୨୫।୯: ଭାରତୀୟ ବାୟୁସେନାର ୩୬ଟି ମିଗ୍-୨୧ ବିମାନ ଅବସର ନେବାକୁ ଯାଉଛି । ଫଳରେ ଭାରତର ସ୍କ୍ୱାର୍ଡନ୍ ସଂଖ୍ୟା ପ୍ରାୟ ୨୯କୁ ହ୍ରାସ ପାଇବ । କ୍ଷତିପୂରଣ ଦେବା ପାଇଁ, ଆଇଏଏଫ୍ ସବୁଠାରୁ ବଡ଼ ଏବଂ ଐତିହାସିକ ପ୍ରତିରକ୍ଷା ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ଯାଉଛି । ଭାରତୀୟ ବାୟୁସେନା ଏହାର ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ୯୭ଟି ତେଜସ୍ Mk1A ଜେଟ୍ ପାଇଁ HALକୁ ଏକ ଅନୁରୋଧ ପ୍ରସ୍ତାବ ପଠାଇଛି । ଏହି ଚୁକ୍ତିର ମୂଲ୍ୟ ୬୬, ୫୦୦ କୋଟି ହେବ ବୋଲି ଆକଳନ କରାଯାଉଛି । ଏହି ଚୁକ୍ତିର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତୀୟ ବାୟୁସେନାର ପୁରୁଣା ମିଗ୍-୨୧ ଏବଂ ଅନ୍ୟାନ୍ୟ ଲଢ଼ୁଆ ବିମାନକୁ ବଦଳାଇବା, ଯାହା ଦ୍ୱାରା ବାୟୁସେନାର କାର୍ଯ୍ୟକ୍ଷମ ପ୍ରସ୍ତୁତି ବୃଦ୍ଧି ପାଇବ ।
୨୦୨୧ ମସିହାର ପୂର୍ବ ଅର୍ଡର ଅନୁଯାୟୀ, ଆଇଏଏଫ୍ ଏପର୍ଯ୍ୟନ୍ତ ଗୋଟିଏ ବି ତେଜସ୍ Mk1A ଜେଟ୍ ପାଇନାହିଁ । ବାୟୁସେନା କହିଛି ଯେ, ପୂର୍ବ ଅର୍ଡରର ବିତରଣ ଆରମ୍ଭ ହେବା ଏବଂ HAL ଗୁଣବତ୍ତା ଏବଂ ସମୟାନୁବର୍ତ୍ତୀତା ସ୍ଥାପନ କରିବା ପରେ ହିଁ ଏହା ନୂତନ ଚୁକ୍ତିରେ ସ୍ୱାକ୍ଷର କରିବ । ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି ଯେ, ସଫଳ କ୍ଷେପଣାସ୍ତ୍ର ଏବଂ ବୋମା ପରୀକ୍ଷଣ ପରେ ହିଁ ନୂତନ ବିମାନ ଗ୍ରହଣ କରାଯିବ । HAL କହିଛି ଯେ, ଇଞ୍ଜିନ ଯୋଗାଣ ବର୍ତ୍ତମାନ ସ୍ଥିର ହୋଇଛି ଏବଂ ଏହା ଅକ୍ଟୋବରରେ ପ୍ରଥମ ଦୁଇଟି ଜେଟ୍ ପ୍ରଦାନ କରିବାକୁ ଆଶା କରୁଛି ।
ମିଗ୍-୨୧ର ସ୍ଥାନ ନେବ ତେଜସ୍ Mk1A
ମିଗ୍-୨୧ ବିମାନର ଦୁର୍ବଳ ସୁରକ୍ଷା ରେକର୍ଡ ଯୋଗୁଁ ଏହା "ଉଡ଼ନ୍ତା କଫିନ୍" ଭାବରେ ଜଣାଶୁଣା ଥିଲା । ସେଗୁଡ଼ିକୁ ଜେତଜସ୍ Mk1A ଦ୍ୱାରା ବଦଳାଯିବ, ଯାହା ଖୁବ୍ ଉନ୍ନତ । ନୂତନ ତେଜସ୍ ଜେଟ୍ଗୁଡ଼ିକରେ ଉନ୍ନତ ଏଭିଓନିକ୍ସ, ଅତ୍ୟାଧୁନିକ AESA ରାଡାର ଏବଂ ଏକ ଇଲେକ୍ଟ୍ରୋନିକ୍ ଯୁଦ୍ଧ ସୁଟ୍ ରହିବ । ଯାହା ଚୀନ୍ ଏବଂ ପାକିସ୍ତାନୀ ଯୁଦ୍ଧ ବିମାନର ମୁକାବିଲା କରିବା ପାଇଁ ଡିଜାଇନ୍ ହେବ । ଏହି ଚୁକ୍ତି ଭାରତୀୟ ବାୟୁସେନା ଶକ୍ତିକୁ ସୁଦୃଢ଼ କରିବ ।