ଭୁବନେଶ୍ୱର,୧୩/୦୨ : କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହଯୋଗରେ ଏବଂ ଏଏଫ୍ଆଇ (ଭାରତୀୟ ଆଥଲେଟିକ୍ସ ସଂଘ) ଆନୁକୂଲ୍ୟରେ ଆୟୋଜିତ ହେବ ଏହି ପ୍ରତିଯୋଗିତା ।
ପୁରୁଷ, ମହିଳା, ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳାରେ ମୋଟ୍ ୩୬ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆଥଲେଟମାନେ ଭାଗ ନେବେ । କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦେଶର ପ୍ରଥମ ଇନ୍ଡୋର ଆଥଲେଟିକ୍ସ କେନ୍ଦ୍ର । ଆଗକୁ ୨୦୨୮ରେ ଏସିଆନ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଏଠାରେ ଆୟୋଜିତ ହୋଇପାରେ । ଏହି ଚାମ୍ପିଅନସିପ୍ ଆୟୋଜନ ନେଇ ଭାରତ ବିଡ୍ ଦାଖଲ କରିଛି ।
ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଅନରେ ପୁରୁଷ ଓ ମହିଳାରେ ୬୦ ମିଟର, ୪୦୦ ମିଟର, ୮୦୦ ମିଟର, ୧୫୦୦ ମିଟର, ୩୦୦୦ ମିଟର, ୬୦ ମିଟର ହର୍ଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ ଓ ଟ୍ରିପଲ ଜମ୍ପ ଏବଂ ୨୦ ବର୍ଷରୁ କମ୍ ପୁରୁଷ ଓ ମହିଳାରେ ୬୦ ମିଟର, ୪୦୦ ମିଟର, ୮୦୦ ମିଟର, ୩୦୦୦ ମିଟର, ହାଇଜମ୍ପ, ଲଙ୍ଗ ଜମ୍ପ ଓ ସଟ୍ଫୁଟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
ଅଧିକ ପଢ଼ନ୍ତୁ :- କ୍ରିକ୍ ଇନ୍ଫୋ ବାର୍ଷିକ ପୁରସ୍କାର; ମହିଳାରେ ପୁରସ୍କାର ପୋଛି ନେଲେ ଭାରତୀୟ
ମୁଁ ଉତ୍ସାହିତ: ଶ୍ରାବଣୀ ଅଲିମ୍ପିଆନ ଶ୍ରାବଣୀ ନନ୍ଦ କହିଛନ୍ତି, ‘ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜିତ ହେବାକୁ ଯାଉଛି । ଯାହାକୁ ନେଇ ମୁଁ ବହୁତ ଉତ୍ସାହିତ ରହିଛି । ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଆଗକୁ ଏସିଆନ ଓ ବିଶ୍ୱ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଅଂଶ ଗ୍ରହଣ କରିବେ ସେମାନଙ୍କ ପାଇଁ ଏହି ପ୍ରତିଯୋଗିତା ଏକ ବଡ଼ ସୁଯୋଗ ଆଣି ଦେଇଛି । ଦର୍ଶକ ଓ/ କ୍ରୀଡ଼ାପ୍ରେମୀମାନଙ୍କୁ ମୋର ଅନୁରୋଧ ଷ୍ଟାଡିୟମ ଆସି ଆଥଲେଟମାନଙ୍କୁ ଉତ୍ସାହିତ କରନ୍ତୁ।’
କଳିଙ୍ଗରେ ଏସିଆନ ଇନ୍ଡୋର ଆଥଲେଟିକ୍ସ! ଏସିଆନ ଇନ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ର ୨୦୨୮ ସଂସ୍କରଣ ଆୟୋଜନ ନେଇ ଭାରତ ବିଡ୍ ଦାଖଲ କରିଛି । ଯଦି ଭାରତ ଆୟୋଜନ ଅଧିକାର ହାସଲ କରେ ତେବେ ଏହା କଳିଙ୍ଗ ଷ୍ଟାଡିୟମ ଇନ୍ଡୋର ଆଥଲେଟିକ୍ସ କେନ୍ଦ୍ରରେ ଆୟୋଜିତ ହେବ । ନିକଟରେ ଏସିଆନ ଆଥଲେଟିକ୍ସ ସଂଘ (ଏଏଏ) ର ନିର୍ଦ୍ଦେଶକ ଚୁଡିକୋଟା ଭାଲସନ, ସମ୍ପାଦକ ଏ. ସୁଗୁମରାନ ଏବଂ ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍ଆଇ)ର କୋଷାଧ୍ୟକ୍ଷ ବି.ଇ ଷ୍ଟାନଲେଙ୍କୁ ନେଇ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଆସିଥିଲେ । ଏହି ପ୍ରତିନିଧି ଦଳ କ୍ରୀଡ଼ା ବିଭାଗ ସଚିବ ଭୂପେନ୍ଦ୍ର ସିଂ ପୁନିଆଙ୍କ ସହ ଆଲୋଚନା କରିବା ପରେ ଇନ୍ଡୋର ଆଥଲେଟିକ୍ସ କେନ୍ଦ୍ର ବୁଲି ଦେଖିଥିଲେ । ସୂଚନା ଅନୁସାରେ, ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖୁବ ଶୀଘ୍ର ରାଜ୍ୟ ଦଳ ମଧ୍ୟ ଘୋଷଣା ହେବାକୁ ଯାଉଛି ।