ନୂଆଦିଲ୍ଲୀ,୦୨/୦୬: ଭାରତୀୟ ନୌସେନାକୁ ଆହୁରି ବଳ ମିଳିଛି । ଆଧୁନିକ ଷ୍ଟିଲ୍‌ଥ ଯୁଦ୍ଧପୋତ ଆଇଏନ୍‌ଏସ୍‌ ଉଦୟଗିରି ଓ ତମାଲ ମଙ୍ଗଳବାର ନୌସେନାରେ ସାମିଲ ହୋଇଛି । ମୁମ୍ବାଇର ମାଜଗାଓଁ  ଡକୟାର୍ଡରେ ଆଇଏନ୍‌ଏସ୍‌ ଉଦୟଗିରିକୁ ବିଧିବଦ୍ଧ  ଭାବେ ନୌସେନାରେ ସାମିଲ କରାଯାଇଥିଲା ବେଳେ ଆଇଏନ୍‌ଏସ୍‌ ତମାଲକୁ ରୁଷର କାଲିନିନଗାର୍ଡରେ  ନୌସେନାକୁ ହସ୍ତାନ୍ତର କରାଯାଇଛି ।

ଆଇଏନ୍‌ଏସ୍‌ ଉଦୟଗିରି ହେଉଛି ପ୍ରୋଜେକ୍ଟ  ୧୭-ଏ ଅନ୍ତର୍ଗତ ଦ୍ୱିତୀୟ ଷ୍ଟିଲ୍‌ଥ ଯୁଦ୍ଧ ଜାହାଜ । ଦୀର୍ଘ  ୩୦ ବର୍ଷ ଧରି ନୌସେନାରେ କାର୍ଯ୍ୟ କରିବା ପରେ  ୨୦୦୭ରେ ଉଦୟଗିରି ଯୁଦ୍ଧପୋତକୁ ସେବାନିବୃତ୍ତ  କରାଯାଇଥିଲା । ତେବେ ସେହି ନାମରେ ଏକ ନୂଆ  ଯୁଦ୍ଧପୋତ ନିର୍ମାଣ ଆରମ୍ଭ ହୋଇଥିଲା । ମାତ୍ର ୩୭  ମାସ ଭିତରେ ଆଇଏନ୍‌ଏସ୍‌ ଉଦୟଗିରିର ନିର୍ମାଣ  ଶେଷ ହୋଇ ନୌସେନାକୁ ହସ୍ତାନ୍ତର କରାଯାଇଛି ।  ଏଥିରେ ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ଜ୍ଞାନକୌଶଳ  ଓ ଉପକରଣ ବ୍ୟବହାର କରାଯାଇଛି । ଏଥିରେ ଜାହାଜ  ବିଧ୍ୱଂସୀ ସୁପରସୋନିକ ମିସାଇଲ, ମଧ୍ୟମ ଦୂରଗାମୀ  ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇପାରୁଥିବା  ମିସାଇଲ ସିଷ୍ଟମ, ୭୬ ମି.ମି. ଗନ୍‌, ମଲ୍ଟିପୁଲ  କ୍ଲୋଜ୍‌-ଇନ ୱିପନ ସିଷ୍ଟମ ଆଦି ମୁତୟନ କରାଯିବ ।  ଯାହାଫଳରେ ଉଭୟ ଜଳ ଓ ସ୍ଥଳ ପକ୍ଷରେ ଶତ୍ରୁର  ମୁକାବିଲା କରାଯାଇପାରିବ । 

ରୁଷ ଠାରୁ ମିଳିଥିବା ଅଷ୍ଟମ ତଥା ତୁସିଲ ଶ୍ରେଣୀର  ଦ୍ୱିତୀୟ ଯୁଦ୍ଧପୋତ ହେଉଛି ଆଇଏନ୍‌ଏସ୍‌ ତମାଲ ।  ୨୦୧୬ରେ ଭାରତ ଓ ରୁଷ ମଧ୍ୟରେ ହୋଇଥିବା  ପ୍ରତିରକ୍ଷା ବୁଝାମଣାର ଏହା ଅଂଶବିଶେଷ । ଏହି  ବୁଝାମଣା ଅନୁସାରେ ରୁଷରେ ୪ଟି ତଲୱାର ଶ୍ରେଣୀର  ଷ୍ଟିଲଥ ଯୁଦ୍ଧପୋତ ନିର୍ମାଣ କରାଯାଉଛି । ସେଥିରୁ ୨ଟି  ରୁଷର ୟନ୍ତର ଓ ଅନ୍ୟ ୨ଟି ଗୋଆର ସିପୟାର୍ଡରେ  ନିର୍ମିତ ହେଉଛି । ଭାରତୀୟ ବିଶେଷଜ୍ଞଙ୍କ ତଦାରଖରେ  ରୁଷର ୟନ୍ତର ସିପୟାର୍ଡରେ ଆଇଏନ୍‌ଏସ୍‌ ତମାଲ  ନିର୍ମାଣ କରାଯାଇଛି । ଏଥିରେ ୨୬ ପ୍ରତିଶତ  ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ ହୋଇଛି । ଏହି  ଯୁଦ୍ଧପୋତ ଘଣ୍ଟା ପ୍ରତି ୫୫ କି.ମି. ବେଗରେ ଗତି  କରିପାରିବ । ସମୁଦ୍ର ଭିତରେ ଓ ଆକାଶ ମାର୍ଗରେ  ଏହା ଲକ୍ଷ୍ୟଭେଦ କରିପାରିବ । ଏଥିରେ ବ୍ରହ୍ମୋସ  ମିସାଇଲ ନିୟୋଜିତ କରାଯାଇଛି ଏବଂ ଏହା ରାଡାର  ନଜରକୁ ଏଡାଇପାରିବ । ନୌସେନାର ପଶ୍ଚିମ ଫ୍ଲିଟ୍‌ରେ  ଏହାକୁ ସାମିଲ କରାଯିବ । ଯାହା ପାକିସ୍ତାନ ଉପରେ  କଡା ନଜର ରଖିବ । ପୁରାଣ ବର୍ଣ୍ଣିତ ଇନ୍ଦ୍ରଙ୍କ ଅସ୍ତ୍ର  ତମାଲର ନାମ ଅନୁସାରେ ଏହି ଯୁଦ୍ଧପୋତର  ନାମକରଣ ହୋଇଛି ।