• କଣ୍ଢେଇ ନାଟ ଏକ ଜୀବନ୍ତ ସଂସ୍କୃତି
  • ଦୁଇ ଦିନ ଧରି ଭଞ୍ଜକଳା ମଣ୍ଡପରେ ହେବ କଣ୍ଢେଇ ନାଟ ଉତ୍ସବ
  • ଅଂଶଗ୍ରହଣ କରିଛନ୍ତି ୧୩ କଣ୍ଢେଇ ନାଟ ଦଳ

ଭୁବନେଶ୍ୱର,୧୮ ।୧୨  : ଓଡ଼ିଶାର ପୁରପଲ୍ଲୀରେ କଣ୍ଢେଇ ନାଟ ଏକ ଜୀବନ୍ତ ସଂସ୍କୃତି। ଜାତୀୟ କଣ୍ଢେଇ ନାଟ ଉତ୍ସବର ଆୟୋଜନ ଦ୍ୱାରା କଣ୍ଢେଇ ନାଟର ବହୁଳ ପ୍ରଚାର ଓ ପ୍ରସାର ହେବା ସହ ଆଜିର ଯୁବପିଢ଼ି ମଧ୍ୟ ଆମ ସମୃଦ୍ଧ ସଂସ୍କୃତି ସମ୍ବନ୍ଧରେ ଅବଗତ ହୋଇପାରିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା ବିଜୟ କେତନ ଉପାଧ୍ୟାୟ ଜାତୀୟ କଣ୍ଢେଇ ନାଟ ଉତ୍ସବ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି।

 ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ ଭାରତ ବର୍ଷର ବିଭିନ୍ନ ରାଜ୍ୟର କଣ୍ଡେଇ ନାଟ ପରମ୍ପରା ଉପରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ବିଶିଷ୍ଟ ଅଭିନେତା ହରିହର ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ କଳାକାରମାନଙ୍କର ଉତ୍ସାହିତ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ଖମାରସ୍ଥ ଶ୍ରୀରାମ ଛାୟାନାଟକ ଗବେଷଣା ତରଫରୁ  “ବନ୍ଦେ ମାତରମ” ପରିବେଷଣ କରାଯାଇଥିଲା । ଏହାପରେ ପରମେଶ୍ୱର ସିଂ, କେନ୍ଦ୍ରାପଡ଼ା, ଜଗବନ୍ଧୁ ବେହେରା, ଭଞ୍ଜ ନଗର, ଗୌରାଙ୍ଗ ଚରଣ ଦାସ, ଅନୁଗୋଳ, ଚକ୍ରଧର ପରିଡ଼ା, କେନ୍ଦୁଝର ଯଥାକ୍ରମେ ସଖୀ କଣ୍ଢେଇ ନାଟ, ଗୋପଲୀଳା କଣ୍ଢେଇ ନାଟ, ରାବଣଛାୟା, ରାମଲୀଳା କଣ୍ଢେଇ ନାଟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ପଶ୍ଚିମବଙ୍ଗର ଚବିଶ ପ୍ରଗଣ ଅମରେନ୍ଦ୍ରନାଥ ନସ୍କରଙ୍କ ସମକାଳୀନ କଣ୍ଡେଇ ନାଟ ଏବଂ କର୍ଣ୍ଣାଟର ଗୁଣ୍ଡୁରାଜୁଙ୍କ ଛାୟାନାଟକ ପରିବେଷଣ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

​​​​​​​

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ହେଉଛି ଜାତୀୟ କଣ୍ଢେଇ ନାଟ ଉତ୍ସବ। ଡିସେମ୍ବର ୧୮ ଓ ୧୯ ତାରିଖ ଦୁଇ ଦିନ ଧରି ଭଞ୍ଜକଳା ମଣ୍ଡପ ଠାରେ ଏହି କଣ୍ଢେଇ ନାଟ ଉତ୍ସବର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଆଠଗୋଟି ଓ ଭାରତବର୍ଷର କେରଳ, କର୍ଣ୍ଣାଟକ, ରାଜସ୍ଥାନ ଓ ପଶ୍ଚମବଙ୍ଗ ରାଜ୍ୟର ପାଞ୍ଚଗୋଟି କଣ୍ଢେଇ ନାଟ ଦଳ ଅଂଶଗ୍ରହଣ କରିଛନ୍ତି।