ନୂଆଦିଲ୍ଲୀ,୧୮।୮: ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ଆଲୋଚନା ବିଷୟରେ ଫୋନ୍ରେ ଦୁଇ ନେତା ଚର୍ଚ୍ଚା କରିଥିଲେ। ଏହି ସମୟରେ ପୁଟିନଙ୍କୁ ମୋଦି କହିଛନ୍ତି, ୟୁକ୍ରେନ୍ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଭାବରେ ହେଉ। ଭାରତ ସବୁବେଳେ ଶାନ୍ତିର ସପକ୍ଷରେ ରହିଛି।
ପୁଟିନଙ୍କ ସହ କଥା ହେବା ପରେ, ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି। ମୋଦି କହିଛନ୍ତି, ‘ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଫୋନ କଲ୍ ପାଇଁ ଏବଂ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ଧନ୍ୟବାଦ। ଭାରତ ସବୁବେଳେ ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ କରିଆସୁଛି । ଏହି କ୍ଷେତ୍ରରେ ସମସ୍ତ ପ୍ରୟାସକୁ ସମର୍ଥନ କରୁଛି। ଆଗାମୀ ଦିନରେ ଆମର ନିରନ୍ତର ସୂଚନା ଆଦାନପ୍ରଦାନ ପାଇଁ ମୁଁ ଅପେକ୍ଷା କରିଛି’।
ଉଲ୍ଲେଖନୀୟ ଯେ, ଅଗଷ୍ଟ ୧୫ ତାରିଖରେ ୟୁକ୍ରେନ ଯୁଦ୍ଧ ସମେତ ଅନେକ ପ୍ରସଙ୍ଗରେ ଆଲାସ୍କାରେ ପୁଟିନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତଥାପି, ଏହି ଆଲୋଚନାରେ ଯୁଦ୍ଧ ବିଷୟରେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯାଇ ନଥିଲା। ଅନ୍ୟପକ୍ଷ, ସୋମବାର ରାତିରେ (ଭାରତୀୟ ସମୟ) ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।