ନୂଆଦିଲ୍ଲୀ: ମଣିପୁରରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ବିଜେପି ନେତୃତ୍ୱାଧୀନ ମଣିପୁର ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ଦାବି କରାଯାଉଛି ଯେ, ରାଜ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଅଶାନ୍ତି ପାଇଁ ଏନପିପି ବିଜେପି ସରକାରଙ୍କୁ ଦାୟୀ କରିଛି । ମୁଖ୍ୟମନ୍ତ୍ରୀ ବିରେନ ସିଂ ରାଜ୍ୟର ବିଶୃଙ୍ଖଳିତ ପରିସ୍ଥିତିକୁ ସୁଧାରିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ଏହି ପରିପ୍ରେକ୍ଷୀରେ ଏନପିପି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ଏକ ଚିଠି ଲେଖିଛି । ତେବେ ଏନପିପି ସମର୍ଥନ ପ୍ରତ୍ୟାହାର କରିବା ଦ୍ବାରା ରାଜ୍ୟ ସରକାରଙ୍କ ଅସ୍ତିତ୍ୱ ପ୍ରତି କୌଣସି ବିପଦ ନାହିଁ।
ଏନପିପି ଏହାର ଚିଠିରେ କହିଛି ଯେ, ଶ୍ରୀ ବିରେନ ସିଂଙ୍କ ନେତୃତ୍ୱରେ ମଣିପୁର ରାଜ୍ୟ ସରକାର ସଙ୍କଟର ସମାଧାନ ତଥା ସ୍ୱାଭାବିକତା ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ରାଜ୍ୟରେ ବିରେନ ସିଂଙ୍କ ନେତୃତ୍ୱାଧୀନ ସରକାରକୁ ସମର୍ଥନ ପ୍ରତ୍ୟାହାର କରିବାକୁ ନ୍ୟାସନାଲ ପିପୁଲ୍ସ ପାର୍ଟି ନିଷ୍ପତ୍ତି ନେଇଛି।
ଉତ୍ତର-ପୂର୍ବ ରାଜ୍ୟରେ ଏକ ପ୍ରମୁଖ ସହଯୋଗୀ ହରାଇବା ସତ୍ତ୍ୱେ ବିଜେପି ସରକାର ସ୍ଥିର ରହିବାର ସମ୍ଭାବନା ଥିବାରୁ ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ଆଶ୍ବସ୍ତିକର ସଂଖ୍ୟା ଗରିଷ୍ଠତା ରହିଛି। ବର୍ତ୍ତମାନ ବିଜେପି ପାଖରେ ୩୭ ଟି ଆସନ ଅଛି, ଯାହାକି ମ୍ୟାଜିକ ନମ୍ବରରୁ ଅଧିକ । ଏଥିରେ ଜନତା ଦଳ (ୟୁନାଇଟେଡ୍) ର ପାଞ୍ଚ ଜଣ ବିଧାୟକ ଅଛନ୍ତି ଯେଉଁମାନେ ୨୦୨୨ ଶେଷରେ ବିଜେପିରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ)ର ୫ ଜଣ ବିଧାୟକ, ଜଣେ ଜେଡି (ୟୁ) ବିଧାୟକ ଏବଂ ତିନି ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି।
ଅନ୍ୟପକ୍ଷରେ ମଣିପୁରର ପରିସ୍ଥିତି ସମ୍ପର୍କରେ ଦିଲ୍ଲୀରେ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ଅମିତ ଶାହା ମଣିପୁରର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହା ବ୍ୟତୀତ ଆସନ୍ତାକାଲି ସେ ଏହି ପ୍ରସଙ୍ଗରେ ବିସ୍ତୃତ ବୈଠକ କରିବେ ।