ଭୁବନେଶ୍ୱର,୧୭/୦୨: ଦିବ୍ୟାଙ୍ଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଭୁବନେଶ୍ୱରରେ ହେବାକୁ ଯାଉଛି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର  ମହୋତ୍ସବ ତଥା ପ୍ରତିଯୋଗିତା । ଓଡ଼ିଶା ସରକାରଙ୍କ ସାମାଜିକ  ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭୁବନେଶ୍ୱରରେ ଏହା  କରିବାକୁ ମନସ୍ଥ କରିଛନ୍ତି। ଏହି ଚଳଚ୍ଚିତ୍ର ମହୋତ୍ସବର ଶୀର୍ଷକ  ରହିଛି "ସାମର୍ଥ୍ୟ’ । ସିନେମାର ଅବଧି ଦୁଇରୁ ପାଞ୍ଚ ମିନିଟ  ପର୍ଯ୍ୟନ୍ତ ରହିବ । ଏ ନେଇ ବିଭାଗ ଓ ଆର୍‌ଆର ଇଭେଣ୍ଟ୍‌ସ  ଆଣ୍ଡ ସିନେ ପ୍ରଡକ୍ସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା  ଦିଆଯାଇଛି । 

ଏଥିରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀ ଆଜିଠାରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ  ଆବେଦନ କରିପାରିବେ । ମାର୍ଚ୍ଚ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ  ଏହାର ଯାଞ୍ଚ କରି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ । ମାର୍ଚ୍ଚ  ୧୯ରେ ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ ଏବଂ ଓଲିଉଡ୍‌ ତାରକାଙ୍କ ସହ ଫିଲ୍ମ, ନିର୍ଦ୍ଦେଶକ, ନାୟକ, ନାୟିକାଙ୍କୁ ପୁରସ୍କାର ବିତରଣ  କରାଯିବ । ବିଭିନ୍ନ ବର୍ଗରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର  ଦିଆଯିବ ବୋଲି ଘୋଷଣା କରାଯାଇଛି ।