ନୂଆଦିଲ୍ଲୀ, ୨୧।୮: ୟୁକ୍ରେନ, ରୁଷ ଉଭୟ ଶତ୍ରୁ ଦେଶ ମଧ୍ୟରେ ଯୁଦ୍ଧର ଅନ୍ତ ପାଇଁ ଦାବି କରୁଛନ୍ତି ଏକାଧିକ ଦେଶ । କିଭ୍ର ସୁରକ୍ଷା ଗ୍ୟାରେଣ୍ଟି ପାଇଁ ନାଟୋ ପ୍ରତିରକ୍ଷା ମୁଖ୍ୟ ବୁଧବାର ଏକ ଭର୍ଚୁଆଲ୍ ବୈଠକ କରିବାକୁ ଯାଉଛନ୍ତି । ଏନେଇ ଜଣେ ବରିଷ୍ଠ ସହଯୋଗୀ ଅଧିକାରୀ ସୂଚନା ଦେଇଛନ୍ତି । ନାଟୋର ସାମରିକ କମିଟିର ଅଧ୍ୟକ୍ଷ ଇଟାଲୀୟ ଆଡମିରାଲ ଗିଉସେପେ କାଭୋ ଡ୍ରାଗୋନ କହିଛନ୍ତି ଯେ, ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ନେତୃତ୍ୱରେ କୂଟନୈତିକ ପ୍ରୟାସ ଆରମ୍ଭ ହେବା ସହ ମିଳିତ ରାଷ୍ଟ୍ରର ୩୨ ଜଣ ପ୍ରତିରକ୍ଷା ମୁଖ୍ୟ ଏକ ଭିଡିଓ କନଫରେନ୍ସିଂ କରିବେ ।
ଡ୍ରାଗନ୍ ସୋସିଆଲ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ନାଟୋର ସର୍ବୋଚ୍ଚ ସହଯୋଗୀ କମାଣ୍ଡର ୟୁରୋପ, ଆମେରିକୀୟ ଜେନେରାଲ ଆଲେକ୍ସସ୍ ଗ୍ରୀଙ୍କେୱିଚ୍ ଆଲୋଚନାରେ ଅଂଶଗ୍ରହଣ କରିବେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଶୁକ୍ରବାର ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ ଏବଂ ସୋମବାର ହ୍ୱାଇଟ୍ ହାଉସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଏବଂ ପ୍ରମୁଖ ୟୁରୋପୀୟ ନେତାଙ୍କୁ ଭେଟିଥିଲେ । ୩ ବର୍ଷରୁ ଅଧିକ ସମୟ ଧରି ରୁଷ ଏହାର ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏବେ ଟ୍ରମ୍ପ, ପୁଟିନ ଏବଂ ଜେଲେନସ୍କିଙ୍କ ପ୍ରୟାସରେ ଏହି ଦୀର୍ଘକାଳୀନ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ, ଏଥିରେ ପ୍ରମୁଖ ପ୍ରତିବନ୍ଧକ ରହିଛି । ଆଗାମୀ ବର୍ଷଗୁଡ଼ିକରେ ରୁଷ ୟୁକ୍ରେନ ଉପରେ ଆଉ ଆକ୍ରମଣ କରିବ ନାହିଁ ବୋଲି ନିଶ୍ଚିତ କରିବାକୁ ରୁଷକୁ କହିଛନ୍ତି ।
ବୁଧବାର ୟୁକ୍ରେନର ୬ଟି ଅଞ୍ଚଳରେ ରୁଷିଆର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ପରେ ଜେଲେନସ୍କି ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି, ଯେ “ସୁରକ୍ଷିତ ଏବଂ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଆମକୁ ଦୃଢ଼ ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ” । ଅନ୍ୟପଟେ କିଭ୍ର ୟୁରୋପୀୟ ସହଯୋଗୀମାନେ ଏପରି ଏକ ଶକ୍ତି ଗଠନ କରିବାକୁ ଚାହୁଁଛନ୍ତି, ଯାହା ଯେକୌଣସି ଶାନ୍ତି ଚୁକ୍ତିକୁ ଅଟକାଇପାରିବ । ୟୁରୋପୀୟ ରାଷ୍ଟ୍ର, ଜାପାନ ଏବଂ ଅଷ୍ଟ୍ରେଲିଆ ସମେତ ୩୦ଟି ଦେଶର ଏକ ମେଣ୍ଟ ଏହି ପଦକ୍ଷେପକୁ ସମର୍ଥନ କରିବାକୁ ସ୍ୱାକ୍ଷର କରିଛି । ସାମରିକ ମୁଖ୍ୟମାନେ ଏହି ସୁରକ୍ଷା ବାହିନୀ କିପରି କାମ କରିପାରିବ ତାହା ଆକଳନ କରୁଛନ୍ତି ।
ତେବେ ଏଥିରେ ଆମେରିକା କେଉଁ ଭୂମିକା ଗ୍ରହଣ କରିପାରେ ତାହା ସ୍ପଷ୍ଟ ନୁହେଁ । ଟ୍ରମ୍ପ ମଙ୍ଗଳବାର ୟୁକ୍ରେନକୁ ସୁରକ୍ଷା ଦେବା ଲାଗି ଆମେରିକୀୟ ସୈନ୍ୟ ପଠାଇବାକୁ ମନା କରିଦେଇଛନ୍ତି । ରୁଷ ବାରମ୍ବାର କହିଆସିଛି ଯେ, ସେ ୟୁକ୍ରେନରେ ନାଟୋ ସୈନ୍ୟଙ୍କୁ ଗ୍ରହଣ କରିବ ନାହିଁ । ୟୁକ୍ରେନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ବୁଧବାର ସୁମି ଏବଂ ଓଡେସାରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣରେ ୧୫ ଜଣ ଆହତ ହୋଇଛନ୍ତି । ସୋମବାର ଟ୍ରମ୍ପ କହିଥିଲେ, ସେ ପୁଟିନ ଏବଂ ଜେଲେନସ୍କିଙ୍କ ମଧ୍ୟରେ ଏକ ମୁହାଁମୁହିଁ ବୈଠକ ଆୟୋଜନ ହେଉ ବୋଲି ଚାହୁଁଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି, ଏହି ଶିଖର ସମ୍ମିଳନୀ ୟୁରୋପରେ ହୋଇପାରେ ଏବଂ ସ୍ୱିଜରଲ୍ୟାଣ୍ଡର ଜେନେଭା ସହରରେ ହେବାକୁ ପ୍ରସ୍ତାବ ଦେଇଛନ୍ତି । ସ୍ୱିଜରଲ୍ୟାଣ୍ଡ ଆୟୋଜକ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛି ।