ନୂଆଦିଲ୍ଲୀ, ୧୫/୦୯: ପୋଲାଣ୍ଡର ଆକାଶରେ ରୁଷ୍ ଡ୍ରୋନ୍ ଉଡ଼ିବା ପରେ ଭୟର ବାତାବରଣ । ବିନାଶାକାରୀ ଯୁଦ୍ଧାସ୍ତ୍ରକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ମୋଟ୍ ୧୯ଟି ଡ୍ରୋନ୍ ଆକାଶରେ ଉଡ଼ୁଥିବା ବେଳେ ସେଥିମଧ୍ୟରୁ ୭ଟି ଡ୍ରୋନ୍କୁ ନିଷ୍କ୍ରିୟ କରାଯାଇଛି । ହେଲେ ଏହାକୁ ସେମାନଙ୍କ ବିଫଳତା ଭାବରେ ଗଣାନା କରାଯାଉଛି । କିଛି ଦିନ ତଳେ ନାଟୋର ଦେଶମାନଙ୍କ ମଧ୍ୟରେ ଏକ ମିଟିଂ ହୋଇଥିଲା । ଯେଉଁଥିରେ ଡ୍ରୋନ୍ ସହ ଲଢିବାକୁ ଅକ୍ଷମତା ବିଷୟରେ ବାର୍ତ୍ତାଳାପ ହୋଇଥିଲା । ଗୁରୁବାର ଦିନ ନାଟୋର ମହାସଚିବ ମାର୍କ ରୁଟ୍ ଏବଂ ୟୁରୋପୀୟ ୟୁନିଅନ୍ ରାଜଦୂତଙ୍କ ବୈଠକ ହୋଇଥିଲା । ଏହି ମିଟିଂରେ ଉପସ୍ଥିତ ଥିବା ପ୍ରତିନିଧିମାନେ କହିଥିଲେ ଯେ, ନାଟୋର ସଦସ୍ୟ ଦେଶଗୁଡ଼ିକ ଡ୍ରୋନ୍ ଆକ୍ରମଣର ମୁକାବିଲା କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଖୁବ୍ କମ୍ ଖର୍ଚ୍ଚରେ ଡ୍ରୋନ୍ ଆକ୍ରମଣ କରାଯାଉଛି ଏହଂ ଏହାର ଉତ୍ତରରେ ଅଧିକ ପୁଞ୍ଜି ବିନିଯୋଗ କରାଯାଉଛି ବୋଲି ଚିନ୍ତା ପ୍ରକାଶ କରିଥିଲେ ।
ଏହି ସମୟରେ ଏକ ଆକର୍ଷଣୀୟ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା । ରୁଷ ପକ୍ଷରୁ ପ୍ରାୟ ୧୧ ହଜାର ଡଲାରରେ ଡ୍ରୋନ୍ ଆକ୍ରମଣ କରାଯାଉଛି । ଯାହାର ଜବାବରେ ଆମ ତରଫରୁ ଏୟାର ଟୁ ଏୟାର ଆକ୍ରମଣ କରୁଥିବା ୪ ଲକ୍ଷ ଡଲାରର ମିସାଇଲ ବ୍ୟବହାର କରାଯାଉଛି । ଏଥିରେ ଅଧିକ ଖର୍ଚ୍ଚ ହେଉଥିବା ବେଳେ ଏହା ତିଆରି ଜଟିଳ ମଧ୍ୟ । ଅଷ୍ଟ୍ରିୟାର ଖବରକାଗଜ, କୋରିୟର ଡେଲି ଏସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏକ ରିପୋର୍ଟରେ ପ୍ରକାଶ କରିଛି । ଖବର କାଗଜରେ ପ୍ରକାଶ ପାଇଛି ଯେ, ଡ୍ରୋନ୍ ମାଡ଼ ଜବାବରେ F-୩୫ ଫାଇଟର ଜେଟ୍ ମୁତୟନ କରାଯାଇଥିଲା । ଏହା ଛଡ଼ା ଇଟାଲୀର ସର୍ଭେଲାନ୍ସ ପ୍ଲେନ୍ ମଧ୍ୟ ବ୍ୟବହାର କରାଯାଇଥିଲା । କେବଳ ସେତିକି ନୁହେଁ, ଜର୍ମାନ ପୋଟ୍ରିୟାଟ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ନିୟୋଜିତ କରାଯାଇଥିଲା । ଏହା ପରେ ମଧ୍ୟ ରୁଷ ତରଫରୁ ଉଡୁଥିବା ୧୯ଟି ଡ୍ରୋନ୍ ମଧ୍ୟରୁ କେବଳ ୭ଟି ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିଲା ।
ଏହି କାରଣରୁ ନାଟୋ ଦେଶମାନେ ଡ୍ରୋନ୍ ଆକ୍ରମଣ ସହିତ ମୁକାବିଲା କରିବାରେ ବିଫଳ ହୋଇଥିବା ସ୍ୱୀକାର କରିଛି । ପୋଲାଣ୍ଡର କର୍ତ୍ତୃପକ୍ଷ ମଧ୍ୟ କହିଛନ୍ତି ଯେ, ରୁଷର ତରଫରୁ ପଠାଯାଇଥିବା ଡ୍ରୋନ୍ ମଧ୍ୟରୁ କେବଳ ୩ରୁ ୪ଟି ଡ୍ରୋନକୁ ହିଁ ମାରି ଖସାଇବାରେ ସଫଳତା ମିଳିଛି । ବର୍ତ୍ତମାନ ରୁଷୀୟ ଡ୍ରୋନ୍ କାରଣରୁ ନୋଟୋ ଦେଶମାନଙ୍କରେ ହଇଚଇ ସୃଷ୍ଟି ହୋଇଛି । ଏପରିକି ପୋଲାଣ୍ଡ ଏହି ଘଟଣା ସମ୍ପର୍କରେ ଏକ ମିଟି କରିବାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛି ।
ନାଟୋର ଅଧିକାରୀମାନଙ୍କ କହିବା ଅନୁଯାୟୀ, ଆମେ ପ୍ରତ୍ୟେକ ଡ୍ରୋନକୁ ମାରି ଖସାଇବା ପାଇଁ କିମ୍ୱା ତା’ ଉପରେ ନଜର ରଖିବା ପାଇଁ F-୩୫ ଭଳି ଫାଇଟର ଜେଟ୍ ମୁତୟନ କରିପାରିବୁ ନାହିଁ । ଡ୍ରୋନ୍ ମୁକାବିଲା କରିବା ପାଇଁ କମ୍ ଖର୍ଚ୍ଚ ଏବଂ ପ୍ରଭାବଶାଳୀ ପଦ୍ଧତି ବିକଶିତ କରିବା ପାଇଁ ଆଲୋଚନା କରାଯାଇଛି । ପୋଲାଣ୍ଡର ମିଡିଆ କହିବାନୁଯାୟୀ, ତାଙ୍କ ଦେଶ ଡ୍ରୋନ୍ ଆକ୍ରମଣର ସାମ୍ନା କରିବା ପାଇଁ ସକ୍ଷମ ନୁହେଁ । ଆମକୁ ଆମ କୌଶଳର ଅଧୁନିକୀକରଣ କରିବାକୁ ପଡ଼ିବ ।