ଜଗତସିଂହପୁର,୧୮/୦୩ (ସିଦ୍ଧାର୍ଥ ଦାସ): ରଘୁନାଥପୁର ବ୍ଲକ ଅଧୀନ ଧଳତଙ୍ଗଗଡ଼ ଜଙ୍ଗଲ ଜିଲ୍ଲା ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ବିନ୍ଦୁ । ୨୭୯.୩ ଏକରର ଏହି ବିସ୍ତୀର୍ଣ୍ଣ ଜଙ୍ଗଲରେ ହରିଣ, ଠେକୁଆ ଆଦି ବନ୍ୟପ୍ରାଣୀଙ୍କ ଗହଳି ଚହଳି ରହିଆସିଛି । ୧୯୮୬ ମସିହାରୁ ଏହା ପ୍ରସ୍ତାବିତ ଜଙ୍ଗଲର ମାନ୍ୟତା ପାଇଛି । ତେବେ ଜଙ୍ଗଲର ବିକାଶ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ସରକାର ଯେତିକି ଅନୁଦାନ ରାଶି ପର୍ଯ୍ୟାୟକ୍ରମେ ମଞ୍ଜୁର କରି ଚାଲିଛନ୍ତି ତା’ର ଯେ ସଦୁପଯୋଗ ହୋଇଛି ତାହା ସନ୍ଦେହରେ । କାରଣ ପ୍ରାୟତଃ ସବୁ ସମୟରେ ଉକ୍ତ ଜଙ୍ଗଲର କିଛି କିଛି ଭାଗ ଜବରଦଖଲ ହୋଇଥିବାର ଅଭିଯୋଗ ଉଠେ । ଏତଦ୍‌ଭିନ୍ନ ଜଙ୍ଗଲ ସୀମାରେଖା ଡେଇଁ ବାହାରକୁ ଖାଦ୍ୟ ସନ୍ଧାନରେ ଯାଇ ବହୁ ହରିଣ ମୃତାହତ ହୋଇଥିବାର ଏକାଧିକ ଦୃଷ୍ଟାନ୍ତ ରହିଛି । ବର୍ତ୍ତମାନ ସମୟରେ ବି ଧଳତଙ୍ଗଗଡ଼ ଜଙ୍ଗଲ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମୁଛି ।

 ଅଥଚ ବନ ବିଭାଗ ଏହାକୁ କଠୋର ହସ୍ତରେ ଦମନ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଏହି ଜଙ୍ଗଲରେ ଭରି ରହିଛି କେନ୍ଦୁ, ବାଉଁଶ, କାଞ୍ଚନ, ଚନ୍ଦନ, ମେହେଗାନୀ, ଶାଗୁଆନ୍‌ ଭଳି ବହୁ ପ୍ରଜାତିର ଗଛ । ଏହା ମଧ୍ୟ କାଠ ମାଫିଆଙ୍କ ଟାର୍ଗେଟରେ ରହୁଛି । ସଂପ୍ରତି ୭.୧୦ ଏକର କିମି ପରିବ୍ୟାପ୍ତ ଧଳତଙ୍ଗଗଡ଼ ଜଙ୍ଗଲ ଚାରି ପାଖରେ ସୁରକ୍ଷା ପାଚେରି ନିର୍ମାଣ କରାଯାଇଛି । ତଥାପି କିଛି ହରିଣ ପାଶ୍ୱର୍ବର୍ତ୍ତୀ ଜଙ୍ଗଲରେ ରହିଯାଇଥିବା କୁହାଯାଉଛି । ଇକୋ ଟୁରିଜିମ୍‌ କମ୍ପେ୍ଲକ୍ସ ରହିଥିଲେ ସୁଦ୍ଧା ତା’ର ଯତ୍ନ ସେଭଳି ନିଆଯାଉନାହିଁ । ଏଣେ କିନ୍ତୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଏହାର ବିକାଶ କ୍ଷେତ୍ରରେ ଗତ ପାଞ୍ଚ ବର୍ଷ ଭିତରେ ସରକାର ୫ କୋଟି ୭୩ ଲକ୍ଷ ୭୬ ହଜାର ୬୩୯ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଆଶ୍ଚର୍ଯ୍ୟ, ସଂପୂର୍ଣ୍ଣ ଅନୁଦାନ ରାଶିରୁ ୧ କୋଟି ୫୧ ଲକ୍ଷ ୮୪ ହଜାର ୯୯୯ ଟଙ୍କା କେବଳ ଜଙ୍ଗଲ ବିଭାଗ ନିଜ ହାତରେ ଖର୍ଚ୍ଚ କରିଛି । ଅବଶିଷ୍ଟ ଅର୍ଥ ରାଶି ବାବଦ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଟେଣ୍ଡର ସହ ୬ ଜଣ ଠିକାଦାରଙ୍କ ଦ୍ୱାରା କେତେକ ଉନ୍ନୟନମୂଳକ କାର୍ଯ୍ୟ ସଂପନ୍ନ ହୋଇଛି । 

ଆହୁରି ପଢନ୍ତୁ-ସିଟି ଗ୍ୟାସ୍‌ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବେ ସରକାର,ପିଏନ୍‌ଜି ଏବଂ ସିଏନ୍‌ଜି ବ୍ୟବହାରକୁ ମିଳିବ ଗୁରୁତ୍ୱ

ତେବେ ପାଖାପାଖି ୬ କୋଟି ବ୍ୟୟ ସତ୍ତେ୍ୱ ଧଳତଙ୍ଗଗଡ଼ ଜଙ୍ଗଲର ବିକାଶ ସେଇ ହାରରେ ହୋଇନଥିବାର ଅଭିଯୋଗ ଆଣିଛନ୍ତି ରଘୁନାଥପୁର ଏରଡ଼ଙ୍ଗାର ସମାଜସେବୀ ବଳରାମ ଦଳାଇ । ଉକ୍ତ ଅର୍ଥ ରାଶିରୁ ୪ କୋଟି ୨୧ ଲକ୍ଷ ୯୧ ହଜାର ୬୪୦ ଟଙ୍କାରେ ପାଚେରି, ପ୍ରାକୃତିକ ପଥ ବା ବନ୍ୟପ୍ରାଣୀଙ୍କ ଚଲାପଥ(ନେଚର ଟ୍ରେଲ) ଓ ଜଳାଶୟ ନିର୍ମାଣ କରାଯାଇଥିବା ବେଳେ ପାଚେରିରେ ୩ କୋଟି ୩ ଲକ୍ଷ ୩୦ ହଜାର ୪୨୦ ଟଙ୍କା, ପ୍ରାକୃତିକ ପଥରେ ୧ କୋଟି ୨୬ ହଜାର ୮୦୯ ଟଙ୍କା ଓ ତିନି ଜଳାଶୟ ନିର୍ମାଣରେ ମୋଟ ୧୮ ଲକ୍ଷ ୩୪ ହଜାର ୪୧୧ ଟଙ୍କା ବ୍ୟୟ ହୋଇଥିବା କଟକ ଫରେଷ୍ଟ ଡିଭିଜନ୍‌ ତରଫରୁ ସ୍ପଷ୍ଟ କରାଯାଇଛି । ତେବେ ଅବଶିଷ୍ଟ ୧ କୋଟି ୫୧ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଜଙ୍ଗଲ ବିଭାଗ ନିଜସ୍ୱ ତତ୍ତ୍ୱାବଧାନରେ ଖର୍ଚ୍ଚ କରିବାର ରହସ୍ୟ ଏକପ୍ରକାର ଅସ୍ପଷ୍ଟ ଘେରରେ ରହିଯାଇଛି । ଏଣେ ନିକଟରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବାରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ଜଗତସିଂହପୁର ଜିଲ୍ଲା ରାହାମା ବନଖଣ୍ଡ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ।

ଜଙ୍ଗଲର ବିକାଶ, ବ୍ୟାପକ ବନୀକରଣ ସରକାରୀ କାଗଜପତ୍ରରେ ଚାଷ ହେଉଥିଲେ ସୁଦ୍ଧା ଅନେକ ସମୟରେ ପାରାଦୀପଠାରୁ ଆରମ୍ଭ କରି ଏରସମା, ଜଗତସିଂହପୁର, ରଘୁନାଥପୁର, ନାଉଗାଁ ଆଦି ଅଞ୍ଚଳରୁ ଅନେକ ହରିଣ ମୃତାହତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି । ଅର୍ଥାତ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବନ ବିଭାଗ ସଂପୂର୍ଣ୍ଣ ଆଖି ବୁଜି ରହୁଥିବା ଗୋଟେ ପ୍ରକାର ସ୍ପଷ୍ଟ । ଧଳତଙ୍ଗଗଡ଼କୁ ଛାଡ଼ି ବାଲିକୁଦାଏରସମା ତଥା କୁଜଙ୍ଗ ବନାଞ୍ଚଳ ଅଧୀନରେ ୯୨୫୬ ହେକ୍ଟର ଜଙ୍ଗଲ ଜମି ରହିଛି । ବୋରୁହାଁ ଜଙ୍ଗଲରେ ଏବେ ବି ହରିଣ ହାଉଯାଉ । ଶିକାରୀଙ୍କ ଲୋଲୁପ ଦୃଷ୍ଟି ସାଙ୍ଗକୁ ହରିଣଙ୍କ ଶିକାର କରାଯାଉଛି । ମାଂସ ଜବତ ହେଉଛି । ବାର୍‌ହା ସଂଖ୍ୟା ବି ବଢିଛି । ଶତାଧିକ ଏକର ଜଙ୍ଗଲ ଜମି ମାଫିଆଙ୍କ କବ୍‌ଜାକୁ ଚାଲିଯାଇଛି । ବନ ବିଭାଗ ଜଳକା ଭଳି ବସିରହିଥିବାର ବଡ଼ ପ୍ରମାଣ ହେଉଛି ୨୦୨୦ ମସିହାରେ ବନ୍ୟପ୍ରାଣୀଙ୍କ ଗଣନା ସଂଖ୍ୟାର ରିପୋର୍ଟ । ରିପୋର୍ଟରେ ବାର୍‌ହା ସଂଖ୍ୟା ମାତ୍ର ୨୨ ଥିବା ଦର୍ଶାଯାଇଥିଲା । କୁଜଙ୍ଗ ବନାଞ୍ଚଳ ଦପ୍ତରର ରିପୋର୍ଟରେ ବି ୯ ହଜାର ହେକ୍ଟର ଜଙ୍ଗଲ ଜମିରେ ଗୋଟିଏ ଜଙ୍ଗଲି ବିଲେଇ ଓ ହାତ ଗଣତି ଅନ୍ୟାନ୍ୟ ବନ୍ୟପ୍ରାଣୀ ଆଦି ରହିଥିବା ସୂଚନା ଦିଆଯିବା ହାସ୍ୟାସ୍ପଦର ବିଷୟ ହୋଇଥିଲା ।

ଅପରପକ୍ଷେ ଜଙ୍ଗଲ ପରିବେଶରେ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ଦେଖାଇ ବୃକ୍ଷରୋପଣ ହିସାବକୁ ଦେଖିଲେ ୨୦୨୦- ୨୨ ବର୍ଷରେ ଏରସମାର ଗୋଡ଼ାଠାରୁ ଶାଳିଓ ପର୍ଯ୍ୟନ୍ତ ପଥପାଶ୍ୱର୍ ବନୀକରଣ ବାବଦରେ ୩ ହଜାର ଗଛ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟୟ ଅଟକଳରେ ଲଗ।।ଇଥିଲା । ଗଡ଼ହରିଶପୁର ମୌଜାର ବନ ବିଭାଗ ଜମିରେ ୨୦୨୨-୨୩ ବର୍ଷରେ ୨୦ ହେକ୍ଟର ପରିମିତ ଅଞ୍ଚଳରେ ବନୀକରଣ ସହ ୪ ଲକ୍ଷ ଟଙ୍କାରେ ୪ ହଜାର ଝାଉଁ ଗଛ, ସାହାଡ଼ାବେଦୀ ମୌଜାରେ ଅତୀତରେ ୫୦ରୁ ଊଦ୍ଧ୍ୱର୍ ହେକ୍ଟର ଜମିରେ ଚାରା ରୋପଣ ବାବଦକୁ ୧୬ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ କରାଯାଇଥିଲା । ବନୀକରଣରେ ପ୍ରାୟ ୩୨ ଲକ୍ଷରୁ ଊଦ୍ଧ୍ୱର୍ ବ୍ୟୟ ସତ୍ତେ୍ୱ ଖାଦ୍ୟାଭାବ, ଜଳାଭାବ କିମ୍ବା ଶିକାରୀଙ୍କ ଚକ୍ରବ୍ୟୁହକୁ ବୁଝିନପାରି ହରିଣ, ବାର୍‌ହା ପଲ ଅଳକା ନଦୀ ପହଁରି ଜନ ବସତି ମୁହାଁ ହୋଇ ମୁତ୍ୟୁମୁଖରେ ପଡ଼ି ଚାଲିଛନ୍ତି । ଏଣେ ଶିଳ୍ପ ପାଇଁ ପାରାଦୀପ ଉପକଣ୍ଠରେ ୧୨୫୩ ହେକ୍ଟର ଜଙ୍ଗଲ କିସମ ଜମିରୁ ପ୍ରାୟ ୩ ଲକ୍ଷ ଗଛକୁ କଟା ସରିଛି । ଏଠୁ ବି ଅନେକ ମୃତ ହରିଣ ମିଳିଛି । ଯଦ୍ୱାରା ଜଟାଧାର ତଣ୍ଡା ଜଙ୍ଗଲ ଅସୁରକ୍ଷିତ ହୋିପଡ଼ିଛି । ତିର୍ତ୍ତୋଲ ଦାଇଁଲୋ ପଞ୍ଚାୟତରେ ଥିବା କଣ୍ଠିଆପାଳ ଜଙ୍ଗଲ ଏବେ ବି ଅବହେଳିତ ଓ କାଠ ଲୁଟେରାଙ୍କ ଚରାଭୂଇଁ ପାଲଟିଛି ।