ଭୁବନେଶ୍ବର, ୨୪/୦୨: ବିରୋଧୀ ନିଜ ଜିଦରେ ଅଟଳ । ବିଧାନସଭା ବାରମ୍ବାର ମୁଲତବୀ । ହୋହଲା, ହଟ୍ଟଗୋଳରେ ଚାଲିପାରୁନି ଗୃହ । ଏପଟେ ବିଧାନସଭା ବାହାରେ ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ । ଲୋୟର ପିଏମଜିରେ ବିଶାଳ ଚାଶୀ ସମାବେଶ କରି ଗର୍ଜନ କରିଛି ବିଜୁ ଜନତା ଦଳ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋଙ୍କ ସହିତ ଜଣକ ପରେ ଜଣେ ବିଜେଡି ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ନବୀନ ପଟ୍ଟନାୟକ ପୂରା ଦୁଇ ବର୍ଷର କଚ୍ଚା ଚିଠା ଖୋଲିଛନ୍ତି ।

ଚାଷୀ ସମାବେଶରେ ବିଜେଡି ସୁପ୍ରିମୋ ଜୟ ଜଗନ୍ନାଥରୁ ଉଦବୋଧନ ଆରମ୍ଭ କରିଥିଲେ । ପ୍ରଥମରୁ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ନବୀନ ପଟ୍ଟନାୟକ କହିଥିଲେ, ଏ ସରକାର ସ୍ଲୋଗାନ ଦେଉଛନ୍ତି ‘ଜୟ କିଷାନ’ କିନ୍ତୁ ‘ଭାଗୋ କିଷାନ’ କହୁଛନ୍ତି । ରାଜ୍ୟରେ ସରକାର କେବଳ କାହାଣୀରେ ଚାଲେ ନାହିଁ, କାମ ଦରକାର । ସାଧାରଣ ଲୋକ ସେବା ଚାହାନ୍ତି, ନେତାଙ୍କ ପ୍ରବଚନ ନୁହେଁ । ଆଗକୁ ଚାଷୀଙ୍କ ସମସ୍ୟା ସମାଧାନ ନହେଲେ, ବିଜୁ ଜନତା ଦଳ ଏ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ହଜେଇ ଦେବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ।

ଏହାଛଡ଼ା ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, ଖୁବ ଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ। ମାତ୍ର ବର୍ତ୍ତମାନ ସୁଦ୍ଧା ଠିକ୍ ଭାବେ ନିଷ୍ପତ୍ତି ନେଇ ପାରୁନାହାନ୍ତି କି କୌଣସି ଯୋଜନା କାର୍ଯ୍ୟକାରୀ କରିପାରୁନାହାନ୍ତି । ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ କରିଥିଲା। ଚାଷୀଙ୍କ ରୋଜଗାର ବଢ଼ାଇବାକୁ କାଳିଆ ଯୋଜନା କରିଥିଲା। ଚାଷୀଙ୍କ ପାଇଁ ଋଣ ସୁବିଧା କରିଥିଲା। ଚାଷ ଜମି ପାଇଁ ଜଳସେଚନ ସୁବିଧା  କରିଥିଲା। ହେଲେ ଏ ଡବଲ ଇଞ୍ଜନ ସରକାର ଏଯାଏ କ’ଣ କରିଛି ବୋଲି ଚାଷୀ ସମାବେଶରେ ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ । ସେହିପରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା । ଚାଷ କାର୍ଯ୍ୟ ପ୍ରାରମ୍ଭରୁ ଚାଷୀଙ୍କୁ ବିହନ କି ସାର ମିଳିଲା ନାହିଁ । ଚାଷୀ କଷ୍ଟେମଷ୍ଟେ ଅମଳ କଲାବେଳକୁ ବର୍ତ୍ତମାନ ସରକାର ଧାନ କିଣୁ ନାହାନ୍ତି । ମଣ୍ଡିରେ କଟନୀ ଛଟନୀ ବଢ଼ି ଚାଲିଛି । ଧାନ ଉଠିଲେ ବି ସଠିକ୍ ସମୟରେ ପଇସା ମିଳୁନାହିଁ । ଏବାବଦରେ ଅଭିଯୋଗ କଲେ ଚାଷୀ ମିଛ କହୁଛି ନହେଲେ ନକଲ ଚାଷୀ କହି ସରକା ଟାଳି ଦେଉଛନ୍ତି ବୋଲି ବିରୋଧୀ ଦଳ ନେତା କହିଛନ୍ତି ।  

ନବୀନ କହିଛନ୍ତି, ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି। ଚାଷୀଙ୍କ ସମସ୍ୟା କିପରି ସମାଧାନ ହେବ ପ୍ରସ୍ତାବ ମଧ୍ୟ ଦେଇଥିଲି ।

୧. ପ୍ରଥମେ କଟନୀ ଛଟନୀ ବନ୍ଦ ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କର

୨. ମିଲର ଓ ସରକାରୀ ଅଧିକାରୀଙ୍କ ନେକ୍ସସ୍ ଭାଙ୍ଗ ଯାଉ

୩. ଇନପୁଟ୍ ସବସିଡିରୁ ୧୫୦ କ୍ବିଣ୍ଟାଲ୍ ସିଲିଂ ଉଠାଯାଉ

୪. ଧାନ ଉଠିବାର ୪୮ ଘଣ୍ଟାରେ DBTରେ ଚାଷୀକୁ ପଇସା ଦିଆଯାଉ

୫. ଖୋଲାରେ ପଡ଼ିଥିବା ଧାନକୁ ୭୨ ଘଣ୍ଟାରେ କିଣାଯାଉ

ଦୁଃଖର କଥା ଏହି ପ୍ରସ୍ତାବକୁ ୧୫ ଦିନ ବିତିଗଲା କିନ୍ତୁ କିଛି ଆକ୍ସନ ହେଲାନାହିଁ । ପ୍ରଚାରରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଚାଷୀ ପାଇସା ଟିଏ ପାଉନାହିଁ । ଗତ ଆଠ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭାରେ ଲଢୁଛି । ମାତ୍ର ରାଜ୍ୟ ସରକାରଙ୍କ ଚାଷୀଙ୍କ ସମସ୍ୟା ସମାଧାନ ପ୍ରତି ଆନ୍ତରିକତା ନାହିଁ । ସରକାରୀ ଦଳ ସ୍ଲୋଗାନ ଦେଉଛି ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ ଭଳି କାର୍ଯ୍ୟ କରୁଛି । ନବୀନ ଆହୁରି ମଧ୍ୟ କହିଛନ୍ତି, ଆଇନ ଶୃଙ୍ଖଳା କଥା ନ କହିବା ଭଲ। ବର୍ତ୍ତମାନ ରାଜ୍ୟରେ ଏବେ କେହିବି ନିରାପଦ ନୁହନ୍ତି। ଚାଷୀ ତା’ର ହକ୍ ପାଉନି। ମା’ ମାନଙ୍କୁ ସୁରକ୍ଷା ମିଳୁନି। ଯୁବ ସମାଜକୁ ରୋଜଗାର ମିଳୁନି। ସବୁ ପରୀକ୍ଷାରେ ପେପର ଲିକ୍ । ସରକାର ପରୀକ୍ଷା ଗୁଡ଼ିକୁ ସଠିକ୍ ଢଙ୍ଗରେ ପରିଚାଳନା କରିପାରୁନାହାନ୍ତି । ସଧାରଣ ଲୋକଙ୍କ ଦୁଃଖ ସରୁନି । ଏ ସରକାର କ’ଣ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ବୁଲିଲା ବୁଲ୍‌ଡୋଜର, ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ