ଭୁବନେଶ୍ଵର, ୦୫/୦୩ : ଟଲ୍ ମ୍ୟାନ୍ ଲାର୍ଜ ହାର୍ଟ... ତାରିଖ ବଦଳାଇଦେଲେ କିନ୍ତୁ ଲୋକଙ୍କ ହୃଦୟକୁ ପରିବର୍ତ୍ତନ କରିପାରିବେନି। ୩୦ ବର୍ଷ ହେଲା ରାଜ୍ୟ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିଆସୁଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନକୁ ନେଇ ବିଜେପି ଉପରେ ଏଭଳି ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଓଡିଶାବାସୀଙ୍କ ପ୍ରିୟ ନେତାଙ୍କ ଜୟନ୍ତୀ ଅବସରରେ ମୋର ଗଭୀର ଶ୍ରଦ୍ଧାଞ୍ଜଳି।
ନବୀନ କହିଛନ୍ତି ଯେ, 'ବିଜୁ ବାବୁ, ଏ ଦୁଇଟି ଶବ୍ଦ ଶୁଣିଲେ ଓଡ଼ିଆ ଛାତି ଫୁଲି ଉଠେ। ସାହସ ଆସେ... ହେଲେ ଦୁର୍ଭାଗ୍ୟଜନକ ଯେ ବିଜେପି ଶାସନକୁ ଆସିବା ପରେ କ୍ରୀଡ଼ା ସମ୍ମାନ ନାଁ ବଦଳାଇବାକୁ ଚେଷ୍ଟା କଲେ। ଏବେ ସେମାନେ ବିମାନବନ୍ଦର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ, ହେଲେ ଦୋଷୀ ଧରାପଡ଼ିଲାନି। ୧୯୯୩ରୁ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିବା ଦୁର୍ଭାଗ୍ୟଜନକ। ବିଜୁ ପଟ୍ଟନାୟକ ବିମାନ ନ୍ଦରର ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ଆପଣ ନାଁ ବଦଳାଇ ପାରନ୍ତି, କିନ୍ତୁ ଲୋକଙ୍କ ହୃଦୟରେ ଥିବା ଭଲପାଇବା ବଦଳାଇ ପାରିବେ ନାହିଁ। ବିଜୁ ବାବୁ ସ୍ମରଣୀୟ।'
ନବୀନ ବିଜେପିକୁ ପ୍ରଶ୍ନ କରିଛନ୍ତି ଯେ, ଆପଣ ପାରାଦୀପ ପୋର୍ଟ ବଦଳାଇ ପାରିବେ କି, ସୁନାବେଡ଼ା ବନ୍ଦ କରିପାରିବେ କି, ଏନଟିପିସି ବନ୍ଦ କରି ପାରିବେ କି, ଏହା ଛୋଟ ଚିନ୍ତାଧାରା। ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ। ବିଜୁ ବାବୁ ରାଜ୍ୟ ନେତା ନୁହଁନ୍ତି, ଜଣେ ଜାତୀୟ ଓ ଅନ୍ତର୍ଜାତୀୟ ନେତା। ପଦ ପଦବୀ ପାଇଁ ସେ ରାଜନୀତିକୁ ଆସିନଥିଲେ, ସେବା ପାଇଁ ଆସିଥିଲେ। ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା UNESCO କଳିଙ୍ଗ ଆୱାର୍ଡ କଥା ହେଉ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେଇଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ। ସରପଞ୍ଚଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ କହୁଥିଲେ। ତାଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ। ଇତିହାସକୁ ଧ୍ବଂସ କରିବାକୁ ପ୍ରୟାସ କରୁଛନ୍ତି। ଲୋକେ ଏହାର ଜାବାବ ଦେବେ। ଇତିହାସ ହେଉଛି ସମୟର ଖୋଲା ବହି। ସରକାର ଆସିବ, ସରକାର ଯିବ... କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ। ଓଡ଼ିଆ ତାଙ୍କ ପାଇଁ ଗର୍ବିତ।
ଏହି ଖବରଟିକୁ ପଢନ୍ତୁ-ପଞ୍ଚାୟତିରାଜ ଦିବସରେ ଛୁଟି ବାତିଲ ପ୍ରସଙ୍ଗରେ ବର୍ଷିଲେ ରଣେନ୍ଦ୍ର, କହିଲେ 'ବିଜୁ ବାବୁଙ୍କୁ ଅସମ୍ମାନ... ଓଡ଼ିଆ ଅସ୍ମିତାକୁ ଧକ୍କା ମାରିବା ସହ ସମାନ'