ଭୁବନେଶ୍ବର,୪/୯ : ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ୍ସ ଆକାଉଣ୍ଟରେ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ ମଜୁମଦାର ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁଆରୋଗ୍ୟ କାମନା କରୁଛି।
ସୂଚନାଯୋଗ୍ୟ ଯେ, ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଆଜି କଟକରୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି ଅଭିଜିତ ମଜୁମଦାର । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ। ମାତ୍ର ସ୍ବାସ୍ଥ୍ୟରେ ଉନ୍ନତି ନହେବାରୁ ଆଜି ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରି ଭର୍ତ୍ତି କରାଯାଇଛି ।
ଆଜି ସକାଳେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିବାବେଳେ ବ୍ରେନରେ ସୋଡିୟମ କମିଛି । ପ୍ରଥମେ ତାଙ୍କୁ ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏବେ ସେ ସେଣ୍ଟ୍ରାଲ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି । ତାଙ୍କ ନିଶ୍ବାସ ନେବାରେ ସମସ୍ୟା ଦେଖାଦେଇଛି । ଅଭିଜିତଙ୍କୁ ଭେଟିବା ପାଇଁ ଏମସରେ ପ୍ରଂଶସକ ଓ ସେଲିବ୍ରିଟିଙ୍କ ଭିଡ଼ ଜମିଛି । ଅଭିନେତା ଶ୍ରୀତମ ଦାସ ଓ ବାବୁସାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି ।