ନୂଆଦିଲ୍ଲୀ,୨୯।୧୦: ଅମରାବତୀର ବିଜେପି ନେତ୍ରୀ ଓ ପୂବର୍ତନ ସାଂସଦ ନଭନୀତ ରାଣାଙ୍କୁ ପୁଣିଥରେ ଧମକ। ତାଙ୍କୁ ହତ୍ୟା ଓ ଗଣଦୁଷ୍କର୍ମ ନେଇ ମିଳିଛି ଆସିଛି ଧମକପୂର୍ଣ୍ଣ ଚିଠି। ଏହା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ତାଙ୍କ ଅଫିସକୁ ଆସିଛି। କୁହାଯାଉଛି ଯେ, ଏହି ଚିଠି ହାଇଦ୍ରାବାଦ ନିବାସୀ ଜାଭେଦ ନାମକ ଜଣେ ବ୍ୟକ୍ତି ପଠାଇଛି। ସେଥିରେ ସେ ଖୁବ୍ ଆପତ୍ତିଜନକ ଓ ଅଶ୍ଲୀଳ ଭାଷା ପ୍ରୟୋଗ କରିଛି।
ଚିଠିରେ ରାଣାଙ୍କୁ ଗମ୍ଭୀର ପରିଣାମ ଭୋଗିବାର ଚେତାବନୀ ଦିଆଯାଇଛି। ଏହି ଘଟଣା ରାଣାଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଏହା ପୂର୍ବରୁ ତାଙ୍କୁ ବହୁବାର ଧମକ ମିଳିସାରିଛି,କିନ୍ତୁ ଏଥର ମାମଲା ଆହୁରି ଗମ୍ଭୀର ବୋଲି କୁହାଯାଉଛି।
ଘଟଣାର ସୂଚନା ମିଳିବା ମାତ୍ରେ ନଭନୀତ ରାଣାଙ୍କ ବ୍ୟକ୍ତିଗତ ସହାୟକ ମଙ୍ଗେଶ କୋକାଟେ ରାଜାପେଠ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ତୁରନ୍ତ ମାମଲା ରୁଜୁ କରି ଆଗକୁ ତଦନ୍ତ ଆରମ୍ଭ କରିଛି। ଧମକ ଦେବା ପଛର କାରଣ ଓ ଅଭିଯୋଗର ଉଦେଶ୍ୟ ଜାଣିବା ପାଇଁ ପୋଲିସ ଟିମ୍ ଗଠନ କରିଛି। ଦୀପାବଳିର ଠିକ୍ ପରେ ଏଭଳି ଧମକରୁ ରାଜନୈତିକ ଅସ୍ଥିରତା ବଢି ଯାଇଛି। ମହିଳା ନେତାଙ୍କୁ ମିଳୁଥିବା ଲଗାତାର ଧମକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ଉଠିବାରେ ଲାଗିଛି। ବର୍ତ୍ତମାନ ରାଜାପେଠ ପୋଲିସ ଅଭିଯୁକ୍ତର ସନ୍ଧାନରେ ରହିଛି।