ଭୁବନେଶ୍ୱର,୦୩/୦୯: ଆଶ୍ୱିନ ଶୁକ୍ଳ ପ୍ରତିପଦ ତଥା ଗୁରୁବାର ଠାରୁ ସମସ୍ତ ଶକ୍ତି ପୀଠରେ ମା’ଦୁର୍ଗାଙ୍କ ନବରାତ୍ରୀ  ପୂଜା ଆରମ୍ଭ ହେବ । ଏହି ଅବସରରେ ଏକାମ୍ର କ୍ଷେତ୍ରର ମହାପ୍ରଭୁ  ଶ୍ରୀଲିଙ୍ଗରାଜଙ୍କ ପୀଠରେ ମା’ଭୁବନେଶ୍ୱରୀ,କେଦାରଗୌରୀ  ମନ୍ଦିରରେ ଗୌରୀ,କପିଳେଶ୍ୱର ଜିଉଙ୍କ ପୀଠରେ  ମା’ଦକ୍ଷୀଣକାଳୀ,ବିନ୍ଧ୍ୟବାସିନୀ ସମେତ ଅଷ୍ଟଚଣ୍ଡୀଙ୍କ  ଠାରେ ପୂଜାର୍ଚ୍ଚନା ଏବଂ ଚଣ୍ଡୀପାଠ କରାଯିବ ।   

ମା’ଗୌରୀଙ୍କୁ ସହଶ୍ର କୁମ୍ଭ ଜଳରେ ଅଭିଷେକ  କରାଇ ପଞ୍ଚାମୃତରେ ମାଜଣା କରାଯିବ । ବେଶ ନିମନ୍ତେ  ପାଟଶାଢୀ,ରୂପା ମକୁଟ ସହ ଅନ୍ୟାନ୍ୟ ଅଳଙ୍କାରରେ ଆଭୁଷିତ  କରାଯିବ । ପ୍ରଥମ ଦିନ ମା’ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ବେଶରେ  ଦର୍ଶନ ଦେବେ । ଏହା ପରେ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା,  କଷ୍ମାଣ୍ଡ, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ  ଓ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର  ସେବାୟତ ମିହୀର ମହାପାତ୍ର ଏବଂ ଲୁଲୁ ମହାପାତ୍ର ସୂଚନା  ଦେଇଛନ୍ତି । 

ଏବେ ପ୍ରତ୍ୟେହ ସକାଳ ଧୂପରେ ମା’ଙ୍କ ଠାରେ  ମୁଗ, ଅଦା, ନଡିଆ, ଖଇ,କୋରା,ବିଷୋୟୀ ସେବାୟତଙ୍କ  ପ୍ରଦତ୍ତ ମୁଆଁ, ଛେନା, ପଇଡ ସହ ନାନାଦି ପ୍ରକାରର ଫଳ  ଲାଗି ହେବ । ଦ୍ୱିପହର ଧୂପରେ ଅନ୍ନ, କାନେକା,ଡାଲମା, ଓଉ ଖଟା, ଖିରି,ମାଣ୍ଡୁଅ ଆଦି ଲାଗି ହେବ । ଶେଷରେ  ସନ୍ଧ୍ୟାଧୂପରେ ଦହି ପଖାଳ ଲାଗି ପହୁଡ ପଡିବ । ସେହିପରି ମା’ବନ୍ଧବଢେଇଙ୍କ ଠାରେ ମଧ୍ୟ ସମାନ ନୀତିରେ ପୂଜାର୍ଚ୍ଚନା କରାଯିବ ବୋଲି ଶିକ୍ଷାବିତ ପ୍ରତାପ ଚନ୍ଦ୍ର ଜେନା କହିଛନ୍ତି ।