ମାଲକାନଗିରି, ୧୩/୦୧ : ଲାଲ୍‌ବାହିନୀର ବର୍ବରକାଣ୍ଡ। ପୁଣି ଯବାନଙ୍କ ଗାଡିକୁ ଟାର୍ଗେଟ୍ କଲେ ନକ୍ସଲ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କଲେ ମାଓବାଦୀ। ଏହି ବିସ୍ଫୋରଣରେ ଦୁଇ ଜଣ ଡିଆରଜି ଯବାନ ଆହତ ହୋଇଛନ୍ତି। 

ସୂଚନାନୁଯାୟୀ, ବିଜାପୁର ଜିଲ୍ଲାର କୁଟରୁ ଥାନା ଅନ୍ତର୍ଗତ ଜାଗୁର ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ କରି ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଗାଡିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ଏଥିରେ ଡିଆରଜି ବାହିନୀର ଦୁଇ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ରାମସୁ ମଜି ଓ ଗଜେନ୍ଦ୍ର ବୋଲି ଜଣାପଡିଛି। ଅପରେସନ ଥିବା ସାଥି ଯବାନମାନେ ତାଙ୍କୁ ତୁରନ୍ତ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଦୁଇ ଯବାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାୟୁସେନାର ହେଲିକପ୍ଟର ଯୋଗେ ଏୟାରଲିପ୍ଟ କରାଯାଇ ରାୟପୁର ସ୍ଥାନାନ୍ତର କରାଯାଇଛି। 

ପ୍ରକାଶ ଥାଉକି, ରବିବାର ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ମାଓବାଦୀ ନିପାତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ମହିଳା ଅଛନ୍ତି । ଶବ ନିକଟରୁ ଏକ ଏସ୍‌ଏଲ୍‌ଆର, ୧୨ ବୋର୍‌ ବନ୍ଧୁକ, ୨ ସିଙ୍ଗଲ ଶଟ୍‌ ଗନ୍‌, ଏକ ବିଜିଏଲ୍‌ ଲଞ୍ଚର, ଏକ ଦେଶୀ ବନ୍ଧୁକ ସହ ଗୋଳାବାରୁଦ, ବିସ୍ଫୋରକ ଓ ଅନ୍ୟାନ ସାମଗ୍ରୀ ଜବତ ହୋଇଛି। ମଦ୍ଦେଡ୍‌ ଅଞ୍ଚଳ ବନ୍ଦେପାରାଠାରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା ବୋଲି ବିଜାପୁର ଏସ୍‌ପି ଜିତେନ୍ଦ୍ର ଯାଦବ କହିଛନ୍ତି । ଡିଆର୍‌ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ), ଏସ୍‌ଟିଏଫ୍‌ (ସ୍ପେଶାଲ ଟାକ୍ସ ଫୋର୍ସ) ଏବଂ ଡିଷ୍ଟ୍ରିକ୍ଟ ଫୋର୍ସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା । 

ଅଧିକ ପଢନ୍ତୁ- ପୋଲିସକୁ ମିଳିଲା ବଡ଼ ସଫଳତା, କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

https://prameya.com/mao-dump-resque-in-police-search-operation-at-malkangiri-dist

ସେପଟେ ନକ୍ସଲପନ୍ଥୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ୧୧ ବର୍ଷୀୟ ନାବାଳିକା ଆହତ ହୋଇଛନ୍ତି । ଚିନ୍ତଲନାଡ ଥାନା ଅନ୍ତର୍ଗତ ତିମାପୁରମ ଗ୍ରାମରେ ଝୁଲସି ନାମକ ନାବାଳିକା ଜଙ୍ଗଲକୁ କାଠ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମାଓବାଦୀଙ୍କ ପ୍ରେସର ମାଇନ ଉପରେ ଗୋଡ ପଡିଥିଲା। ସିଆରପିଏଫ ହସ୍ପିଟାଲରେ ଆହତ ନାବାଳିକାଙ୍କ ଚିକିତ୍ସା ଚାଲିଛି।

ଗତ କିଛି ଦିନ ହେବ ଛତିଶଗଡ଼ରେ ମାଓ ଗତିବିଧି ବୃଦ୍ଧି ପାଇଛି। ନକ୍ସଲ ଦମନ ପାଇଁ ଯବାନଙ୍କ ପକ୍ଷରୁ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ଘଞ୍ଚ ଜଙ୍ଗଲରେ ଯବାନମାନେ କମ୍ଵିଂ ଅପରେସନ କରୁଛନ୍ତି। ସେପଟେ ନକ୍ସଲମାନେ ମଧ୍ୟ ଯବାନଙ୍କୁ ଟାର୍ଗେଟ୍ କରି ଆଇଇଡି ବିସ୍ଫୋରଣ କରୁଛନ୍ତି।