ନୂଆଦିଲ୍ଲୀ. ୧୧/୧୦: ଆସନ୍ତା ୧୫ ତାରିଖରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନାୟବ ସିଂ ସୈନି। ସେ ହରିୟାଣାର ଦ୍ବାଦଶ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଅକ୍ଟୋବର ୮ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ବହୁମତ ସହ ବିଜୟୀ ଘୋଷିତ ହୋଇଥିଲା। ଏହା ପରେ ବିଧାୟକଦଳ ବୈଠକରେ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଅକ୍ଟୋବର ୧୫ରେ ସେ ମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବା ନେଇ ଚର୍ଚ୍ଚା ହେଉଛି। ତେବେ  ବିଜେପି ରାଜ୍ୟରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି।

ତେବେ ଏହି ଶପଥ ଗ୍ରହଣ ସମାରୋହର ତଦାରଖ ପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ୧୦ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ପଞ୍ଚକୁଲା ଜିଲ୍ଲା କମିଶନରଙ୍କ ଦ୍ୱାରା ପରିଚାଳିତ ହେବ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।