ନୟାଗଡ଼/ଓଡ଼ଗାଁ, ୧୩/୦୫: ମାଙ୍କଡ଼ା ପଥର ଚୋରା ଚାଲାଣକୁ ନେଇ ଓଡଗାଁରେ ଯୁବକଙ୍କୁ ହତ୍ୟା ଘଟଣା। ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସ୍ପଟରେ ସିନ୍ ରିକ୍ରିଏସନ କଲା ପୁଲିସ । ଡେମୋ ଦେଖାଲେ ଅଭିଯୁକ୍ତ । ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ମହନ୍ତ ନାୟକଙ୍କୁ ଘଟଣାସ୍ଥଳକୁ ଆଣି ସିନ୍ ରିକ୍ରିଏସନ କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ମୃତ ଅଜିତଙ୍କ ବେକକୁ ଧରି ତଳେ ପକାଇଦେବା ପରେ ମହନ୍ତ କିଭଳି ହାଣିଥିଲା ତାର ଡେମୋ ଦେଖାଇଥିଲା ।
ମାଙ୍କଡ଼ା ପଥର ଚୋରା ଚାଲାଣକୁ ନେଇ ଦାଦାବଟି ଆଦାୟ ଓ ପୂର୍ବ ଶତ୍ରୁତା ଯୋଗୁ ଅଜିତ୍ ହତ୍ୟାକାଣ୍ଡ ଘଟିଥିବା ପୁଲିସ ସ୍ପଷ୍ଟ କରିଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୪ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ ଓରଫ ଦୀପୁ, ଓଡ଼ଗାଁ ମହାପୁରସାହିର ମାନସ ବେହେରା, ଓଡ଼ଗାଁ ରୋହିବାଙ୍କର ମହନ୍ତ ନାୟକ ଓ କୋମଣ୍ଡ ମକରାପଡ଼ାର ଶ୍ରୀଧର ସାହୁ । ଫେରାର୍ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।
ଦୀପୁଙ୍କ ନାଁରେ ଥିବା ୪୦୭ ଟ୍ରକ (ଓଡି୦୨ବିଏଫ୍ ୨୯୮୪)ରେ ମାଙ୍କଡ଼ା ପଥରର ଚୋରା ଚାଲାଣ ହେଉଥିଲା । ରବିବାର ରାତି ପ୍ରାୟ ସାଢେ ଗୋଟାଏରେ ରୋହିବାଙ୍କ ଆଡୁ ମାଙ୍କଡ଼ାପଥର ଆଡୁ ଓଡ଼ଗାଁ ନିକଟ ନୟାଗଡ଼ -ବ୍ରହ୍ମପୁର ମୁଖ୍ୟ ରାସ୍ତାର କଦଳୀବନ୍ଧ ଗ୍ରାମ ଠାରେ ଟ୍ରକଟି ପହଞ୍ଚିଥିଲା । ସେଠାରେ ଅଜିତ୍ ସାହୁ ଓ ତା ସାଙ୍ଗ ସନ୍ତୋଷ ପ୍ରଧାନ ମାଙ୍କଡ଼ା ଟ୍ରକକୁ ଅଟକାଇ ଦାଦାବଟି ମାଗିଥିଲେ। ଟ୍ରକ୍ ଡ୍ରାଇଭର ତୁରନ୍ତ ସେମାନଙ୍କ ମାଲିକଙ୍କୁ ଡାକିଥିଲେ । ଦୀପୁଙ୍କ ସହ ୬ ଜଣ ବୋଲୋରୋ ଯୋଗେ ଆସି ସେଠାରେ ଦାଦାବାଟି ଦେବାକୁ ରୋକଠୋକ ମନା କରିଥିଲେ । ଘଟଣାସ୍ଥଳରେ ଅଜିତ୍ ଓ ସନ୍ତୋଷଙ୍କ ସହ ସେମାନେ ଯୁକ୍ତତର୍କ କରିବାକୁ ଲାଗିଲେ । ମାନସ ଏକ ଖଣ୍ଡା ଆଣି ଅଜିତଙ୍କୁ ୩୦ରୁ ଅଧିକ ଚୋଟ ପକାଇଥିଲା ।
ଘଟଣାସ୍ଥଳରେ ଅଜିତର ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡ ପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ୨୪ ଘଣ୍ଟା ଭିତରେ ପୁଲିସ୍ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏଥିପାଇଁ ପୁଲିସ୍ ବିଭାଗର ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ୪ଜଣ ଗିରଫ ହୋଇଥିବାବେଳେ ଆଉ ୩ଜଣ ଫେରାର ଅଛନ୍ତି । ସେମାନେ ହେଲେ, ଜଗନ୍ନାଥ ପଣ୍ଡା, ରବୀନ୍ଦ୍ର ଭଟ୍ଟ ଓରଫ କାଳୁ ଓ ମୁନା ସାହୁ । ସମସ୍ତଙ୍କ ଘର ଓଡ଼ଗାଁ ଅଞ୍ଚଳରେ । ଘଟଣା ପରଠୁ ସେମାନେ ଫେରାର୍ ହୋଇଯାଇଛନ୍ତି । ଭାପୁର ଜଙ୍ଗଲରୁ ହତ୍ୟାରେ ବ୍ୟବହୃତ ଖଣ୍ଡାଟି ଜବତ ହଇଛି । ଦୁଇଟି ଗାଡ଼ିକୁ ମଧ୍ୟ ପୁଲିସ୍ ଜବତ କରିଛି । ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଏସ୍. ସୁଶ୍ରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ :- Fuel Saving Appeal : ମୋଦିଙ୍କ ଇନ୍ଧନ ବଞ୍ଚାଅ ଅପିଲ୍କୁ ଓଡ଼ିଶାରେ ସ୍ଵାଗତ, ପରିବହନ ମନ୍ତ୍ରୀ କହିଲେ ଏବେଠୁ ମୁଁ ସରକାରୀ ବସ୍ରେ ଯିବି