ଭୁବନେଶ୍ୱର,୧୧/୦୯: ଜଗତ୍‌ଜନନୀ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ପାଇଁ ପବିତ୍ର ଗଙ୍ଗାକୂଳରୁ  ଆସିଛି ମାଟି । ଏ ପରମ୍ପରା ଆଜିର ନୁହେଁ,  ୨୫ବର୍ଷ ଧରି ଚାଲିଛି । ପଶ୍ଚିମବଙ୍ଗର ମୂର୍ତ୍ତି  କାରିଗରମାନେ ବସ୍‌ରେ ମାଟି ଆଣି ଦେବୀଙ୍କ ସୁଉଚ୍ଚ ମୂର୍ତ୍ତି ଗଢିଥାନ୍ତି । ସେଥିପାଇଁ ଏଠାକାର ମୂର୍ତ୍ତି ସ୍ୱତନ୍ତ୍ର । ନୂଆପଲ୍ଲୀ ଦୁର୍ଗା ମଣ୍ଡପରେ ଏଭଳି  ଦୃଶ୍ୟ ଦେଖିବାକୁ ମିଳିଛି ।  

ଚଳିତବର୍ଷ ନୂଆପଲ୍ଲୀର ପ୍ରସିଦ୍ଧ ଦୁର୍ଗାପୂଜା  ୩୮ବର୍ଷରେ ପଦାର୍ପଣ କରିଛି । ଏଥରକ ନୂଆପଲ୍ଲୀ ଦୁର୍ଗାପୂଜା ସମିତି ରାଜଧାନୀବାସୀଙ୍କ ପାଇଁ କେରଳର ଶସ୍ତ୍ରୀୟ ନୃତ୍ୟ  କୁଚିପୁଡ଼ିର ଝଲକ ଥିବା ଏକ ବିଶାଳ ତୋରଣ ନିର୍ମାଣ କରୁଛି । ଦକ୍ଷିଣ ଭାରତର ଏହି ଲୋକପ୍ରିୟ ନୃତ୍ୟ କେବଳ ଭାରତ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ତେଣୁ  କୁଚିପୁଡ଼ି ଶୈଳୀ ତୋରଣ ଭକ୍ତଙ୍କ ଆକର୍ଷଣ ପାଲଟିବ ବୋଲି ସମିତି ଆଶା ରଖିଛି ।

ମଣ୍ଡପରେ ଶୋଭାପାଇବେ ୧୬ଫୁଟ ଉଚ୍ଚତାର  ଦେବୀ ଜଗତ୍‌ଜନନୀଙ୍କ ପ୍ରତିମୂର୍ତ୍ତି । ସେହିପରି  ୭୫ଫୁଟ ଉଚ୍ଚତା ଓ ୧୨୦ ଫୁଟ ଚଉଡ଼ାର  ତୋରଣ ଓ ୨୨ଫୁଟ ଉଚ୍ଚତାର ଜରି ମେଢ଼ ମଧ୍ୟ ଶୋଭାପାଇବ । ରାଜ୍ୟ ବାହାରୁ ମୋଟ୍ ୪୦ଜଣ  କାରିଗର ଆସି ବର୍ତ୍ତମାନ ତୋରଣ ନିର୍ମାଣରେ ଲାଗିପଡ଼ିଛନ୍ତି । ପୂଜା ପୂର୍ବରୁ ଏସବୁ କାମ ସରିବ ବୋଲି ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ମଣ୍ଡପକୁ ସୁସଜ୍ଜିତ ଓ ଆକର୍ଷଣ କରିବା ପାଇଁ ୧୦ଟି  ବଡ଼ ରଙ୍ଗାରଙ୍ଗ ଲାଇଟ୍‌ ଗେଟ୍‌  ସହ ରାସ୍ତା ପାଶ୍ୱର୍ରେ ଭଳିକିଭଳି  ଡିଜାଇନର ଲାଇଟ୍‌ ଖଞ୍ଜାଯିବ ।  ଆଇଡି ମାର୍କେଟରୁ ଜୟଦେବ ବିହାର ରୋଡ୍‌ ଏବଂ  ଆରପଟ କଳିଙ୍ଗ ଷ୍ଟାଡିୟମ ରାସ୍ତାରୁ  ନୂଆପଲ୍ଲୀ ପର୍ଯ୍ୟନ୍ତ ରାସ୍ତାରେ ମଧ୍ୟ  ଆଲୋକ ଝଲସିବ । ପୂଜାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ମୀନା ବଜାରର ପସରା ଖୋଲିବ । ମୀନା ବଜାରରେ ୧୨୦ଟି ଷ୍ଟଲ ରହିବା  ସହ ରାଜ୍ୟର ହସ୍ତତନ୍ତରକୁ ସମୃଦ୍ଧ  କରିବା ପାଇଁ ନାବାର୍ଡର ୯ଟି ଷ୍ଟଲ  ରହିବ । ଷଷ୍ଠୀରୁ ବିଜୟା ଦଶମୀ  ପର୍ଯ୍ୟନ୍ତ ମେଲୋଡି, ଭଜନ ସଂଧ୍ୟା, ରେକର୍ଡ  ଡ୍ୟାନ୍ସ ଆଦି ଶ୍ରଦ୍ଧାଳୁଙ୍କୁ ମନୋରଞ୍ଜନର ଖୋରାକ  ଯୋଗାଇବ ବୋଲି ସମିତି ପକ୍ଷରୁ ସୂଚନା ମିଳିଛି । 

ମହିଳାଙ୍କ ହାତରେ ସୁରକ୍ଷା ଭାର

ପୂଜା ଏଥରକ ଭବ୍ୟ  ଭାବେ ଆୟୋଜନ  କରୁଛୁ । ଆମର  ବିଶେଷତ୍ୱ ହେଲା ଆମ  ପୂଜାରେ ସୁରକ୍ଷା ଦାୟିତ୍ୱ  ନିଅନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।  ଏଥିସହ ୨୦୦ରୁ ଅଧିକ ସ୍ୱେଚ୍ଛାସେବୀ, ପୁଲିସ  ମିତ୍ର ମଧ୍ୟ ସୁରକ୍ଷା ଦେବେ । ମଣ୍ଡପରେ ୭୦ଟି  ସିସିଟିଭି ଲାଗିବ । ପୂଜାକୁ ଯେପରି ଶୃଙ୍ଖଳିତ  କରିବୁ ସେ ଉପରେ ଧ୍ୟାନ ଦେଇଛୁ । ଭକ୍ତଙ୍କ  ପାଇଁ ପ୍ରସାଦସେବନ, ସାଂସ୍କୃତିକ କାର୍ଯ୍ୟକ୍ରମର  ଆୟୋଜନ ହେବ । ଭସାଣୀରେ ଆମେ  ପାରମ୍ପରିକ ବାଦ୍ୟକୁ ଗୁରୁତ୍ୱ ଦେଇଛୁ ।