ଭୁବନେଶ୍ବର, ୧୩।୧୧ : ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ଏନବିଏ) ଲାଲ ଚନ୍ଦନ ଗଛର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଉପଲବ୍ଧତା ଏବଂ ଲାଭ ଆବଣ୍ଟନ (ଏବିଏସ) ବ୍ୟବସ୍ଥା ଅଧୀନରେ ଓଡ଼ିଶା ବନ ବିଭାଗକୁ ୨୯.୪୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏନବିଏ ଭାରତର ସ୍ଥାନୀୟ ଜୈବିକ ସମ୍ପଦର ଦୀର୍ଘସ୍ଥାୟୀ ବ୍ୟବହାର ଏବଂ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନିରନ୍ତର ପ୍ରୟାସ ସ୍ୱରୂପ ଏହି ପଦକ୍ଷେପ ନେଇଛି।
ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ବିଭାଗରୁ ସଂଗୃହିତ ଲାଲ ଚନ୍ଦନ କାଠ ଗଣ୍ଡିରୁ ପ୍ରାପ୍ତ ଲାଭ ବିତରଣ ଅର୍ଥରୁ ଏବିଏସ ପାଣ୍ଠି ସୃଷ୍ଟି କରାଯାଇଥିଲା। ଏହି ଗଛଗୁଡ଼ିକ ଏକ ଶତାବ୍ଦୀରୁ ଅଧିକ ପୁରୁଣା ବୋଲି ବିଶ୍ୱାସ କରାଯାଏ। ତତ୍କାଳୀନ ପାରଳାଖେମୁଣ୍ଡିର ମହାରାଜାଙ୍କ ଦ୍ୱାରା ମୂଳତଃ ବୃକ୍ଷଗୁଡ଼ିକ ରୋପଣ କରାଯାଇଥିଲା। ୨୦୧୮ ବାତ୍ୟା ସମୟରେ ଲାଲ ଚନ୍ଦନ ଗଛ ପ୍ରାକୃତିକ ଭାବେ ଭାଙ୍ଗି ପଡ଼ିଥିଲା। ଏହାପରେ ଓଡ଼ିଶା ବନ୍ୟ ବିକାଶ ନିଗମ ଭାଙ୍ଗିପଡ଼ିଥିବା ଲାଲ ଚନ୍ଦନ କାଠ ନିଲାମ କରିଥିଲା।
ଏନବିଏ ଦ୍ୱାରା ସାରା ଦେଶରେ ଜୈବିକ ସମ୍ପଦର ସଂରକ୍ଷଣ ପ୍ରୟାସକୁ ସମର୍ଥନ ବ କରିବା ଲାଗି ଏବିଏସ ବିତରଣର ଏକ ଅଂଶବିଶେଷ ସ୍ୱରୂପ ଏହି ପାଣ୍ଠି ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏନବିଏ ପ୍ରାୟୋଜିତ ଗବେଷଣା ପ୍ରକଳ୍ପ ସମେତ ଲାଲ ଚନ୍ଦନର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆନ୍ଧ୍ର ପ୍ରଦେଶ ବନ ବିଭାଗ, କର୍ଣ୍ଣାଟକ ବନ ବିଭାଗ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ଜୈବ ବିବିଧତା ବୋର୍ଡକୁ ୫୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛି। ଏହା ସହିତ ଏହା ସହିତ, ଆନ୍ଧ୍ରପ୍ରଦେଶର ୧୯୮ ଜଣ ଚାଷୀଙ୍କୁ ୩ କୋଟି ଏବଂ ତାମିଲନାଡୁର ୧୮ଜଣ ଚାଷୀଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ସଦ୍ୟତମ ଅର୍ଥରାଶି ଜାରି କରିବା ସହିତ ଲାଲ ଚନ୍ଦନର ବ୍ୟବସାୟିକ ଉପଯୋଗରୁ ଉପାର୍ଜିତ ଅର୍ଥରାଶି ପାଇବାରେ ଓଡ଼ିଶା ଚତୁର୍ଥ ରାଜ୍ୟ ହୋଇଛି। ଏହି ପାଣ୍ଠି ରାଜ୍ୟ ସାରା ଲାଲ ଚନ୍ଦନର ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ପାଇଁ ଲକ୍ଷ୍ୟ ରଖାଯାଇଥିବା କାର୍ଯ୍ୟକଳାପକୁ ସମର୍ଥନ କରିବ।