ମୁମ୍ବାଇ: ମହାରାଷ୍ଟ୍ରରେ ବହୁ ଚର୍ଚ୍ଚା ମଧ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି । ଆଉ ଏବେ ମନ୍ତ୍ରୀ ପଦ ନମିଳିବାକୁ ନେଇ ଅଜିତ ପାଓ୍ବାରଙ୍କ ଏନସପିରେ ଫାଟ ସୃଷ୍ଟି ହୋଇଛି । ବରିଷ୍ଠ ବିଧାୟକ ଛଗନ ଭୁଜବଳ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ଏହା ସହ ପାର୍ଟି ମୁଖ୍ୟ ଅଜିତ ପାଓ୍ବାର ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ ପଟେଲଙ୍କ ଉପରେ ବର୍ଷିଛନ୍ତି ଭୁଜବଳ । ସେ କଣ ଗୋଟେ ଖେଳନା କି ବୋଲି ଅଜିତ ପାଓ୍ବାର ଏବଂ ପ୍ରଫୁଲ ପଟେଲଙ୍କୁ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନମିଳିବାରୁ ଛଗନ ଭୁଜବଳ ଚଳିତ ଶୀତ ଅଧିବେଶନରେ ଯୋଗ ନଦେଇ ନାସିକ ଚାଲିଯାଇଛନ୍ତି ।
ମଙ୍ଗଳବାର ନାସିକରେ ନିଜ ସମର୍ଥକଙ୍କୁ ସେ କହିଛନ୍ତି, ମୁଁ ସେମାନଙ୍କ ହାତର କଣ୍ଢେଇ ନୁହେଁ । କିଏ ମୋତେ ମନ୍ତ୍ରୀ ପଦ ଦେବାକୁ ମନା କରିଛି ଖୋଜି ବାହାର କରିବି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ମୋତେ ମନ୍ତ୍ରୀ କରାଇବାକୁ କହିଥିଲେ । ଅଜିତ ପାଓ୍ବାର ଏବଂ ପ୍ରଫୁଲ ପଟେଲ୍ ଏନେଇ ମୋ ସହ ଆଲୋଚନା କରିବେ କହିଥିଲେ । କିନ୍ତୁ ସେମାନେ ମୋ ସହ ଏ ସଂପର୍କରେ ଆଲୋଚନା କଲେ ନାହିଁ । ଆଗାମୀ ଭବିଷ୍ୟତ ଲାଗି ଚିନ୍ତା କରିବାକୁ ପଡ଼ିବ ।’ ଏହା ବ୍ୟତୀତ ଅଜିତ ପାଓ୍ବାର ଏବଂ ପ୍ରଫୁଲ ପଟେଲଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ଛଗନ ଭୁଜବଳ ସେମିତ ଜଣେ ମଣିଷ ନୁହେଁ ଯିଏ ଉଠ୍ କହିଲେ ଉଠିବ ଏବଂ ବସ୍ କହିଲେ ବସିବ । କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି ଏନସିପି ବିଧାୟକ କହିଛନ୍ତି ।
ସେପଟେ ରାଜ୍ୟସଭା ଯିବାକୁ ଟିକେଟ୍ ଦେଲେ ନାହିଁ । ୪୦ ବର୍ଷ ହେଲା ଦଳ ପାଇଁ କାର୍ଯ୍ୟ କରିଛି । ଦଳ କହିଲା ମୋତେ ବିଧାନସଭା ନିର୍ବାଚନ ଲଢ଼ିବା ଦରକାର । ମୁଁ ନିର୍ବାଚନ ଲଢ଼ିଲି ଏବଂ ବିଜୟୀ ହେଲି । କିନ୍ତୁ ଏବେ ମୋତେ ରାଜ୍ୟସଭା ଯିବାକୁ କୁହାଯାଉଛି । ମକରନ୍ଦ ପାଟିଲଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିବା ବେଳେ ତାଙ୍କ ଭାଇ ନୀତିନ ପାଟିଲଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଭୁଜବଳ କହିଛନ୍ତି । ତେବେ ଦଳର ଏହି ଅଫର ପ୍ରତ୍ୟାଖାନ କରିଥିବା ସ୍ପଷ୍ଟ କରିଛନ୍ତି ଭୁଜବଳ ।
ସେପଟେ ଯଦି ରାଜ୍ୟସଭା ଯିବେ ତେବେ ତାଙ୍କୁ ବିଧାନସଭା ଆସନ ଛାଡ଼ିବାକୁ ପଡ଼ିବ । କିନ୍ତୁ ଏଥିପାଇଁ ତାଙ୍କୁ ୨ ବର୍ଷ ସମୟ ଦରକାର ହେବ । କାରଣ ଯେଉଁ ଭୋଟର ତାଙ୍କୁ ଜିତାଇଛନ୍ତି ତାଙ୍କ ପ୍ରତି ଅନ୍ୟାୟ ହେବା ଅନୁଚିତ । ତେଣୁ ରାଜ୍ୟସଭା ଯିବା ପୂର୍ବରୁ ନିର୍ବାଚନୀ ମଣ୍ଡଳୀରେ ଥିବା ସମସ୍ୟାର ସମାଧାନ କରିବାକୁ ହେବ । ଏସବୁ କହିବା ପରେ ମଧ୍ୟ ସେମାନେ (ଅଜିତ ଓ ପ୍ରଫୁଲ) ମୋ ସହ ଆଲୋଚନା କଲେ ନାହିଁ । ମନ୍ତ୍ରୀ ପଦ ପାଇଁ ସମସ୍ତେ ଚାହାଁନ୍ତି । ଯଦିଓ ମନ୍ତ୍ରୀ ପଦର କଥା ନାହିଁ କିନ୍ତୁ ସେମାନେ ଅଣଦେଖା କରିଛନ୍ତି ବୋଲି ଛଗନ ଭୁଜବଳ ଅଭିଯୋଗ କରିଛନ୍ତି ।