ନୂଆଦିଲ୍ଲୀ,୧୫/୧୦: ମଦ୍ରାସାଗୁଡ଼ିକୁ ସରକାରୀ ଅର୍ଥ ଯୋଗାଣ  ଉପରେ ରୋକ ଲଗାଇବା ଏବଂ ମଦ୍ରାସା ବୋର୍ଡ ବନ୍ଦ କରିବା ଲାଗି ଜାତୀୟ  ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌) ସମସ୍ତ ରାଜ୍ୟ ଏବଂ  କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପାରିସ୍‌ କରିଛି । ଏ ନେଇ ଗତ ଶନିବାର  ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ  ସଚିବ ଓ ପ୍ରଶାସକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରାଯାଇଛି । ‘ଆସ୍ଥାର  ସଂରକ୍ଷକ ନା ଅଧିକାରର ବିରୋଧୀ: ଶିଶୁଙ୍କ ସାମ୍ବିଧାନିକ ଅଧିକାର ବନାମ  ମଦ୍ରାସା’ ଶୀର୍ଷକ ଏନ୍‌ସିପିଆର୍‌ର ଏକ ରିପୋର୍ଟ ସହ ଏହି ନିର୍ଦ୍ଦେଶ ଜଡ଼ିତ ।  ଏଥିସହ ମଦ୍ରାସାରେ ପଢ଼ୁଥିବା ପିଲାମାନଙ୍କୁ ବିଧିବଦ୍ଧଭାବେ ସ୍କୁଲରେ ଦାଖଲ  କରାଯିବାକୁ କୁହାଯାଇଛି । 

ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଚିଠିରେ  କହିଛନ୍ତି, ମଦ୍ରାସାରୁ ସମସ୍ତ ଅଣମୁସଲମାନ ଏବଂ ମୁସଲମାନ ପିଲାଙ୍କୁ ୨୦୦୯  ଆର୍‌ଟିଇ ଆକ୍ଟ ଅନୁସାରେ ସ୍କୁଲରେ ଆଡମିଶନ କରାଯାଉ । ସମାନତା, ସାମାଜିକ  ନ୍ୟାୟ ଏବଂ ଗଣତାନ୍ତ୍ରିକ ମୂଲ୍ୟ ପ୍ରାପ୍ତ କରିବା ସମାବେଶୀ ଶିକ୍ଷା ପ୍ରାବଧାନର  ମାଧ୍ୟମରେ ହିଁ ସମ୍ଭବ ବୋଲି ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ ଆକ୍ଟ)ରେ  ରହିଛି । ହେଲେ ପିଲାଙ୍କ ମୌଳିକ ଅଧିକାର ଏବଂ ସଂଖ୍ୟାଲଘୁ ସମୁଦାୟଙ୍କ  ଅଧିକାର ମଧ୍ୟରେ ଏକ ବିରୋଧାଭାସୀ ଛବି ବନାଯାଇଛି ବୋଲି ଚିଠିରେ କୁହାଯାଇଛି । ଏନ୍‌ସିପିଆର୍‌ ରିପୋର୍ଟରେ ମଦ୍ରାସାର ଇତିହାସ ଏବଂ ଶିଶୁଙ୍କ  ଶୈକ୍ଷିକ ଅଧିକାର ଉଲ୍ଲଂଘନରେ ଏହାର ଭୂମିକା ବାବଦରେ ମଧ୍ୟ ଉଲ୍ଲେଖ  କରାଯାଇଛି । ଆର୍‌ଟିଇ ଆକ୍ଟ ଅନୁସାରେ ସମସ୍ତ ଶିଶୁଙ୍କୁ ଔପଚାରିକ ଭାବେ  ଶିକ୍ଷା ମିଳିବାକୁ ସୁନିଶ୍ଚିତ କରିବା ରାଜ୍ୟଗୁଡ଼ିକର କର୍ତ୍ତବ୍ୟ । କେବଳ ବୋର୍ଡ  କିମ୍ବା ୟୁଡିଆଇସିଇ କୋଡ୍‌ ରହିବାର ଅର୍ଥ ନୁହେଁ ଯେ ମଦ୍ରାସାଗୁଡ଼ିକରେ ଶିକ୍ଷା  ଅଧିକାର ଆଇନ ପାଳନ ହେଉଛି ବୋଲି ଏନ୍‌ସିପିଆର୍‌ କହିଛି ।