ନୂଆଦିଲ୍ଲୀ,୦୮/୧୦: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ହୋଇଛି ପ୍ରଥମ ବିଧାନସଭା ନିର୍ବାଚନ। ଏଠାରେ ୧୦ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୯୦ ସିଟ୍ରେ ହେଉଛି ମହାମୁକାବିଲା। ଏଥର ମଇଦାନକୁ ଓମାର ଅବଦୁଲ୍ଲା,ରବୀନ୍ଦ୍ର ସୈନୀ, ଇଲତିଜା ମୁଫତିଙ୍କ ପରି ଆଗ ଧାଡ଼ିର ନେତା ଓହ୍ଲାଇଛନ୍ତି।
ଓମାର ଅବଦୁଲ୍ଲା ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାଶନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ ବିଜୟକୁ ନେଇ ଦୃଢ ଆଶାବାଦୀ ରହିଛନ୍ତି । ଅନ୍ୟପଟେ ପିଡିପି ମୁଖ୍ୟ ମେହବୁବା ମୁଫତି ଏଥର ନିଜେ ନିର୍ବାଚନଠୁ ଦୂରେଇ ଯାଇଥିବା ବେଳେ ତାଙ୍କ ଝିଅ ଶ୍ରୀଗୁଫବାରା- ବିଜବେହାରା ସିଟ୍ରୁ ମଇଦାନକୁ ଓହ୍ଲାଇଛନ୍ତି। ରଦେଶ ଅଧ୍ୟକ୍ଷ ରବୀନ୍ଦ୍ର ସୈନୀ ନୌଶୋରା ସିଟ୍ରୁ ପ୍ରାର୍ଥୀ ହୋଇଛନ୍ତି। ଏନେଇ ଓମାର ଅବଦୁଲ୍ଲା କହିଛନ୍ତି, ଆଜି ମଧ୍ୟାହ୍ନ ସୁଦ୍ଧା ବହୁମତ ସ୍ପଷ୍ଟ ହୋଇଯିବ । ଭୋଟ ଗଣତିରେ ଟାମ୍ପରିଂ ହେବା ଉଚିତ ନୁହେଁ। ଜନାଦେଶ ବିଜେପି ବିରୋଧରେ ଆସିଲେ ଦଳ ଏହାକୁ ସ୍ୱୀକାର କରିବା ଆବଶ୍ୟକ । ନିର୍ବାଚନରେ ବିଜୟ ହାସଲ ନିମନ୍ତେ ଆମେ କଠିନ ପରିଶ୍ରମ କରିଛୁ ଓ ଏଥିରେ ସଫଳ ହେବୁ ବୋଲି ଆଶାବାଦୀ ରହିଛୁ। ତେବେ ଆଜି ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି।