ପାଟନା,୧୯/୧୧; ବିହାରରେ ଏନ୍‌ଡିଏ ସରକାର ଗଠନ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟରେ ଏନ୍ଡିଏର ବାଜିମାତ୍ ପରେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ଙ୍କୁ ନିଜ ଇସ୍ତଫାପତ୍ର ଦେଇଥିଲେ । ଏହାପରେ ଆଜି ପାଟ୍ନାରେ ବିଜେପି ଓ ଏନଡିଏ ବିଧାୟକ ଦଳ ବୈଠକ ବସିବ । ବୈଠକରେ ନେତା ନିର୍ବାଚନ କରାଯିବ । ଏଥିପାଇଁ ବିଜେପି ପକ୍ଷରୁ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ବିହାରର ପର୍ଯ୍ୟବେକ୍ଷକ କରାଯାଇଛି । ଏହା ପରେ ଏନ୍ଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ସେଠାରେ ନୀତୀଶ ଏନ୍ଡିଏ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପ୍ରାୟତଃ ଚୂଡ଼ାନ୍ତ ରହିଛି । ମୁଖ୍ୟମନ୍ତ୍ରୀ ପାଇଁ ନୀତୀଶ କୁମାରଙ୍କ ନାମରେ ମୋହର ବାଜିବ ଏକପ୍ରକାର ନିଶ୍ଚିନ୍ତ । ଆସନ୍ତାକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ବିଧାୟକ ଦଳର ନେତା ହେବା ପରେ ସେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି କରିବେ । ଇତିମଧ୍ୟରେ ବିଜେପି ଏବଂ ଜେଡିୟୁ ମଧ୍ୟରେ ବାଚସ୍ପତି ପଦକୁ ନେଇ ଟଣାଓଟରା ଚାଲିଥିବା କୁହାଯାଉଛି । ସୂତ୍ର ଅନୁସାରେ, ବିଜେପି ବାଚସ୍ପତି ଏବଂ ଉପବାଚସ୍ପତି ଉଭୟ ପଦକୁ ନିଜ କବ୍ଜାରେ ରଖିବାକୁ ଚାହୁଁଛି । କିନ୍ତୁ ଭବିଷ୍ୟତରେ କୌଣସି ପ୍ରକାର ସମସ୍ୟା ଆଶଙ୍କାକୁ ଏଡ଼ାଇବା ଲାଗି ବାଚସ୍ପତି ପଦ ବିଜେପିକୁ ଦେବାକୁ ଜେଡିୟୁ ରାଜି ନାହିଁ । ଏହାଛଡ଼ା ସରକାରରେ ସମାନ ଭାଗିଦାରୀକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ଚାଲିଥିବା ଚର୍ଚ୍ଚା ହେଉଛି ।

ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ପାଟ୍ନାରେ ପହଞ୍ଚିବେ । ସେ ପ୍ରଥମେ ନୀତୀଶ କୁମାରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ନେତାଙ୍କ ମଧ୍ୟରେ ସରକାର ଗଠନ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ନୂଆ କ୍ୟାବିନେଟ୍ରେ ମୋଟ ୩୬ ଜଣ ମନ୍ତ୍ରୀ ରହିବେ । ଜେଡିୟୁର ୧୫ ଏବଂ ବିଜେପିରୁ ୧୬ ଜଣ ମନ୍ତ୍ରୀ ଭାବେ ଶପଥ ନେବେ । ଚିରାଗ ପାଶ୍ୱାନଙ୍କ ଦଳକୁ ୩ଟି ମନ୍ତ୍ରୀ ପଦ ମିଳିବାକୁ ଥିବାବେଳେ ଜୀତନ ରାମ ମାଁଝୀ ଏବଂ ଉପେନ୍ଦ୍ର କୁଶୱାହାଙ୍କ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ମିଳିପାରେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇପାରନ୍ତି ।