ନୂଆଦିଲ୍ଲୀ,୧୭/୦୮: ଆଜି ଉପରାଷ୍ଟ୍ରପତି  ନିର୍ବାଚନ ପାଇଁ ଏନ୍‌ଡିଏ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲାଗିବ ।  ରବିବାର ଏନ୍‌ଡିଏ ସଂସଦୀୟ ବୋର୍ଡର  ବୈଠକ ବସିବ । ଏହି ବୈଠକରେ ପ୍ରାର୍ଥୀ ଚୂଡାନ୍ତ  କରାଯିବ । ଆସନ୍ତା ୨୧ ତାରିଖରେ ଏନ୍‌ଡିଏ ପ୍ରାର୍ଥୀ  ତାଙ୍କର ନାମାଙ୍କନପତ୍ର ଦାଖଲ କରିବେ । ଏହି  ଅବସରରେ ଏନଡିଏ ଶାସିତ ସମସ୍ତ ରାଜ୍ୟର  ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । 

ଏନ୍‌ଡିଏ ପକ୍ଷରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ସବୁଠାରୁ ଆଗରେ ରହିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଓ ବିହାର  ରାଜ୍ୟପାଳ ଆରିଫ ମହମ୍ମଦ ଖାନ । ସେହିଭଳି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ,  ସିକ୍କିମ ରାଜ୍ୟପାଳ ଓମ୍‌ ମାଥୁର, ଜମ୍ମୁ-କାଶ୍ମୀର  ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନାମ ମଧ୍ୟ ଚର୍ଚ୍ଚାରେ  ରହିଛି । ଆରଏସ୍‌ଏସ୍‌ ବିଚାରକ ଶେଷାଦ୍ରି ଚାରି  ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ନାମ ମଧ୍ୟ  ଏନ୍‌ଡିଏର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରହିଛି ।  ନିକଟରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ର  ଶାସିତ ଅଞ୍ଚଳର ଉପରାଜ୍ୟପାଳ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ  ଶାହଙ୍କୁ ଭେଟିଛନ୍ତି । ତେବେ ବିଜେପି ନେତାମାନେ  ପୂର୍ବରୁ କହିଛନ୍ତି ଯେ ଉପରାଷ୍ଟ୍ରପତି ପ୍ରାର୍ଥୀ ତାଙ୍କ  ଦଳରୁ ହିଁ ବଛାଯିବେ । ଯେଉଁମାନଙ୍କର ଦଳ ଓ  ଆରଏସ୍‌ଏସ୍‌ର ବିଚାରଧାରା ସହ ସମ୍ପର୍କ ଥିବ । 

ସେପଟେ ବିରୋଧୀ ଇଣ୍ଡିଆ ବ୍ଲକ ପକ୍ଷରୁ  ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବା ଉଦ୍ଦେଶ୍ୟରେ ଆସନ୍ତା  ୧୮ ତାରିଖ (ସୋମବାର)ରେ ଏକ ବୈଠକ ବସିବାର ସମ୍ଭାବନା ରହିଛି । କଂଗ୍ରେସ ଅଧ୍ୟକ୍ଷ  ମଲିକାର୍ଜୁନ ଖଡ୍‌ଗେ ଇଣ୍ଡିଆ ବ୍ଲକର ନେତାମାନଙ୍କ  ସହ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ଜାରି  ରଖିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆସନ୍ତା  ସେପ୍ଟେମ୍ବର ୯ରେ ଭୋଟ ହେବ । ସେହିଦିନ ହିଁ  ଭୋଟ ଶେଷ ହେବା ପରେ ଗଣତି କରାଯିବ ଏବଂ  ଫଳାଫଳ ପ୍ରକାଶ ପାଇବ । ଉପରାଷ୍ଟ୍ରପତି ନିର୍ବାଚନ  ଲାଗି ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଥିଲା ବେଳେ ୨୫ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର  କରାଯାଇପାରିବ । ଗତ ଜୁଲାଇ ୨୧ ତାରିଖ ରାତିରେ  ଜପଦୀପ ଧନଖଡ ହଠାତ୍‌ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ  ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ୭୪  ବର୍ଷୀୟ ଧନଖଡଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ରହିଥିଲା ।