ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସେପ୍ଟେମ୍ବର ୮ ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ଏନଡିଏ ସାଂସଦଙ୍କ ରାତ୍ରୀଭୋଜନକୁ ବାତିଲ କରାଯାଇଛି । ଏହା ସହିତ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଘରେ ହେବାକୁ ଥିବା ବିଜେପି ସାଂସଦଙ୍କ ରାତ୍ରୀଭୋଜନ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରାଯାଇଛି । ପଞ୍ଜାବ ଏବଂ ଅନ୍ୟାନ୍ୟ ରାଜ୍ୟରେ ବନ୍ୟା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକୁ ଗସ୍ତ କରିବେ ଏବଂ ସମୀକ୍ଷା କରିବେ । ବନ୍ୟା ଯୋଗୁଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଗୁଜରାଟ ବହୁତ କ୍ଷତି ସହିଛି ।
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ, NDA ମେଣ୍ଟର ସାଂସଦମାନଙ୍କୁ ଶତ ପ୍ରତିଶତ ମତଦାନ ପାଇଁ ତାଲିମ ଦିଆଯିବ । ତିନି ଦିନିଆ କର୍ମଶାଳାରେ ସାଂସଦମାନଙ୍କୁ ଭୋଟଦାନ ପ୍ରକ୍ରିୟା ବିଷୟରେ କୁହାଯିବ। ଏହା ପରେ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କ ପାଇଁ ରାତ୍ରୀଭୋଜନର ଆୟୋଜନ କରିଥାନ୍ତେ। କିନ୍ତୁ ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି । ତାଲିମ ଅଧିବେଶନରେ, ସାଂସଦମାନଙ୍କୁ ଭୋଟ୍ ଅବୈଧ ନହେବା ପାଇଁ ବାଲଟ୍ ପେପରକୁ ସଠିକ୍ ଭାବରେ ଚିହ୍ନିତ କରିବା, ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଲମ ବ୍ୟବହାର କରିବା ଏବଂ ବାଲଟ୍ ପେପରକୁ ସଠିକ୍ ଭାବରେ ମୋଡ଼ି ବାକ୍ସ ଭିତରେ ରଖିବା ବିଷୟରେ ସୂଚନା ଦିଆଯିବ । ଏହା ପଛର କାରଣ ହେଉଛି, ଗୁପ୍ତ ଭୋଟିଂରେ ଦଳୀୟ ହ୍ୱିପ୍ ପ୍ରଯୁଜ୍ୟ ହୁଏ ନାହିଁ। ଏପରି ପରିସ୍ଥିତିରେ କ୍ରସ୍ ଭୋଟିଂକୁ ରୋକିବା ଏବଂ ଅବୈଧ ଭୋଟ୍ ହ୍ରାସ କରିବା ଉପରେ ଗୁରୁତ୍ବ ଦେଉଛି ଏନଡିଏ ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ । ଭୋଟ ଗଣତି ମଧ୍ୟ ସେହି ଦିନ ହେବ। ଏନଡିଏ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତାଙ୍କର ମୁକାବିଲା ଇଣ୍ଡିଆ ପ୍ରାର୍ଥୀ ଏବଂ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କ ସହ ହେବ। ଅବସରପ୍ରାପ୍ତ ବିଚାରପତି ରେଡ୍ଡୀ ଆନ୍ଧ୍ର ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ସିପି ରାଧାକୃଷ୍ଣନ ତାମିଲନାଡୁର ଲୋକ । ସୂଚନାଯୋଗ୍ୟ, ଜୁଲାଇ ୨୧ ରାତିରେ ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଯୋଗୁଁ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ୭୪ ବର୍ଷୀୟ ଧନଖଡ଼ଙ୍କ କାର୍ଯ୍ୟକାଳ ୧୦ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ଥିଲା ।
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ, NDA ଅନ୍ୟ ଦଳର ସାଂସଦଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛି । ଏସବୁ ଭିତରେ ଆନ୍ଧ୍ର ପ୍ରଦେଶର ଓ୍ବାଇଏସଆର କଂଗ୍ରେସ ପାର୍ଟିର ୧୧ ଜଣ ସାଂସଦଙ୍କ ସମର୍ଥନ ପାଇସାରିଛି ଏନଡିଏ । ଏବେ ଏନଡିଏ ଓଡ଼ିଶାର ବିଜେଡି ଏବଂ ତେଲେଙ୍ଗାନାର ବିଆରଏସର ସମର୍ଥନ ପାଇବାକୁ ଚେଷ୍ଟା କରୁଛି ।
ଲୋକସଭାରେ ମୋଟ ସାଂସଦଙ୍କ ସଂଖ୍ୟା ୫୪୨ । ଗୋଟିଏ ଆସନ ଖାଲି ଅଛି । ଏନଡିଏର ୨୯୩ ସାଂସଦ ଅଛନ୍ତି। ସେହିଭଳି ରାଜ୍ୟସଭାରେ ୨୪୫ ସାଂସଦ ଅଛନ୍ତି । ୫ଟି ଆସନ ଖାଲି ରହିଛି । ରାଜ୍ୟସଭାରେ ଏନଡିଏର ୧୨୯ ସାଂସଦ ଅଛନ୍ତି। ଶାସକ ମେଣ୍ଟକୁ ମୋଟ ୪୨୨ ସଦସ୍ୟଙ୍କ ସମର୍ଥନ ମିଳିଛି। ବହୁମତ ପାଇଁ ୩୯୧ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଅଗଷ୍ଟ ୨୦୨୨ରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ୫୨୮ଭୋଟ ପାଇଥିଲେ । ସେହି ସମୟରେ, ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭା ମାତ୍ର ୧୮୨ ଭୋଟ ପାଇଥିଲେ। ୫୬ ଜଣ ସାଂସଦ ଭୋଟ ଦେଇ ନଥିଲେ ।