ଭୁବନେଶ୍ୱର,୧/୧ : ରାଜ୍ୟରେ ଜାରି ରହିଛି ଧାନ ସଂଗ୍ରହ । ରାଜ୍ୟରେ ଚଳିତ ଖରିଫ୍ ଋତୁରେ ସରକାରୀ ସ୍ତରରେ ଧାନ ସଂଗ୍ରହ ଜାରି ରହିଛି । ପଞ୍ଜିକୃତ ଚାଷୀମାନେ ସେମାନଙ୍କ ମଣ୍ଡିକୁ ଆସି ନିଜର ଧାନ ବିକ୍ରୟ ଚାଲୁ ରଖିଛନ୍ତି । ସେମାନଙ୍କ ସୁବିଧା ନିମନ୍ତେ ସମସ୍ତ ମଣ୍ଡିରେ ଅସ୍ଥାୟୀ ଆଶ୍ରୟସ୍ଥଳ,ପାନୀୟ ଜଳ,ସିସିଟିଭି ମୁତୟନ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଅଧିକାରୀମାନେ ନିୟୋଜିତ ରହି ଧାନକିଣା ଉପରେ ନଜର ରଖୁଛନ୍ତି । କୌଣସି ମଧ୍ୟସ୍ଥି କଥାକୁ ବିଶ୍ୱାସ ନ କରି କେବଳ ସରକାରୀ ସ୍ତରରେ ଧାନ ବିକ୍ରୟ କରିବା ଏବଂ କେବଳ ସରକାରଙ୍କ ନିର୍ଦ୍ଦେଶନାମାକୁ ଅନୁସରଣ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଧାନ ବିକ୍ରୟ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଥିଲେ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଚାଷୀ ମାନେ ଅଭିଯୋଗ କରିପାରିବା ସହ ସେମାନଙ୍କ ଅଭିଯୋଗ ଗୁଡିକର ତ୍ୱରିତ ଶୁଣାଣି କରାଯାଉଛି ।​​​​​​​

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲା ଯଥା  ବାଲେଶ୍ୱରବରଗଡ଼ବଲାଙ୍ଗିରବୌଦ୍ଧଦେବଗଡ଼ଗଞ୍ଜାମଝାରସୁଗୁଡ଼ାକଳାହାଣ୍ଡିକେନ୍ଦୁଝରକୋରାପୁଟମାଲକାନଗିରିମୟୂରଭଞ୍ଜନବରଙ୍ଗପୁର,ନୂଆପଡ଼ାରାୟଗଡ଼ାସମ୍ବଲପୁରସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ଜାରି ରହିଛି । ଅଦ୍ୟାବଧି ଏହିସବୁ ଜିଲ୍ଲାର ୨,୪୯,୮୮୮ ଜଣ ଚାଷୀଙ୍କଠାରୁ ୧୧ଲକ୍ଷ ୧୦ହଜାର ୬୦୨ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇ ସାରିଲାଣି ।

ଏଥିସହ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୯୬୧ କୋଟି ଟଙ୍କା ଏବଂ ଇନ୍ପୁଟ ସହାୟତା ବାବଦକୁ ୬୦୫ କୋଟି ଟଙ୍କା ଭାବେ ପ୍ରାୟ ୨୫୬୬ କୋଟି ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ସେମାନଙ୍କ ଆକାଉଣ୍ଟକୁ ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯାଉଛି ।