ନୂଆଦିଲ୍ଲୀ,୦୬/୧୨: ୨୦୨୩-୨୪ ଆର୍ଥିକବର୍ଷରେ ମୋଟ ୧,୦୬,୧୫୦ ସଂଖ୍ୟକ ଔଷଧର ମାନ ପରୀକ୍ଷା କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ବିଫଳ ହୋଇଥିବାବେଳେ ୨୮୨ଟି ଔଷଧ ନକଲି ଥିଲା । ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ।
ନକଲି ଏବଂ ନିକୃଷ୍ଟମାନର ଔଷଧ ବିରୋଧରେ ସରକାର ଏକ ମେଗା ଅଭିଯାନ ଚଳାଇଛନ୍ତି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥାନ(ସିଡିଏସ୍ସିଓ) ତଥ୍ୟ ଅନୁସାରେ, ଦେଶରେ ଏଭଳି ୧୦,୫୦୦ ୟୁନିଟ୍ ରହିଛି, ଯେଉଁଠାରେ ବିଭିନ୍ନ ପ୍ରକାର ଏପିଆଇର ଉତ୍ପାଦନ ହେଉଛି ।
ସରକାର ବିଭିନ୍ନ ରାଜ୍ୟରେ ଫାର୍ମା କମ୍ପାନିଗୁଡ଼ିକ ଉପରେ ଚଢ଼ଉ କରୁଛନ୍ତି ଏବଂ ଆଇନ ଉଲ୍ଲଂଘନ କରୁଥିବା କମ୍ପାନିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
ଏଯାବତ୍ ୫୦୦ରୁ ଊଦ୍ଧ୍ୱର୍ ସ୍ଥାନରେ ଛାନ୍ଭିନ୍ କରାଯାଇଛି । ଆଇନ ଉଲ୍ଲଂଘନ କ୍ଷେତ୍ରରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି । ରାଜ୍ୟ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଇସେନ୍ସ ରଦ୍ଦ କରାଯାଉଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି ।