ନୂଆଦିଲ୍ଲୀ,୨୮/୦୮: କେନ୍ଦ୍ର ସରକାର ନିକଟରେ ସଂସଦରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଧେୟକ ଉପସ୍ଥାପନ କରିଥିଲେ । ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କେହି ମନ୍ତ୍ରୀ କୌଣସି ଅପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନ ଯାଏ ଜେଲ୍ରେ ରହନ୍ତି ତେବେ ତାଙ୍କୁ ପଦରୁ ହଟାଯାଇ ପାରିବ ବୋଲି ସେଥିରେ ପ୍ରାବଧାନ ରହିଛି । ବର୍ତ୍ତମାନ ସ୍ଥିତିରେ କିନ୍ତୁ ଦେଶରେ ଅଧା ବିଧାୟକ ଓ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଅଛି ।
ମହିଳା ବିରୋଧୀ ଅପରାଧ ମାମଲାରେ ପଶ୍ଚିମବଙ୍ଗ ସବୁଠୁ ଆଗରେ ରହିଛି । ରାଜ୍ୟରେ ମୋଟ ବିଧାୟକଙ୍କ ମଧ୍ୟରୁ ୨୩ ଜଣ ବା ୭.୮%ଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି । ତା’ ତଳକୁ ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶ । ଆନ୍ଧ୍ରର ୨୧ ଜଣ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି । ତୃତୀୟ ସ୍ଥାନରେ ଥିବା ଓଡ଼ିଶାରେ ୧୬ ଜଣ ବିଧାୟକ ମହିଳା ବିରୋଧୀ ଅପରାଧିକ ମାମଲାର ସାମ୍ନା କରୁଛନ୍ତି । ତାଲିକାର ଚତୁର୍ଥ ଓ ପଞ୍ଚମରେ ଯଥାକ୍ରମେ ମହାରାଷ୍ଟ୍ର ଓ ବିହାର ରହିଛି । ନିର୍ବାଚନ ସୁଧାର ଲାଗି କାମ କରୁଥିବା ଏନ୍ଜିଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଏଡିଆର୍ ରିପୋର୍ଟ ଅନୁସାରେ, ସାରା ଦେଶରେ ୪୫% ବିଧାୟକ ସେମାନଙ୍କ ଉପରେ ଅପରାଧିକ ମାମଲା ଥିବା ଘୋଷିତ କରିଛନ୍ତି । ୨୯% ବିଧାୟକ ସଙ୍ଗୀନ ମାମଲାର ସାମ୍ନା କରୁଛନ୍ତି । ବିଧାୟକଙ୍କ ନାଁରେ ଅପରାଧିକ ମାମଲାରେ ଆନ୍ଧ୍ରପ୍ରଦେଶ ଦେଶରେ ପ୍ରଥମ ସ୍ଥାନରେ ରହିଛି । ରାଜ୍ୟର ୭୯ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ୫୬ ଜଣ ସଙ୍ଗୀନ ମାମଲାର ସାମ୍ନା କରୁଛନ୍ତି । ଏହାପରେ କେରଳ, ତେଲଙ୍ଗାନା ଓ ବିହାର ଆସୁଛି। ପଞ୍ଚମ ସ୍ଥାନରେ ମହାରାଷ୍ଟ୍ର, ଷଷ୍ଠରେ ତାମିଲନାଡୁ, ସପ୍ତମରେ ଓଡି଼ଶା, ଅଷ୍ଟମରେ କର୍ଣ୍ଣାଟକ, ନବମରେ ଝାଡ଼ଖଣ୍ଡ ଓ ଦଶମ ସ୍ଥାନରେ ଉତ୍ତରପ୍ରଦେଶ ରହିଛି ।
ସେହିପରି ବିଗତ ୧୫ ବର୍ଷ ମଧ୍ୟରେ ଦେଶରେ ଅପରାଧିକ ପୃଷ୍ଠଭୂମିଯୁକ୍ତ ସାଂସଦଙ୍କ ସଂଖ୍ୟା ୧୬% ବଢ଼ିଛି । ୨୦୦୯ରେ ୩୦% ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ଓ ୧୪%ଙ୍କ ବିରୋଧରେ ଗମ୍ଭୀର ମାମଲା ରହିଥିଲା । ୨୦୧୯ରେ ୪୩% ସାଂସଦ ଅପରାଧିକ ମାମଲାରେ ସାମିଲ ଥିଲେ । ୨୯%ଙ୍କ ବିରୋଧରେ ଗମ୍ଭୀର ମାମଲା ଥିବା ଜଣାପଡି଼ଥିଲା । ୨୦୨୪ ଲୋକସଭା ନିର୍ବାଚନ ପରେ ଗଠିତ ସଂସଦରେ ଏହି ସଂଖ୍ୟା ଆହୁରି ବଢ଼ିଯାଇଛି । ବର୍ତ୍ତମାନ ଦେଶରେ ୪୬% ସାଂସଦ ଅପରାଧିକ ମାମଲା ଓ ୩୧% ଗମ୍ଭୀର ମାମଲାର ସାମ୍ନା କରୁଛନ୍ତି । ଏଭଳି ସ୍ଥିତିରେ ନୂଆ ସମ୍ବିଧାନ ସଂଶୋଧନ ବିଧେୟକକୁ ନିର୍ବାଚନ ସୁଧାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।