ବେଙ୍ଗାଲୁରୁ, ୬/୦୭: ବେଙ୍ଗାଲୁରୁର  ଶ୍ରୀ କ୍ରାନ୍ତିରବ ଷ୍ଟାଡିୟମରେ ଆୟୋଜିତ  ଏନ୍‌ସି କ୍ଲାସିକ ପ୍ରଥମ ସଂସ୍କରଣରେ  ଅଲିମ୍ପିଆନ ନୀରଜ ଚୋପ୍ରା ଚାମ୍ପିଅନ  ହୋଇଛନ୍ତି । ସେ ୮୬.୧୮ ମିଟର ଜାଭେଲିନ  ଫିଙ୍ଗିଥିଲେ । କେନିଆର ଜୁଲିୟସ ୟେଗୋ  ୮୪.୫୧ ମିଟର ସହ ରୌପ୍ୟ ଏବଂ  ଶ୍ରୀଲଙ୍କାର ରମେଶ ପାଥିରାଗ ୮୪.୩୪  ମିଟର ସହ ବ୍ରୋଞ୍ଜ ପଦକ ଜିତିଥିଲେ । 

ଭାରତରେ ପ୍ରଥମ ଥର ଏହି  ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନୀରଜଙ୍କ ନାମରେ ପ୍ରତିଯୋଗିତାର ନାମକରଣ କରାଯାଇଥିଲା । ମୋଟ୍‌ ୧୨ ଜଣ  ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ  ମଧ୍ୟରେ ୫ ଜଣ ଭାରତୀୟ (ସାହିଲ  ସିଲୱାଲ, ରୋହିତ ଯାଦବ, ଯଶବୀର ସିଂ,  ସଚିନ ଯାଦବ ଓ ନୀରଜ ଚୋପ୍ରା) ଥିଲେ । ପ୍ରତିଯୋଗିତା ଆରମ୍ଭରୁ ସାଂସ୍କୃତିକ  କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାପରେ ପ୍ରତିଯୋଗିତା ଆରମ୍ଭ  ହୋଇଥିଲା । ନୀରଜ ପ୍ରଥମ ରାଉଣ୍ଡରେ  ଫାଉଲ ମାରିଥିଲେ । ଅନ୍ୟମାନେ କେହି ୮୦  ମିଟର ଛୁଇଁପାରି ନଥିଲେ । ଦ୍ୱିତୀୟ ରାଉଣ୍ଡରେ  ନୀରଜ ୮୨.୯୯ ମିଟର ଫିଙ୍ଗିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ କେବଳ ଜୁଲିୟସ  (୮୦.୦୭) ୮୦ ମିଟର ଅତିକ୍ରମ କରିଥିଲେ । 

ତୃତୀୟ ରାଉଣ୍ଡରେ ନୀରଜ ଶ୍ରେଷ୍ଠ  ପ୍ରଦର୍ଶନ ( ୮୬.୧୮ ମିଟର) ଦେଇଥିଲେ ।  ସଚିନ ମଧ୍ୟ ( ୮୨.୩୩) ଭଲ ଥ୍ରୋ  କରିଥିଲେ । ପାଥିରାଗ ୮୪.୩୪ ମିଟର ଫିଙ୍ଗି  ପଦକ ଦୌଡ଼ରେ ସାମିଲ ହୋଇଥିଲେ । ଏହି  ରାଉଣ୍ଡ ପରେ ୪ ଜଣ ବାଦ ପଡ଼ିଥିଲେ ।  ଅବଶିଷ୍ଟ ୩ ରାଉଣ୍ଡରେ ୮ ଜଣ ଥ୍ରୋ ସାମିଲ  ଥ୍ରୋ କରିଥିଲେ । ୪ର୍ଥ ରାଉଣ୍ଡରେ ଜୁଲିୟସ  ୮୪.୫୧ ମିଟର ଫିଙ୍ଗିଥିଲେ । ଅନ୍ୟ  ସମସ୍ତଙ୍କର ଫାଉଲ ହୋଇଥିଲା । ଶେଷ ଦୁଇ  ରାଉଣ୍ଡରେ କେହି ସେମିତି ଭଲ ପ୍ରଦର୍ଶନ  କରିପାରି ନଥିଲେ । ନୀରଜ ୫ମ ରାଉଣ୍ଡରେ  ୮୪.୦୭ ମିଟର ଏବଂ ଷଷ୍ଠ ରାଉଣ୍ଡରେ ୮୨.୨୨  ମିଟର ଫିଙ୍ଗି ଅଭିଯାନ ଶେଷ କରିଥିଲେ।