ନୂଆଦିଲ୍ଲୀ,୦୬/୦୬: ଆସନ୍ତା ୨୦ ତାରିଖରେ ପ୍ୟାରିସ୍‌ ଡାଏମଣ୍ଡ୍‌ ଲିଗ୍‌ ଅନୁଷ୍ଠିତ ହେବ । ଏଥିରେ ଡବଲ୍‌  ଅଲିମ୍ପିକ୍‌ ପଦକ ବିଜେତା ଭାରତର ଜାଭେଲିନ ତାରକା  ନୀରଜ ଚୋପ୍ରା ଭାଗ ନେବେ । ଚଳିତ ସିଜନରେ ଏହା  ତାଙ୍କର ଦ୍ୱିତୀୟ ଡାଏମଣ୍ଡ ଲିଗ୍‌ ମୁକାବିଲା ହେବ । ପୂର୍ବରୁ  ସେ ଦୋହା ଡାଏମଣ୍ଡ ଲିଗ୍‌ରେ ସିଜନ ଆରମ୍ଭ କରିଥିଲେ ।  ଏହି ଲିଗ୍‌ରେ ନୀରଜ ପ୍ରଥମ ଭାରତୀୟ ଭାବେ ୯୦  ମିଟର ଥ୍ରୋ କ୍ଲବ୍‌ରେ ସାମିଲ ହୋଇଥିଲେ । ନିଜର ତୃତୀୟ  ପ୍ରୟାସରେ ୯୦.୨୩ ମିଟର ଥ୍ରୋ କରିବା ସହ ରୌପ୍ୟ ପଦକ  ଜିତିଥିଲେ । ଏହା ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ  ଥିଲା । 

ଏଥିସହ ନୀରଜ ନିଜର ପୂର୍ବ ଜାତୀୟ ରେକର୍ଡ ଭଙ୍ଗ  କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । ମାତ୍ର ଜର୍ମାନୀର  ଜୁଲିଆନ ୱେବର ଷଷ୍ଠ ପ୍ରୟାସରେ ୯୧.୦୬ ମିଟର ଥ୍ରୋ କରି  ସ୍ୱର୍ଣ୍ଣ ହାସଲ କରିଥିଲେ । ଦୋହା ଡାଏମଣ୍ଡ୍‌ ପରେ ନୀରଜ  ପୋଲାଣ୍ଡରେ ଆୟୋଜିତ ଜାନୁଜ କୁସୋସିନସ୍କି ମିଟ୍‌ରେ  ଭାଗ ନେଇ ରୌପ୍ୟ ହାସଲ କରିଥିଲେ । ସେ ନିଜର ଅନ୍ତିମ  ପ୍ରୟାସରେ ୮୪.୧୪ମିଟର ଦୂର ଜାଭେଲିନ ଫିଙ୍ଗି ଦ୍ୱିତୀୟ  ସ୍ଥାନ ଅଧିକାର କରିଥିଲେ । ଏହି ମିଟ୍‌ରେ ମଧ୍ୟ ୱେବର  ୮୬.୧୨ମିଟର (ଦ୍ୱିତୀୟ ଥ୍ରୋ) ସହ ଚାମ୍ପିଅନ୍‌ ହୋଇଥିଲେ ।