ନୂଆଦିଲ୍ଲୀ,୧୪।୧ : ଦେଶରେ ମେଡିକାଲ ପିଜି କୋର୍ସରେ ଖାଲି ପଡିଛି ହଜାର ହଜାର ସିଟ୍। ଏହାକୁ ଭରିବା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମ୍ଏସ୍) ନିଟ୍ ପିଜି ୨୦୨୫ ପାଇଁ କ୍ବାଲିଫାଇଂ କଟ୍ଅଫ୍କୁ ହ୍ରାସ କରି ଖୁବ୍ କମ୍ କରିଦେଇଛି। ସଂଶୋଧିତ ମାନଦଣ୍ଡ ଅନୁସାରେ, ଏବେ ସାଧାରଣ ବର୍ଗ ଓ ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ କ୍ବାଲିଫାଇଂ ୫୦ପର୍ସେଣ୍ଟାଇଲକୁ କମ୍ କରି ୭ ପର୍ସେଣ୍ଟାଇଲ୍ କରି ଦିଆଯାଇଛି। ଏଭଳି ଭାବରେ ଏସସି,ଏସ୍ଟି ଓ ଓବିସି ପ୍ରାର୍ଥୀଙ୍କ ପାଇଁ ପର୍ସେଣ୍ଟାଇଲ ୪୦ରୁ ହ୍ରାସ କରି ଶୂନ୍ୟ (ଜିରୋ) କରି ଦିଆଯାଇଛି। ବେଞ୍ଚମାର୍କ ବିକଳାଙ୍ଗତା ଥିବା ଜେନେରାଲ କାଟାଗୋରୀ( ପିଡବ୍ଲୁବିଡି) ପାଇଁ ୪୫ରୁ ହ୍ରାସ କରି ୫ ପର୍ସେଣ୍ଟାଇଲ୍ କରି ଦିଆଯାଇଛି। ଉଲ୍ଲେଖନୀୟ ଯେ, ନିଟ୍ ପିଜି ୨୦୨୫ କାଉନସେଲିଂର ଦୁଇ ରାଉଣ୍ଡ ହେବାପରେ ସରକାରୀ ଓ ପ୍ରାଇଭେଟ୍ ମେଡିକାଲ କଲେଜରେ ୧୮୦୦୦ରୁ ଅଧିକ ପିଜି ସିଟ୍ ଖାଲି ହୋଇଯାଇଛି।
ରିଜର୍ଭ କାଟାଗୋରୀର ପ୍ରାର୍ଥୀଙ୍କ ପାଇଁ କ୍ବାଲିଫାଇଂ ପର୍ସେଣ୍ଟାଇଲକୁ ହ୍ରାସ କରି ଜିରୋ କରି ଦିଆଯାଇଛି। ଏହି ନିଷ୍ପତ୍ତି ପରେ ନିଟ୍ ପିଜି ୨୦୨୫ ରେ ୮୦୦ ରୁ ମାଇନସ୍ ୪୦ ପଏଣ୍ଟ ଆଣୁଥିବା ପ୍ରାର୍ଥୀ ମଧ୍ୟ ପୋଷ୍ଟ ଗ୍ରାଜୁଏସନ୍ ମେଡିକାଲ କୋର୍ସ ଏମଡି ଓ ଏମ୍ଏସ୍ରେ ଆଡମିସନ୍ ପାଇଁ ଚାଲିଥିବା କାଉନସେଲିଂ ପକ୍ରିୟାର ତୃତୀୟ ରାଉଣ୍ଡରେ ଭାଗ ନେଇ ପାରିବ ଓ ଦାଖଲ କରିପାରିବ। କଟଅଫ୍ ସ୍କୋର ୨୩୫କୁ ହ୍ରାସ କରି ମାଇନସ୍ ୪୦ ସ୍କୋର କରି ଦିଆଯାଇଛି।ଏହି କାଟ୍ର ଅର୍ଥ ରିଜର୍ଭ କାଟାଗୋରିର ସବୁ ପ୍ରାର୍ଥୀ ଯେଛଁମାନେ ନିଟ୍ ପିଜି ୨୦୨୫ର ପରୀକ୍ଷା ଦେଇଛନ୍ତି, ସେମାନେ ଏବେ ଏହି ନିଷ୍ପତ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦେଶରେ ନେଇପାରିବେ। ସରକାର ଜାନୁଆରୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଏନବିଇଏମ୍ଏସ୍ ଏ ବିଷୟରେ ରିପୋର୍ଟ ତଲବ କରିଥିଲା। ଏହାପରେ ଏବେ ତୃତୀୟ ରାଉଣ୍ଡରେ କଟ୍ ଅଫ୍ ହ୍ରାସ କରିବାର ନିଷ୍ପତ୍ତି ନିଆଯାଇଛି।
ସଂଶୋଧିକ ମାନକ ଅନୁସାରେ,ସାମାନ୍ୟ ଓ ଇଡବ୍ଲୁଏସ୍ ପ୍ରାର୍ଥୀଙ୍କ ପାଇଁ ୮୦୦ ସ୍କୋର କରିବା ପୂର୍ବରୁ ନିର୍ଦ୍ଧାରିତ କ୍ବାଲିଫାଇଂ ସ୍କୋର ୨୭୬ ଥିଲା। ଏହାକୁ ହ୍ରାସ କରି ୧୦୩ କରି ଦିଆଯାଇଛି। ସେଭଳି କଟ୍ ଅଫ୍ ୫୦% ପର୍ସେଣ୍ଟାଇଲକୁ ହ୍ରାସ କରି ମାତ୍ର ୭ ପର୍ସେଣ୍ଟାଇଲ କରି ଦିଆଯାଇଛି। ଜେନେରାଲ ଇଡବ୍ଲୁଡି ଶ୍ରେଣୀର ପ୍ରାର୍ଥୀଙ୍କୁ କଟ୍ ଅଫ୍ ୪୫ ପର୍ସେଣ୍ଟାଇଲ ତୁଳନାରେ ମାତ୍ର ୫ ପର୍ସେଣ୍ଟାଇଲ୍ କରି ଦିଆଯାଇଛି। କ୍ବାଲିଫାଇଂ ସ୍କୋର ମଧ୍ୟ ୨୫୫ ସ୍କୋରକୁ ହ୍ରାସ କରି ୯୦ କରି ଦିଆଯାଇଛି। ଏହି ନିଷ୍ପତ୍ତିକୁ ମେଡିକାଲ ଦୁନିଆରେ ନିନ୍ଦା କରାଯାଉଛି। ଏହା ମେଡିକାଲ ଶିକ୍ଷାରେ ଏକାଡେମିକ୍ ଷ୍ଟାଣ୍ଡାର୍ଡକୁ ଚିନ୍ତାଜନକ ଭାବରେ ହ୍ରାସ କରୁଛି ବୋଲି କୁହାଯାଉଛି।