ମୁମ୍ବାଇ, ୨୬/୦୩: ଏକ କନ୍‌ସର୍ଟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଗାୟିକା ନେହା କକ୍କର । ନିକଟରେ ନେହାଙ୍କର ମେଲବର୍ନରେ ଏକ କନ୍‌ସର୍ଟ ଥିଲା, ଯାହାର ସମୟ ଥିଲା ସନ୍ଧ୍ୟା ୭.୩୦ । କିନ୍ତୁ ନେହା ପ୍ରାୟ ୩ ଘଣ୍ଟା ବିଳମ୍ବରେ ମଞ୍ଚରେ ପହଞ୍ଚିଲେ । ନେହାଙ୍କୁ ଅପେକ୍ଷା କରି ରହିଥିବା ଦର୍ଶକ ତାଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଲେ । ଫ୍ୟାନ୍‌ଙ୍କୁ କ୍ରୋଧିତ ଦେଖି ନେହା ମଞ୍ଚରେ ଜୋର ଜୋର କାନ୍ଦିବାକୁ ଲାଗିଲେ । 

ନେହାଙ୍କ ମେଲ୍‌ବର୍ନ କନ୍‌ସର୍ଟର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ବିଳମ୍ବରେ କନ୍‌ସର୍ଟରେ ପହଞ୍ଚିବା ଯୋଗୁ ନେହା କାନ୍ଦି କାନ୍ଦି ଫ୍ୟାନ୍‌ଙ୍କୁ କ୍ଷମା ପ୍ରାର୍ଥନା କରୁଥିବା ନଜର ଆସିଛନ୍ତି । କିନ୍ତୁ କ୍ରୋଧରେ ଥିବା ଫ୍ୟାନ୍‌ ତାଙ୍କୁ ଲଗାତାର ଟ୍ରୋଲ୍‌ କରୁଛନ୍ତି । ଜଣେ ଦର୍ଶକ ଚିତ୍କାର କରି କହୁଛନ୍ତି ‘ଏହା ଭାରତ ନୁହେଁ, ଅଷ୍ଟ୍ରେଲିଆ ।’ ଆଉ ଜଣେ କହିଲେ ‘ଫେରିଯାଅ, ହୋଟେଲରେ ଆରାମ କର ।’ ଆଉ ଜଣେ ଦର୍ଶକ ତାଙ୍କ କାନ୍ଦିବା ଉପରେ କମେଣ୍ଟ୍‌ କରି କହିଲେ ‘ଏହା ପିଲାଙ୍କ ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ ନୁହେଁ ।’ 

ଭାଇରାଲ ଭିଡିଓରେ ନେହା ଫ୍ୟାନ୍‌ଙ୍କୁ କ୍ଷମା ମାଗୁଛନ୍ତି । କହୁଛନ୍ତି ‘ଆପଣମାନେ ବହୁତ ଭଲ, ଆପଣମାନେ ଧୈର୍ଯ୍ୟ ଧରିଲେ । ଏତେ ସମୟରୁ ଆପଣମାନେ ଅପେକ୍ଷା କରିଛନ୍ତି । ମୁଁ ଏହାକୁ ଘୃଣା କରେ । ମୁଁ ଜୀବନରେ କେବେ କାହାକୁ ଏତେ ଅପେକ୍ଷା କରାଇନାହିଁ । ମୁଁ ଅତ୍ୟନ୍ତ ଦୁଃଖିତ । ଏହା ମୋ ପାଇଁ ବହୁତ ବଡ଼ କଥା । ମୁଁ ଏହି ସନ୍ଧ୍ୟାକୁ ସର୍ବଦା ମନେରଖିବି । ଆପଣମାନେ ସମୟ ବାହାର କରି ଆସିଲେ । ଆପଣ ସମସ୍ତଙ୍କୁ ମୁଁ ନଚାଇବି ନିଶ୍ଚୟ ।’ ପହଞ୍ଚିବାରେ ବିଳମ୍ବ ସମେତ ନେହାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ଅଭିଯୋଗ ହେଉଛି ଯେ ସେ ରାତି ୧୦ଟାରେ ମଞ୍ଚରେ ପହଞ୍ଚିଲେ । ଅଳ୍ପ କିଛି ପ୍ରଦର୍ଶନ ପରେ ସେଠାରୁ ଚାଲିଆସିଲେ । ଏଥିପାଇଁ ସୋସିଆଲ ମିଡିଆରେ ଫ୍ୟାନ୍‌ ତାଙ୍କ ଉପରେ ରାଗୁଛନ୍ତି । କିଛି ତାଙ୍କୁ ଡ୍ରାମେବାଜ୍‌ କହୁଛନ୍ତି ।