କାଠମାଣ୍ଡୁ,୨୪।୨: ନେପାଳରେ ୫ ମାର୍ଚ୍ଚରେ ହେବାକୁ ଯାଉଛି ନିର୍ବାଚନ। ଏହା ଭିତରେ ନେପାଳର କାର୍ଯ୍ୟକାରୀ ମୁଖ୍ୟ ନିର୍ବାଚନ କମିଶନ୍ ରାମ ପ୍ରସାଦ ଭଣ୍ଡାରୀ ସୋମବାର କହିଛନ୍ତି ସାଧାରଣ ନିର୍ବାଚନ ପରିଣାମ ଭୋଟ ବାକ୍ସକୁ ଏକତ୍ର କରିବାର ୨୪ ଘଣ୍ଟା ଭିତରେ ପ୍ରକାଶ କରାଯିବ। ମୋଟ ୧୮.୯ ମିଲିୟନ ମତଦାତା ପ୍ରତିନିଧି ସଭାର ୨୭୫ ସଦସ୍ୟଙ୍କୁ ଚୟନ କରିବାକୁ ନିଜର ମତାଧିକାରୀ ପ୍ରୟୋଗ କରିବେ। ଯେଉଁଠି ୧୬୫ ସାଂସଦଙ୍କ ଚୟନ ପ୍ରତ୍ୟକ୍ଷ ମତଦାନ ମାଧ୍ୟମରୁ ହେବ। ସେଭଳି ୧୧୦ ସାଂସଦଙ୍କ ଚୟନ ଆନୁପାତିକ ମତଦାନ ପ୍ରଣାଳୀ ଅନୁସାରେ ହେବ, ଯାହାକି ସଂସଦରେ ସଂଖ୍ୟାଲଘୁ ଓ ଛୋଟ ଦଳକୁ ପ୍ରତିନିଧିତ୍ବ କରିବାକୁ ଅନୁମତି ଦେବ।
ଭଣ୍ଡାରୀ ଏକ ଘରୋଇ ସମାଚାର ଏଜେନ୍ସିକୁ କହିଛନ୍ତି,ନିର୍ବାଚନ କମିଶନ୍ ଭୋଟ୍ ବାକ୍ସକୁ ଏକତ୍ର କରିବାର ତୁରନ୍ତ ପରେ ଭୋଟ ଗଣତି ଆରମ୍ଭ କରିବାର ଯୋଜନା କରୁଛି। ସେ କହିଛନ୍ତି, ଆନୁପାତିକ ପ୍ରତିନିଧିତ୍ବ ପ୍ରଣାଳି ଅନୁସାରେ,ପରିମାଣ ଘୋଷିତ କରିବାରେ ଦିନେ କିମ୍ବା ଦୁଇ ଦିନ ଲାଗିପାରେ। ସେଭଳି ପ୍ରତ୍ୟକ୍ଷ ମତଦାନ କିମ୍ବା ଫାଷ୍ଟ ପାଷ୍ଟ-ଦ-ପୋଷ୍ଟ ପ୍ରଣାଳିର ପରିଣାମ ମତପତ୍ର ସଂଗ୍ରହର ୨୪ ଘଣ୍ଟା ଭିତରେ ଘୋଷିତ କରି ଦିଆଯିବ।
ଆନୁପାତିକ ପ୍ରତିନିଧିତ୍ବ ପ୍ରଣାଳୀ ଅନୁସାରେ,ସାରା ଦେଶରେ ରାଜନୈତିକ ଦଳ ଦ୍ବାରା ପ୍ରାପ୍ତ ମୋଟ ଭୋଟ ଆଧାରରେ ପ୍ରତିନିଧି ସଭାର ୨୭୫ ସଦସ୍ୟଙ୍କ ଭିତରୁ ୧୧୦ ଜଣଙ୍କର ଚୟନ କରାଯାଇଛି। ମତଦାତା ପ୍ରତ୍ୟେକ ଦଳ ପାଇଁ ଅଲଗା ଅଲଗା ମତପତ୍ର ଦିଅନ୍ତି। ପ୍ରତ୍ୟେକ ଦଳକୁ ମିଳିଥିବା ଭୋଟର ଅନୁପାତରେ ସିଟ୍ ଆବଣ୍ଟିତ କରାଯାଇଥାଏ। ଦଳକୁ ନିଜର ପିଆର ପ୍ରାର୍ଥୀଙ୍କ ସୂଚୀରେ ମହିଳା ଓ ଦଳିତ,ଜନଜାତି ଏବଂ ସଂଖ୍ୟାଲଘୁ ଭଳି ଗୋଷ୍ଠୀକୁ ସାମିଲ କରିବା ସୁନିଶ୍ଚିତ କରିବାକୁ ହେବ। ଏହି ପ୍ରଣାଳୀର ଉଦେଶ୍ୟ ସଂସଦକୁ ନେପାଳର ସାମାଜିକ ଓ ଜାତୀୟ ବିବିଧତାର ଅଧିକ ପ୍ରତିନିଧିତ୍ବ ପ୍ରଦାନ କରିବା।
ନିର୍ବାଚନ କମିଶନ୍ ମୁଖପାତ୍ର ନାରାୟଣ ପ୍ରସାଦ ଭଟ୍ଟରାୟ କହିଛନ୍ତି, କାଠମାଣ୍ଡୁ ଘାଟି ବାହାର କ୍ଷେତ୍ରରେ ମତପତ୍ରର ବିତରଣ ପୂର୍ବରୁ ପୁରା ହୋଇସାରିଛି। କାଠମାଣ୍ଡୁ, ଭକ୍ତପୁର ଓ ଲଲିତପୁର ଜିଲ୍ଲାରେ କିଛି ନିର୍ବାଚନ ମଣ୍ଡଳୀ ମତପତ୍ରର ବିତରଣ ମଙ୍ଗଳବାର ରାତି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରା ହୋଇଯିବ। ୫ ମାର୍ଚ୍ଚ ସକାଳ ୭ଟାରୁ ସନ୍ଧ୍ୟ ୫ଟା ପର୍ଯ୍ୟନ୍ତ ମତଦାନ ହେବ। କମିଶନ୍ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ୧୬ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଚାର କରିବାର ଅନୁମତି ଦେଇଛି। ପ୍ରଚାର ଗତିବିଧି ଉପରେ ରୋକ୍ ଲଗାଇବାର ସମୟ ୨ ମାର୍ଚ୍ଚ ମଧ୍ୟରାତ୍ରୀରୁ ଆରମ୍ଭ ହେବ। ମତଦାନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ନେପାଳ-ଭାରତ ସୀମାକୁ ସିଲ୍ କରି ଦିଆଯିବ।