ନୂଆଦିଲ୍ଲୀ,୧୪/୦୯: ନେପାଳରେ ଇତିହାସ ସୃଷ୍ଟି କଲା ଜେନ-ଜି'ଙ୍କ ବିଳ୍ପବ। ସୋସିଆଲ ମିଡିଆ ପ୍ରତିବନ୍ଧକ ବାହାନାରେ ଯୁବକମାନେ ଏକଜୁଟ ହୋଇ ବେକାରୀ ଏବଂ ଦୁର୍ନୀତି ଭଳି ପ୍ରସଙ୍ଗରେ ଦେଶରେ କ୍ଷମତା ପରିବର୍ତ୍ତନ କରିଦେଲେ। ଏକ ନୂଆ ସୂର୍ଯ୍ୟୋଦୟର ଆଶାରେ, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରାଯାଇଛି। ଶପଥ ଗ୍ରହଣ କରିବା ପରେ, ସୁଶୀଳା କାର୍କି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ସହିତ ମନ୍ତ୍ରିମଣ୍ଡଳର ଅନେକ ଗୁରୁତ୍ୱପୂର୍ଣ୍ଣ ଚେହେରା ମଧ୍ୟ ଉପସ୍ଥିତ ଥିଲେ, ଯେଉଁଥିରେ ଶକ୍ତି ବିଶେଷଜ୍ଞ କୁଲମାନ ଘିସିଂ ଏବଂ ସମାଜସେବୀ-ରାଜନେତା ସୁଦାନ ଗୁରୁଙ୍ଗ ମଧ୍ୟ ସାମିଲ ଥିଲେ। ସୁଶୀଳା କାର୍କି ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ ଦେଶ ପରିଚାଳନା ପଥରେ ତାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଅପେକ୍ଷା କରିଛି।
ପରିସ୍ଥିତି ସନ୍ତୁଳନ କରିବା ଭଳି ଚ୍ୟାଲେଞ୍ଜ:
ଗତ କିଛି ଦିନ ମଧ୍ୟରେ କାଠମାଣ୍ଡୁ ଏବଂ ଅନ୍ୟାନ୍ୟ ସହରରେ ଦେଖାଯାଇଥିବା ହିଂସା ଏବଂ କର୍ଫ୍ୟୁ ପରେ, ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି। ସେନା ଏବଂ ପୋଲିସ ବର୍ତ୍ତମାନ ସତର୍କ ଅଛନ୍ତି କିନ୍ତୁ ରବିବାର ପର୍ଯ୍ୟନ୍ତ କୌଣସି ନୂଆ କର୍ଫ୍ୟୁ ଆଦେଶ ଜାରି କରାଯାଇ ନାହିଁ। ବିଶ୍ୱାସ କରାଯାଉଛି ଯେ ଧୀରେ ଧୀରେ ପ୍ରତିବନ୍ଧକ ଉଠାଇ ଦିଆଯିବ। ସେନା କହିଛି ଯେ ସେମାନେ ପରିସ୍ଥିତି ଉପରେ ନଜର ରଖିବେ ଏବଂ ଆବଶ୍ୟକ ହେଲେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ସାହାଯ୍ୟ କରିବେ।
ଦୁର୍ନୀତି, ବେକାରୀ ଏବଂ ଶାସନ ଭଳି କଠିନ ପରୀକ୍ଷାକୁ ସାମ୍ନା କରିବେ କାର୍କି:
ପ୍ରଧାନମନ୍ତ୍ରୀ କାର୍କିଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଦୁର୍ନୀତି ଏବଂ ବେକାରୀ ଭଳି ପୁରୁଣା କିନ୍ତୁ ଗଭୀର ସମସ୍ୟାର ମୁକାବିଲା କରିବା। ନେପାଳର ସାଧାରଣ ନାଗରିକଙ୍କ, ବିଶେଷକରି ଯୁବପିଢ଼ିଙ୍କ କ୍ରୋଧ ଏହି ଦୁଇଟି ପ୍ରସଙ୍ଗରେ ଉପରେ ଥିଲା। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କାର୍କିଙ୍କୁ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନେବାକୁ ପଡ଼ିବ। ସରକାରୀ ଚୁକ୍ତିନାମା ଏବଂ ନିଯୁକ୍ତିରେ ପ୍ରସାରିତ ଦୁର୍ନୀତିକୁ ରୋକିବାକୁ ପଡ଼ିବ। ଏହାରି ଭିତରେ ବେକାରୀ ହ୍ରାସ କରିବା ପାଇଁ, ଶିକ୍ଷା-ତାଲିମ କାର୍ଯ୍ୟକ୍ରମ, ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହନ ଏବଂ ଘରୋଇ ନିବେଶ ପାଇଁ ଏକ ପରିବେଶ ସୃଷ୍ଟି କରିବାକୁ ପଡ଼ିବ। ସୋସିଆଲ ମିଡିଆରେ ସକ୍ରିୟ ଥିବା ଯୁବ ପିଢ଼ିଙ୍କ ସହ ଯୋଗାଯୋଗ କରିବା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଯଦି କାର୍କି ତାଙ୍କ ଛଅ ମାସର କାର୍ଯ୍ୟକାଳରେ କିଛି ଠୋସ୍ ସଙ୍କେତ ଦିଅନ୍ତି, ତେବେ ନିର୍ବାଚନ ପର୍ଯ୍ୟନ୍ତ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରହିପାରିବ।
ଭାରତକୁ ନେଇ ବନ୍ଧୁତ୍ବପୂର୍ଣ୍ଣ ବାର୍ତ୍ତା:
ଶପଥ ଗ୍ରହଣ କରିବା ପରେ ସୁଶୀଳା କାର୍କି ଭାରତ-ନେପାଳ ସମ୍ପର୍କ ବିଷୟରେ ଏକ ଅତ୍ୟନ୍ତ ଭାବପ୍ରବଣ ବୟାନ ଦେଇଥିଲେ। ସେ କହିଥିଲେ- 'ଯେତେବେଳେ ଭାରତରେ ଯନ୍ତ୍ରଣା ହୁଏ, ଆମ ଆଖିରୁ ଲୁହ ଝରେ।' ଭାରତ ଆମ ହୃଦୟର ବହୁତ ନିକଟତର।' ସୀମା ବିବାଦ ଏବଂ ରାଜନୈତିକ ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିବା ବେଳେ କାର୍କିିଙ୍କର ଭାରତ ପ୍ରତି ଏପରି କିଛି ବୟାନ ଆସିଛି। କାର୍କିଙ୍କ ଏହି ବୟାନ ଏକ ନୂଆ ଆରମ୍ଭ ପାଇଁ ଆଶା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ, ନେପାଳରେ ସ୍ଥିରତା ଏବଂ ବିକାଶ ପାଇଁ କାମନା କରିଥିଲେ। ସେ ଲେଖିଛନ୍ତି- ଭାରତ ନେପାଳର ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଲୋକଙ୍କ ଆକାଂକ୍ଷାକୁ ସମ୍ମାନ କରୁଛୁ।'
ନେପାଳର ଚିନ୍ତା ଚୀନ୍ର ନିରବତା:
ନେପାଳରେ ଏହି ପରିବର୍ତ୍ତନ ଉପରେ ଅନେକ ଦେଶ ନଜର ରଖିଛନ୍ତି। ଭାରତ ସକାରାତ୍ମକ ପ୍ରତିକ୍ରିୟା ଦେଇଛି, କିନ୍ତୁ ଚୀନ୍ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ। ବିଶେଷଜ୍ଞଙ୍କ ମତରେ, ଚୀନ୍ 'ଓ୍ବେଟ୍ ଆଣ୍ଡ୍ ଓ୍ବାଚ୍' ନୀତି ଗ୍ରହଣ କରୁଛି। ଚୀନ୍ ନେପାଳରେ ରାସ୍ତା, ବିଦ୍ୟୁତ୍ ଏବଂ ରେଳ ପ୍ରକଳ୍ପରେ ପ୍ରଚୁର ପରିମାଣରେ ନିବେଶ କରିଛି, ତେଣୁ ବେଜିଂର ପରବର୍ତ୍ତୀ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହେବ। ଆମେରିକା ଏବଂ ୟୁରୋପୀୟ ସଂଘ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଶାନ୍ତିପୂର୍ଣ୍ଣ କ୍ଷମତା ପରିବର୍ତ୍ତନକୁ ସ୍ୱାଗତ କରିଛନ୍ତି। ବର୍ତ୍ତମାନ କୌଣସି ପ୍ରମୁଖ ଦେଶ ସମାଲୋଚନାମୂଳକ ମନୋଭାବ ଗ୍ରହଣ କରିନାହାଁନ୍ତି।
ଆଗକୁ କେଉଁ ସବୁ ଚ୍ୟାଲେଞ୍ଜ କରିବେ କାର୍କି:
ଭାରତ-ଚୀନ୍ ସନ୍ତୁଳନ: ଭାରତ ପ୍ରତି କାର୍କିଙ୍କ ନରମ ମନୋଭାବ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ସେ ଦିଲ୍ଲୀ ସହିତ ସମ୍ପର୍କ ଉନ୍ନତ କରିବାକୁ ଚାହୁଁଛନ୍ତି। କିନ୍ତୁ ଚୀନ୍ର ଆର୍ଥିକ ଉପସ୍ଥିତିକୁ ଅଣଦେଖା କରିବା ତାଙ୍କ ପାଇଁ ସହଜ ହେବ ନାହିଁ। ଆଗାମୀ ମାସଗୁଡ଼ିକରେ ନେପାଳର ବୈଦେଶିକ ନୀତିରେ ଏହି ସନ୍ତୁଳନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ।
ଯୁବ ଚାପ ଏବଂ ଆଭ୍ୟନ୍ତରୀଣ ରାଜନୀତି: ଏହା ପ୍ରଥମ ଥର ଘଟିଛି ଯେ, ଏକ ଯୁବ ଆନ୍ଦୋଳନ ସରକାର ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି। କାର୍କିଙ୍କୁ ଯୁବପିଢ଼ିଙ୍କ ଆକାଂକ୍ଷା ପୂରଣ କରିବାକୁ ପଡ଼ିବ। ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରିମଣ୍ଡଳର ନେତାମାନେ ନିଜସ୍ୱ ମହତ୍ତ୍ୱାକାଂକ୍ଷା ଦ୍ୱାରା ଚାଳିତ ହୋଇ ସହଯୋଗ ଏବଂ ଚ୍ୟାଲେଞ୍ଜ ମଧ୍ୟ କରିପାରିବେ। କାର୍କି କିପରି ସନ୍ତୁଳନ ରକ୍ଷା କରନ୍ତି ତାହା ଦେଖିବା ଆକର୍ଷଣୀୟ ହେବ।