ନୂଆଦିଲ୍ଲୀ, ୦୫/୦୯: ନେପାଳରେ ବଡ଼ ଡିଜିଟାଲ୍ ଷ୍ଟ୍ରାଇକ୍ । ଫେସବୁକ୍, ୟୁଟ୍ୟୁବ୍ ସମେତ ବନ୍ଦ ହେବ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମ । ନେପାଳର ଗଣ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛି । ପଞ୍ଜୀକରଣ କରିନଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ତୁରନ୍ତ ବ୍ୟାନ୍‌ କରାଯିବ । ରେଜିଷ୍ଟ୍ରେସନ ପରେ ଏହି ପ୍ଲାଟଫର୍ମ ଗୁଡ଼ିକ ପୁଣି ଥରେ ଆକ୍ଟିଭ ହେବାର ସମ୍ଭାବନା ରହିଛି ।

​​​​​​​ନେପାଳରେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ରେଜିଷ୍ଟ୍ରେସନ ପାଇଁ ୭ ଦିନ ସମୟ ଦିଯାଇଥିଲା । ଯାହା ବର୍ତ୍ତମାନ ଶେଷ ହୋଇ ଯାଇଛି । ଏହି ସମୟ ସୀମା ମଧ୍ୟରେ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ପଞ୍ଜୀକରଣ କରିନାହାନ୍ତି । ଯେଉଁଥିପାଇଁ ଗୁରୁବାର ଦିନ ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗଙ୍କ ଅଧ୍ୟାକ୍ଷତାରେ ବସିଥିବା ଏକ ବୈଠକରେ ଏହି ପ୍ଲାଟଫର୍ମ ଗୁଡ଼ିକୁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ଲାଟଫର୍ମକୁ ଡିଆକ୍ଟିଭେଟ୍ କରିବା ପାଇଁ ନେପାଳ ସରକାର ଟେଲିକମ୍‌କୁ ଏକ ଚିଠି ପଠାଇଛନ୍ତି । ଏଭଳି ଏକ ନିଷ୍ପତ୍ତି ନେବା ଫଳରେ ନେପାଳରେ ଫେସବୁକ, ଏକ୍ସ, ଇନଷ୍ଟାଗ୍ରାମ୍, ହ୍ୱାଟ୍‌ସ ଆପ୍, ୟୁଟ୍ୟୁବ୍‌ ଏବଂ ଗୁଗୁଲ ସହିତ ଅନ୍ୟ ୱେବ୍ ସାଇଟ୍ ମଧ୍ୟ ପ୍ରଭାବିତ ହେବ ।

ରେଜିଷ୍ଟ୍ରେସନ୍ କରାଇଥିବା ପ୍ଲାଟଫର୍ମ-

ସରକାରଙ୍କର ଏହି ନିଷ୍ପତ୍ତି ପରେ ଏପର୍ଯ୍ୟନ୍ତ କେବଳ TikTok, Viber, Nimbuzz, Bee Talk, ​​​​​​​Poppo Live କମ୍ପାନୀ ହିଁ ରେଜିଷ୍ଟ୍ରେସନ ଅଫିସ୍‌ରେ ପଞ୍ଜୀକରଣ କରାଇଛନ୍ତି । ଏଭଳି ନିଷ୍ପତ୍ତି ପରେ ନେପାଳରେ କେବଳ ପଞ୍ଜୀକୃତ ହୋଇଥିବା ପ୍ଲାଟଫର୍ମଗୁଡ଼ିକ ଆଇନଗତ ଭାବରେ କାମ କରି ପାରିବ ।