କାଠମାଣ୍ଡୁ,୩।୫: ନେପାଳରେ ଚଳିତ ସପ୍ତାହରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ନୂତନ ଭାବରେ ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରିଥିବା ବାଲେନ ଶାହାଙ୍କ ବଡ଼ ପଦକ୍ଷେପ। ସେ ଦେଶରେ ନୂତନ ଭାବରେ ଗଠିତ ଉଚ୍ଚସ୍ତରୀୟ ସମ୍ପତ୍ତି ଯାଞ୍ଚ କମିଶନକୁ ୧୦ ହଜାର ଲୋକଙ୍କୁ ସମ୍ପତ୍ତିର ଯାଞ୍ଚ କରିବାକୁ ବ୍ୟାପକ ଅଧିକାର ଦେଇଛନ୍ତି। ଏହା ପ୍ରଥମ ଥର ଯେତେବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ନେପାଳ ସେନାର ପୂର୍ବତନ ମୁଖ୍ୟଙ୍କୁ ତଦନ୍ତକାରୀଙ୍କ ପରିସରରେ ଆଣିଛି। ନେପାଳର ପୂର୍ବତନ ଚିଫ୍ ଜଷ୍ଟିସ୍ ଓ ସେନା ମୁଖ୍ୟଙ୍କ ସମ୍ପତ୍ତିରେ ବୃଦ୍ଧିର ଯାଞ୍ଚ ଏହି କମିଶନ୍ କରିପାରେ।
ମାଇରିପବ୍ଲିକ୍ ରିପୋର୍ଟ ଅନୁସାରେ, ଗୁରୁବାର ପ୍ରକାଶିତ ନେପାଳ ଗେଜେଟରେ ଏକ ସୂଚନାରେ କମିଶନ୍ର ଅଧିକାର କ୍ଷେତ୍ରର ରୂପରେଖ ଦିଆଯାଇଛି। ଏଥିରୁ ଜଣାପଡୁଛି ଯେ, କମିଶନ୍ ପରିସର ଖୁବ୍ ବଡ଼। ତଦନ୍ତ ପରିସରଭୁକ୍ତ ବ୍ୟକ୍ତିଙ୍କ ମଧ୍ୟରେ ବର୍ତ୍ତମାନର ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ,ବହୁ ମନ୍ତ୍ରୀ, ସାଂସଦ,ସରକାରୀ କର୍ମଚାରୀ, ରାଜନୈତିକ ଭାବରେ ନିଯୁକ୍ତ ଅଧିକାରୀ ଏବଂ ସେମାନଙ୍କର ପ୍ରତିନିଧିମାନେ ଅଛନ୍ତି।
କାଠମାଣ୍ଡୁରେ କମିଶନ୍ରେ ଜଣେ ଅଧିକାରୀ କହିଛନ୍ତି, ୧୦ ହଜାରରୁ ଅଧିକ ଲୋକ ଏହି ଯାଞ୍ଚ ପରିସରରେ ରହିବେ। ତେବେ ଏପର୍ଯ୍ୟନ୍ତ ଏହାର ସଠିକ୍ ସଂଖ୍ୟା କହିବା ସମ୍ଭବପର ହୋଇନି। ତଦନ୍ତ କମିଶନ୍ ଅଧିନିୟମ, ୧୯୬୯ ଅନୁସାରେ, ୧୫ ଅପ୍ରେଲରେ ଗଠିତ ଏହି ସଂସ୍ଥାକୁ ପୂର୍ବତନ ଅଧିକାରୀଙ୍କ ସମ୍ପତ୍ତିର ଯାଞ୍ଚ କରିବାର ଦାୟିତ୍ବ ଦିଆଯାଇଛି। କମିଶନଙ୍କୁ ନିଜର ପ୍ରଥମ ପର୍ଯ୍ୟାୟରେ ସେନା ମୁଖ୍ୟ ଓ ଜେନେରାଲଙ୍କ ସହିତ ୨୦୦୬ ପରେ ସେବା ପ୍ରଦାନ କରୁଥିବା ବିଚାରପତିଙ୍କ ସମ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ। ସେବାରତ ଅଧିକାରୀ ବର୍ତ୍ତମାନ କମିଶନଙ୍କୁ ସିଧା ତଦନ୍ତର ପରିସରରେ ଆରି ନାହାଁନ୍ତି। ତାଙ୍କ ବିରୋଧରେ ମିଳୁଥିବା ଅଭିଯୋଗକୁ ସମ୍ପର୍କିତ ଅଧିକାରୀଙ୍କ ପାଖକୁ ପଠାଇ ଦିଆଯିବ। କମିଶନରର ମୁଖପାତ୍ର ଗଣେଶ କେସି କହିଛନ୍ତି, ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ଚାଲିଛି। ସରକାର କାର୍ଯ୍ୟକ୍ଷେତ୍ରକୁ ପରିଭାଷିତ କରିଦେଇଛନ୍ତି। ଆମେ କିଛି ଦିନରେ କାମ ଆରମ୍ଭ କରିଦେବୁ। ପୂର୍ବତନ ବିଚାରପତି ରାଜେନ୍ଦ୍ର କୁମାର ଭଣ୍ଡାରୀଙ୍କ ନେତୃତ୍ବରେ କମିଶନ୍ ଗଠନ କରାଯାଇଛି। କମିଶନ୍କୁ କାମ କରିବାକୁ ଏକ ବର୍ଷର କାର୍ଯ୍ୟକାଳ ମିଳିଛି। ତଦନ୍ତ ପୁରା କରିବା ପରେ କମିଶନ୍ ସରକାରଙ୍କୁ ସୁପାରିଶ ସହିତ ରିପୋର୍ଟ ଦେବେ।