କାଠମାଣ୍ଡୁ,୧୩।୯: ନେପାଳରେ ରାଜନୈତିକ ଅସ୍ଥିରତା ପରେ, ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି। ଦୁର୍ନୀତି ଏବଂ ଆତଙ୍କବାଦ ବିରୋଧରେ ତାଙ୍କର କଠୋର ଆଭିମୁଖ୍ୟ ଯୋଗୁଁ ସେ ଜେନ୍‌-ଜିଙ୍କ ମଧ୍ୟରେ ସେ ଖୁବ୍ ଲୋକପ୍ରିୟ। ଭାରତରେ ଶିକ୍ଷା ଗ୍ରହଣ କରିଥିବା ୭୩ ବର୍ଷୀୟା ସୁଶୀଳା କାର୍କି ନେପାଳ  ରାଜନୀତିରେ ଏକ ପ୍ରମୁଖ ଚେହେରା । ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଜୀବନର ଘଟଣାବଳୀ ଖୁବ୍ ରୋଚକମୟ ଥିଳା।

ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରାଯାଇଛି।ଜଣେ ଚର୍ଚ୍ଚିତ ବିଚାରପତି ଏବଂ ପ୍ରସିଦ୍ଧ ଲେଖିକା ଭାବରେ, ସୁଶୀଳାଙ୍କୁ ଜେନ୍-ଜିଙ୍କ ସମର୍ଥନ ମିଳିଛି। ୫୦୦୦ ରୁ ଅଧିକ ଲୋକଙ୍କ ଏକ ବୈଠକରେ, ଅଧିକାଂଶ ସଦସ୍ୟ ସୁଶୀଳାଙ୍କ ନାମ ଉପରେ ସହମତି ପ୍ରକାଶ କରିଥିଲେ। ବିଚାରପତି ଭାବରେ କାର୍ଯ୍ୟକାଳ ମଧ୍ୟରେ, ସେ କେବଳ ଦୁର୍ନୀତି ବିରୁଦ୍ଧରେ ନୁହେଁ, ବରଂ ଆତଙ୍କବାଦ ବିରୁଦ୍ଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କାରଣରୁ ସେ ‘ଜେନ୍-ଜି’ଙ୍କ ପ୍ରଥମ ପସନ୍ଦ ହୋଇଥିଲେ । ଫଳରେ ୭୩ ବର୍ଷ ବୟସରେ ବି ସେ ନେପାଳର ରାଜନୀତିର ପ୍ରମୁଖ ଚେହେରା ହୋଇଗଲେ। କାର୍କି ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କର କ୍ୟାରିଅର ଏବଂ ବ୍ୟକ୍ତିଗତ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ତାଙ୍କ ସ୍ୱାମୀଙ୍କ ଯୋଗୁଁ ତାଙ୍କର ବ୍ୟକ୍ତିଗତ ଜୀବନ ରୋଚକ। ସୁଶୀଳା କାର୍କି ପୂର୍ବତନ ନେପାଳୀ କଂଗ୍ରେସ ଯୁବ ନେତା ଦୁର୍ଗା ପ୍ରସାଦ ସୁବେଦୀଙ୍କୁ ବିବାହ କରିଛନ୍ତି, ଯାହାଙ୍କୁ ସେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ରେ ପାଠପଢ଼ୁଥିବା ସମୟରେ ଭେଟିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା, ଏହା ପରେ ହୋଇଯାଇଥିଲେ ଜୀବନସାଥୀ ।ସୁଶୀଳା କାର୍କି ଏକ ସାକ୍ଷାତକାର ସମୟରେ କହିଥିଲେ, ଦୁର୍ଗା ତାଙ୍କ ସବୁଠାରୁ କଷ୍ଟକର ସମୟରେ ମଧ୍ୟ  ମାର୍ଗଦର୍ଶକ ଏବଂ ବନ୍ଧୁ ଥିଲେ। ସୁବେଦୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ୫୨ ବର୍ଷ ପୂର୍ବେ ନେପାଳର ପ୍ରଥମ ବିମାନ ଅପହରଣରେ ସାମିଲ ଥିଲେ।  

୧୯୭୩ ମସିହା ଜୁନ୍ ୧୦ ତାରିଖରେ ନେପାଳର ବିରାଟନଗରରୁ କାଠମାଣ୍ଡୁ ଯାଉଥିବା ଏକ ବିମାନ ଅପହରଣ କରାଯାଇଥିଲା। ନେପାଳୀ କଂଗ୍ରେସର ତିନି ଜଣ ସଦସ୍ୟ କାନାଡା ନିର୍ମିତ ୧୯ ସିଟ୍ ବିଶିଷ୍ଟ ଟ୍ୱିନ୍ ଅଟର ବିମାନକୁ ନିୟନ୍ତ୍ରଣ କରିଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ନେପାଳର ଅଭିନେତା ଦମ୍ପତି ସିପି ଲୋହାନି ଏବଂ ଭାରତର ମାଲା ସିହ୍ନା ମଧ୍ୟ ଥିଲେ। ଦୁର୍ଗା ପ୍ରସାଦ ସୁବେଦୀ, ନଗେନ୍ଦ୍ର ଧୁଙ୍ଗେଲ ଏବଂ ବସନ୍ତ ଭଟ୍ଟରାୟ ରୟାଲ ନେପାଳ ଏୟାରଲାଇନ୍ସର ଅପହରଣରେ ସାମିଲ ଥିଲେ, ଯାହାର ମାଷ୍ଟରମାଇଣ୍ଡ ଥିଲେ ଗିରିଜା ପ୍ରସାଦ କୋଇରାଲା , ଯିଏକି ପରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ। ଗିରିଜା ପ୍ରସାଦ କୋଇରାଲା  ହେଉଛନ୍ତି ଅଭିନେତ୍ରୀ ମନୀଷା କୋଇରାଲାଙ୍କ ବଡ଼ ବାପା।

ଗିରିଜା ପ୍ରସାଦ କୋଇରାଲାଙ୍କ ଘନିଷ୍ଠ ସହଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ ସୁବେଦୀ। ରାଜା ମହେନ୍ଦ୍ରଙ୍କ ରାଜତନ୍ତ୍ର ଶାସନ ବିରୁଦ୍ଧରେ ଚାଲିଥିବା "ସଶସ୍ତ୍ର ଆନ୍ଦୋଳନ" ପାଇଁ ଅର୍ଥ ସଂଗ୍ରହ କରିବା ପାଇଁ ଏହି ଅପହରଣ କରାଯାଇଥିଲା। ବିମାନଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ସରକାରୀ ପାଣ୍ଠି ନେଇଯାଉଥିଲା। ଚାଳକ ଦଳ ସହିତ ଏକ ଝଗଡା ଝଗଡ଼ା ପରେ, ଅପହରଣକାରୀମାନେ ପାଇଲଟଙ୍କୁ ବିହାରର ଫୋର୍ବସଗଞ୍ଜରେ  ଅବତରଣ କରିବାକୁ ବାଧ୍ୟ କରିଥିଲେ। ତାଙ୍କର ଆଉ ପାଞ୍ଚ ଜଣ ସହଯୋଗୀ ପୂର୍ବରୁ ବିମାନ ଅବତରଣ ପାଇଁ ସେଠାରେ ଅପେକ୍ଷା କରିଥିଲେ। ଏଥିପାଇଁ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିଲେ ସୁଶୀଲ କୋଇରାଲା, ଯିଏ ପରେ ନେପାଳର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ। ଅପହରଣକାରୀ ଦଳ ବିମାନରୁ ଟଙ୍କା ଭର୍ତ୍ତି ତିନୋଟି ବାକ୍ସ ବାହାର କରିନେଇଥିଲେ। ତା’ପରେ ବିମାନକୁ ଅନ୍ୟ ଯାତ୍ରୀମାନଙ୍କ ସହିତ ଉଡ଼ାଣ କରିବାକୁ ଅନୁମତି ଦେଇଥିଲେ। ଟଙ୍କାକୁ ସଡ଼କ ପଥରେ ପଶ୍ଚିମବଙ୍ଗର ଦାର୍ଜିଲିଂକୁ ପଠାଯାଇଥିଲା। ଗୋଟିଏ ବର୍ଷ ମଧ୍ୟରେ, ନାଗେନ୍ଦ୍ର ଧୁଙ୍ଗେଲଙ୍କୁ ଛାଡ଼ି ଗୋଷ୍ଠୀର ସମସ୍ତ ସଦସ୍ୟଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଗିରଫ କରିଥିଲେ। ସୁବେଦୀ ଏବଂ ତାଙ୍କ ସାଥୀମାନଙ୍କୁ ଦୁଇ ବର୍ଷ ପାଇଁ ଜେଲ୍ ହୋଇଥିଲା। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।