ନୂଆଦିଲ୍ଲୀ,୯।୯: ନେପାଳରେ ବ୍ୟାପକ ହିଂସା ଭିତରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଦାବିକୁ ନେଇ ମଙ୍ଗଳବାର ରାଜଧାନୀ କାଠମାଣ୍ଡୁ ସହ ପ୍ରମୁଖ ସହରରେ ପ୍ରଦର୍ଶନ ହୋଇଥିଲା। ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିନେଇଛନ୍ତି। ଏହା ସହ ରାଷ୍ଟ୍ରପତିଙ୍କ ସହ ବହୁ ବଡ଼ ନେତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଦର୍ଶନକାରୀମାନେ ଭକ୍ତପୁର ବାଲକୋଟ୍ ସ୍ଥିତ ପ୍ରଧାନମନ୍ତ୍ରୀ ଓଲିଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଓଲି ବର୍ତ୍ତମାନ ବାଲୁଭତାର ସ୍ଥିତ ପ୍ରଧାନମନ୍ତ୍ରୀ ବାସଭବନରେ ଅଛନ୍ତି। ପ୍ରଦର୍ଶନକାରୀମାନେ କାଠମାଣ୍ଡୁର ନାୟକାପ ପରେ ପୂବର୍ତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।
ରାଜଧାନୀର ବହୁ ସ୍ଥାନରେ ‘କେପି ଚୋର, ଦେଶ ଛାଡ଼’ ଓ ‘ଭ୍ରଷ୍ଟ ନେତା’ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କର ଭଳି ନାରା ବାଜି କରିଥିଲେ ବିକ୍ଷୋଭକାରୀ। GEN-Z ଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ପ୍ରତିବାଦ ଏବଂ ରାଜନୈତିକ ଚାପ ପରେ ଓଲି ଇସ୍ତଫା ଦେବାକ ବାଧ୍ୟ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁସାରେ, ଓଲିଙ୍କୁ ହେଲିକପ୍ଟରରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହା ସହ ସେନା ହେଲିକପ୍ଟର ସାହାଯ୍ୟରେ ଅନ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରୁ ସୁରକ୍ଷିତ ସ୍ଥାନକୁ ନିଆଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି।
ରବିବାର ସନ୍ଧ୍ୟାରେ ସୋସିଆଲ ମିଡିଆ ବ୍ୟାନ୍ ବିରୋଧରେ ଆରମ୍ଭ ହୋଇଥିବା ପ୍ରଦର୍ଶନ, ହିଂସାତ୍ମକ ରୂପରେ ପରିଣିତ ହୋଇଥିଲା।ଗତ କାଲି ହୋଇଥିବା ହିଂସାତ୍ମକ ପ୍ରତିବାଦରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ଶହ ଶହ ଆହତ ହେବା ପରେ ସରକାର ସମ୍ପୂର୍ଣ୍ଣ ଘେରି ଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେନା ମୁତୟନ କରିବାକୁ ପଡିଥିଲା, କିନ୍ତୁ ଜେନ୍-ଜିଙ୍କ ନେତୃତ୍ୱରେ ହୋଇଥିବା ପ୍ରତିବାଦ ଓଲି ସରକାରଙ୍କୁ ମୁଣ୍ଡ ନୁଆଁଇ ଦେଇଥିଲା। ସୂତ୍ର ଅନୁଯାୟୀ, ଇସ୍ତଫା ପୂର୍ବରୁ ସେନା ମୁଖ୍ୟ ଅଶୋକ ରାଜ ସିଗଡେଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ, ଗୃହମନ୍ତ୍ରୀ ରମେଶ ଲେଖକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଦୀପ ପାଉଡେଲ ସମେତ ୫ କ୍ୟାବିନେଟ ମନ୍ତ୍ରୀ ନୈତିକତା ଦାୟିତ୍ୱ ଗ୍ରହଣ କରି ଇସ୍ତଫା ଦେଇସାରିଥି। ଫଳରେ ଓଲି ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ଦୃଷ୍ଟିରୁ ଏକାକୀ ହୋଇଯାଇଥିଲେ।