ନୂଆଦିଲ୍ଲୀ,୧୫।୯: ନେପାଳରେ ସୁଶୀଳା କାର୍କିଙ୍କ ସରକାର ଗଠନ ପରେ ଧିରେ ଧିରେ ସୁଧୁରୁଛି ଦେଶର ସ୍ଥିତି। ସୋମବାର ସୁଶିଳାଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। କ୍ୟାବିନେଟରେ ତିନି ନବ ନିଯୁକ୍ତ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସ୍ବର୍ଣ୍ଣିମ ଇତିହାସର ଏକ ନୂଆ ଅଧ୍ୟାୟ ଯୋଡି ନେପାଳର ନୂଆ କ୍ୟାବିନେଟ୍ ନିଜ ପ୍ରଥମ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ୧୭ ସେପ୍ଟେମ୍ବରରେ ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରିବାର ନିଷ୍ପତ୍ତି ନେଇଛି। ଏହି ଶୋକ ‘ଜେନ୍-ଜି’ଙ୍କ ପ୍ରଦର୍ଶନ ବେଳେ ମୃତ ସମସ୍ତ ଯୁବକଙ୍କ ବୀରତ୍ବ ଓ ବଳିଦାନକୁ ସମ୍ମାନିତ କରିବା ପାଇଁ ସମର୍ପିତ ହୋଇଛି।
ନେପାଳରେ ‘ଜେନ୍-ଜି’ ଯୁବପୀଢିଙ୍କ ଆନ୍ଦୋଳନ କାରଣରୁ ୪ ଦିନ ଭିତରେ ସରକାର ଭାଙ୍ଗି ଯାଇଥିଲା। ନିଜ ପସନ୍ଦର ନୂଆ ସରକାର ଗଠନ ହୋଇଥିଲା। ରାଜଧାନୀ କାଠମାଣ୍ଡୁ, ପୋଖରା, ବୁଟଭଲ ସହିତ ସାରା ଦେଶର ବିଭିନ୍ନ ସ୍ଥାନରେ ଓଲି ସରକାରଙ୍କ ବିରୋଧରେ ପ୍ରଦଶର୍ନ ଆରମ୍ଭ ହୋଇଥିଲା।
ଏହି ପ୍ରଦର୍ଶନରେ ଯୁବପୀଢି ସାମାଜିକ ଓ ରାଜନୈତିକ ନ୍ୟାୟ ଦାବି କରି ନିଜର ପ୍ରାଣ ଆହୁତି ଦେଇଥିଲେ। ଏହି ଆନ୍ଦୋଳନରେ ୭୨ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏଥିରେ ୫୯ ପ୍ରଦର୍ଶନକାରୀ, ୧୦ ଜେଲ୍ କଏଦୀ ଓ ତିନି ସୁରକ୍ଷାକର୍ମୀ ସାମିଲ ଥିଲେ। ଆହତଙ୍କ ସଂଖ୍ୟା ମଧ୍ୟ ଦୁଇ ହଜାର କରିଛି। ସୁଶୀଳା କାର୍କିଙ୍କ କ୍ୟାବିନେଟ୍ ସରକାର ଆନ୍ଦୋଳନ ବେଳେ ଜୀବନ ହରାଇଥିବା ଯୁବକଙ୍କୁ ଶହୀଦ ମାନ୍ୟତା ଦେବାର ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ତାଙ୍କ ବଳିଦାନକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି। ୧୭ ସେପ୍ଟେମ୍ବରରେ ସାରା ଦେଶରେ ପତକା ଯୁବପିଢିଙ୍କ ସମ୍ମାନରେ ଅର୍ଦ୍ଧନର୍ମିତ ରହିବ। ଏହାଛଡା ପ୍ରଦର୍ଶନରେ ମୃତ ଯୁବପୀଢିଙ୍କ ସ୍ମୃତିରେ ‘ଜେନ୍-ଜି’ ମେମୋରିଆଲ ପାର୍କ ତିଆରି କରିବାର ନିଷ୍ପତ୍ତି ନିଆଯାଇଛି।