ନୂଆଦିଲ୍ଲୀ,୧୧/୦୯: ନେପାଳରେ ଅଶାନ୍ତି ଏବଂ ରାଜନୈତିକ ଅସ୍ଥିରତା ଜାରି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ବି ଥମୁନି ହିଂସା । ଜେନ-ଜିଙ୍କ ନିଆଁରେ ଜଳୁଛି ନେପାଳ । ଆଇନଶୃଙ୍ଖଳାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦେଶରେ କର୍ଫ୍ୟୁ ଜାରି ହୋଇଛି । ଏହାରି ଭିତରେ ନେପାଳ ରାମଛାପରେ କିଛି କଏଦୀ ଜେଲରୁ ଖସିଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେନା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଗୁଳି ଚଳାଇଥିଲା । ଯାହା ଫଳରେ ଦୁଇଜଣ କଏକଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କେପି ଶର୍ମା ଇସ୍ତଫା ଦେବା ପରେ ସେନା ହାତକୁ ନେପାଳର ଶାସନ କ୍ଷମତା ଯାଇଛି । ସୁରକ୍ଷାବାହିନୀ ଦେଶକୁ ନିୟନ୍ତ୍ରଣକୁ ନେବା ପରେ ଏହା ପ୍ରଥମ ଗୁଳି ଚାଳନା କେସ୍ । ପୂର୍ବରୁ, କାଠମାଣ୍ଡୁ ଜେଲ୍ ଭାଙ୍ଗି ଖସିଯାଇଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ ଏସଏସବି ଯବାନ ଧରିଥିଲା। ସୁନା ଚୋରା ଚାଲାଣ ଅଭିଯୋଗରେ ଏହି ବ୍ୟକ୍ତିଙ୍କୁ ନେପାଳରେ ପାଞ୍ଚ ବର୍ଷ ପାଇଁ ଜେଲ୍ ଦିଆଯାଇଥିଲା। ତେବେ ବିହାର-ନେପାଳ ସୀମାର ରକ୍ସୌଲ ସୀମାର ସୁରକ୍ଷାରେ ନିୟୋଜିତ SSBର ୪୭ତମ ବାଟାଲିୟନ, ଜଣେ ବାଂଲାଦେଶୀ ନାଗରିକ ମହମ୍ମଦ ଅବୁଲ ହାସନ ଢାଲିଙ୍କୁ ଅଟକ ରଖିଛନ୍ତି । କମାଣ୍ଡାଣ୍ଟ ସଞ୍ଜୟ ପାଣ୍ଡେ କହିଛନ୍ତି ଯେ, ଗତ ତିନି ଦିନ ଧରି ନେପାଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମାରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା । ତଦନ୍ତ ସମୟରେ ମହମ୍ମଦ ଅବୁଲ ହାସନ ଢାଲି କହିଛନ୍ତି ଯେ, ସେ ପାଞ୍ଚ ବର୍ଷ ଧରି ନେପାଳର ରାଜଧାନୀ କାଠମାଣ୍ଡୁର ଜେଲରେ ବନ୍ଦୀ ଥିଲେ । ନେପାଳରେ ରାଜନୈତିକ ଅସ୍ଥିରତା ପରେ ଜେଲ୍ ଭାଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହରପୁର ପୁଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଉଛି। ପ୍ରକାଶ ଥାଉକି, ନେପାଳରେ ଓଲି ସରକାର ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନର ଦ୍ୱିତୀୟ ଏବଂ ତୃତୀୟ ଦିନରେ, ନେପାଳର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ ହଜାର କଏଦୀ ଜେଲରୁ ଖସି ପଳାଇଛନ୍ତି ।