ନୂଆଦିଲ୍ଲୀ: ସେପ୍ଟେମ୍ବର ୮, ୨୦୨୫। ନେପାଳରେ ଜେନ୍-ଜେଡ୍ ପ୍ରତିବାଦର ପ୍ରଥମ ଦିନରେ, ସ୍ୱୟଂଚାଳିତ ଅସ୍ତ୍ରରେ ଗୁଳିଚାଳନା କରି ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଓଲି ଏ ସମ୍ପର୍କରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଏନେଇ ଶୁକ୍ରବାର ସେ କହିଛନ୍ତି ଯେ, ପୋଲିସ ପାଖରେ ସ୍ୱୟଂଚାଳିତ ଅସ୍ତ୍ର ନଥିଲା ଏବଂ ତାଙ୍କ ସରକାର ପ୍ରତିବାଦକାରୀଙ୍କ ଉପରେ ସିଧାସଳଖ ଗୁଳି ଚଳାଇବା ପାଇଁ କୌଣସି ନିର୍ଦ୍ଦେଶ ଦେଇ ନାହାଁନ୍ତି ।
ସେ କହିଛନ୍ତି ଯେ, ପ୍ରତିବାଦକାରୀଙ୍କ ବିରୁଦ୍ଧରେ ସ୍ୱୟଂଚାଳିତ ଅସ୍ତ୍ର ବ୍ୟବହାରର ତଦନ୍ତ କରାଯିବା ଉଚିତ। ସୂଚନାଥାଉକି, ନେପାଳରେ ହିଂସାତ୍ମକ ପ୍ରତିବାଦ ପରେ, କେପି ଓଲି ସେପ୍ଟେମ୍ବର ୯ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏବେ ଦାବି କରିଛନ୍ତି ଯେ, ପ୍ରତିବାଦରେ ଅନୁପ୍ରବେଶକାରୀଙ୍କ ଦ୍ୱାରା କରାଯାଇଥିବା ହିଂସାରେ ଯୁବକ ମାନେ ମୃତ୍ୟୁବରଣ କରିଛନ୍ତି।
ସେ କହିଛନ୍ତି ଯେ, ପୂର୍ବ ପ୍ରତିବାଦରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇନଥିଲା। ପୋଲିସ ଅନୁସାରେ, ଜେନ୍-ଜେଡ୍ ପ୍ରତିବାଦରେ ଅତି କମରେ ୭୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ମଧ୍ୟରେ ଭାଟଭାଟେନି ସୁପର ମାର୍କେଟ୍ରେ ମୃତକଙ୍କ ସଂଖ୍ୟା ମଧ୍ୟ ରହିଛି, ଯାହାକୁ ପ୍ରତିବାଦକାରୀ ମାନେ ପୋଡ଼ି ଦେଇଥିଲେ।
ସରକାରଙ୍କ ମୁଖ୍ୟ ପ୍ରଶାସନିକ କେନ୍ଦ୍ର ସିଂହ ଦରବାର, ସଂସଦ ଭବନ, ସୁପ୍ରିମକୋର୍ଟ କୋଠା, ଅନ୍ୟାନ୍ୟ କୋର୍ଟ କମ୍ପ୍ଲେକ୍ସ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ରାଜନୈତିକ ଦଳର କାର୍ଯ୍ୟାଳୟରେ ହିଂସାତ୍ମକ ପ୍ରତିବାଦ ସମୟରେ ଘଟିଥିବା ଅଗ୍ନିକାଣ୍ଡ ଏକ ଷଡ଼ଯନ୍ତ୍ର ବୋଲି କେପି ଓଲି କହିଛନ୍ତି।
କାଠମାଣ୍ଡୁରୁ ପ୍ରାୟ ଚାରି କିଲୋମିଟର ଦୂରରେ ଭକ୍ତପୁରର ବାଲକୋଟ ଅଞ୍ଚଳରେ ଅବସ୍ଥିତ ଓଲିଙ୍କ ଘର ମଧ୍ୟ ଅଗ୍ନିକାଣ୍ଡର ଶିକାର ହୋଇଥିଲା। ଶେର ବାହାଦୁର ଦେଉବା, ପୁଷ୍ପ କମଳ ଦହଲ ଏବଂ ଝାଲନାଥ ଖାନଲଙ୍କ ସମେତ ଅନ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ମଧ୍ୟ ଟାର୍ଗେଟ କରାଯାଇଥିଲା।
ହିଂସାତ୍ମକ ପ୍ରତିବାଦ ପରେ କେପି ଓଲି ନେପାଳ ସେନା ସୁରକ୍ଷା ବଳୟରେ ଥିଲେ। ସେ ଗୁରୁବାର ସେନାର ସୁରକ୍ଷା ଛାଡ଼ି କାଠମାଣ୍ଡୁରୁ ପ୍ରାୟ ୧୨ କିଲୋମିଟର ଦୂରରେ ଭକ୍ତପୁରର ଗୁଣ୍ଡୁ ଅଞ୍ଚଳରେ ଏକ ଭଡ଼ା ଘରକୁ ଚାଲିଯାଇଥିଲେ।